ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟଣା: ଜାହାଙ୍ଗିରପୁରୀରେ ହେବ ଜବରଦଖଲ ଉଚ୍ଛେଦ

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗିରପୁରୀରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସା ଘଟଣାକୁ ନେଇ ଆକ୍ସନ ରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନ | ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରେ ଜବରଦଖଲ ଉଚ୍ଛେଦ ହେବ । ଏ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନପକ୍ଷରୁ ଘୋଷଣା କରାଯାଇଛି। ଏପ୍ରିଲ ୨୦ ଏବଂ ୨୧ ଦୁଇଦିନ ଧରି ସ୍ୱତନ୍ତ୍ର ଯୁଗ୍ମ ବେଆଇନ୍‌ ଉଚ୍ଛେଦ କାର୍ଯ୍ୟକ୍ରମ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଚ୍ଛେଦସ୍ଥଳରେ ୪୦୦ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ କୁହାଯାଇଛି। ବେଆଇନ ଉଚ୍ଛେଦ ସମ୍ପର୍କରେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା

ଏନଡିଏମସି ମେୟରଙ୍କୁ ଚିଠି ଲେଖିଥିଲେ। ଜାହାଙ୍ଗିରପୁରୀ ହିଂସାରେ ଯେଉଁମାନେ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି ସେମାନଙ୍କର ବେଆଇନ ନିର୍ମାଣକୁ ଉଚ୍ଛେଦ ପାଇଁ ଚିଠିରେ ଉଲ୍ଲେଖ ରହିଛି। ସେଥିରେ ଆହୁରି ଉଲ୍ଲେଖ ରହିଛି ଯେ, ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବେଳେ କିଛି ଅସାମାଜିକ ବ୍ୟକ୍ତି ଏହା ଉପରୁ ଟେକା ପଥର ମାଡ଼ କରିଥିଲେ ।

ଏହି ଅସାମାଜିକ ତତ୍ତ୍ୱ ଓ ଦଙ୍ଗାକାରୀଙ୍କୁ ସ୍ଥାନୀୟ ଆପ୍ ବିଧାୟକ ଏବଂ କାଉନସିଲର ସୁରକ୍ଷା ଦେଉଛନ୍ତି। ଫଳରେ ସେମାନେ ସେଠାରେ ବଡ଼ ଆକାରରେ ବେଆଇନ ନିର୍ମାଣମାନ କରିଛନ୍ତି । ତେଣୁ ଦଙ୍ଗାକାରୀଙ୍କ ବେଆଇନ ନିର୍ମାଣସ୍ଥଳ ଚିହ୍ନଟ କରି ଉଚ୍ଛେଦ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ପୂର୍ବରୁ ରାମନବମୀ ଅବସରରେ ମଧ୍ୟପ୍ରଦେଶ ଖାରଗୋନ୍‌ ଦଙ୍ଗାରେ ଯେଉମାନେ ସମ୍ପୃକ୍ତ ଥିଲେ ସେମାନେ ବେଆଇନ୍ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା। ଗତ ଶନିବାର ଦିଲ୍ଲୀର ଜାହାଙ୍ଗିରପୁରୀରେ ହୋଇଥିବା ହିଂସାରେ ୯ ଜଣ ଆହତ ହୋଇଛନ୍ତି । ଦିଲ୍ଲୀ ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ଅନ୍ୟପଟେ ଅନ୍ୟପଟେ ସିସିଟିଭି ଫୁଟେଜ୍ ଆଧାରରେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଲାଗିଛି । ମଙ୍ଗଳବାର ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ହିଂସା ଅଭିଯୋଗରେ ଗୁଲାମ ରସୁଲ ଓରଫ ଗୁଲିଙ୍କୁ ଗିରଫ କରିଛି।

ଗୁଲାମ ରସୁଲ ସୋନୁ ଶେଖଙ୍କୁ ଆକ୍ରମଣ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଉଭୟ ସମ୍ପ୍ରଦାୟରୁ ୨୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଏବଂ ୫ଟି ଖଣ୍ଡା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯାଇଛି ।

Related Posts