
ବେଜିଂ: କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ତୃତୀୟ ଥର ପାଇଁ ସେ ପୁନଃ ନିର୍ବାଚିତ ହୋଇଛନ୍ତି । ଏଥିସହ ସେ ଆଗାମୀ ୫ ବର୍ଷ ଯାଏଁ ସେ ଏହି ପଦବୀରେ ରହିବେ । ଚୀନର ସବୁଠୁ ବଡ ନେତା ତଥା କମ୍ୟୁନିଷ୍ଟ ପାର୍ଟିର ସଂସ୍ଥାପକ ମାଓ ଜେଡୋଙ୍ଗ(Mao Zedong)ଙ୍କ ପରେ ୬୯ ବର୍ଷୀୟ ରାଷ୍ଟ୍ରପତି ଜିନପିଙ୍ଗ ତୃତୀୟ ଥର ନିର୍ବାଚିତ ହୋଇଥିବା ଦ୍ବିତୀୟ କ୍ଷମତାଶାଳୀ ନେତା ହୋଇଛନ୍ତି ।
ସି ଜିନପିଙ୍ଗ ଔପଚାରିକ ଅବସର ଗ୍ରହଣ କରିବା ବୟସ ୬୮ ଅତିକ୍ରମ କରିବା ସହ ୧୦ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ ହେଁ ଦିନକ ପୂର୍ବରୁ ଶକ୍ତିଶାଳୀ ସେଣ୍ଟ୍ରାଲ କମିଟିକୁ ନିର୍ବାଚିତ ହୋଇଥିଲେ । ଦେଶକୁ ଶାସନ କରିବା ପାଇଁ ଷ୍ଟାଣ୍ଡିଂ କମିଟି ସଦସ୍ୟ ଚୟନ କରୁଥିବା ୨୫ ଜଣ ସଦସ୍ୟ ବିଶିଷ୍ଟ ପଲିଟିକାଲ ବ୍ୟୁରୋକୁ ମଧ୍ୟ ସେଣ୍ଟ୍ରାଲ କମିଟିର ସଦସ୍ୟମାନେ ନିର୍ବାଚିତ କରିଥିଲେ ।
ପ୍ରକାଶଥାଉ କି, ଚୀନ କମ୍ୟୁନିଷ୍ଟ ପାର୍ଟି(ସିପିସି)ର ୨୦ତମ ଅଧିବେଶନ ଶନିବାର ଶେଷ ହୋଇଛି । ବେଜିଂର ଗ୍ରେଟ ହଲ୍ ଅଫ ଦ ପିପୁଲରେ ଏହି ବୈଠକ ଚାଲିଥିଲା । ବୈଠକ ପରେ ଜିନପିଙ୍ଗ ଲୋକଙ୍କୁ କହିଥିଲେ ଯେ, ସେ ସଂଘର୍ଷ ସହିତ ଜିତିବାକୁ ସାହସ ରଖନ୍ତୁ । ନିଜ ସମସ୍ୟାକୁ ଦୂରରେ ରଖି ପରିଶ୍ରମ କରନ୍ତୁ ଏବଂ ଆଗକୁ ବଢନ୍ତୁ । ଆଜି ଜିନପିଙ୍ଗ ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଦୁଇଥର ଚୀନର ରାଷ୍ଟ୍ରପତି ହେବା ନିୟମ ରହିଥିଲା । କିନ୍ତୁ ୨୦୧୮ରେ ଜିନପିଙ୍ଗ ଏଥିରେ ସଂଶୋଧନ ଆଣି ଏହି ନିୟମକୁ ଉଠାଇ ଦେଇଥିଲେ ।