ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଏବେ ମଇଦାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଲାଣି । ରାଜ୍ୟର ୩ ଦଳ ନିଜର ପ୍ରାର୍ଥୀ ମଧ୍ୟ ଘୋଷଣା କରି ସାରିଛନ୍ତି। ଏବେ ଲଢେଇର ସମୟ ଆସିଛି। ଏଥିପାଇଁ ଏବେ ନେତାଙ୍କ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ବିଜେଡି ନେତା ତଥା ରାଜ୍ୟର ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବିରୋଧୀ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଅତନୁ କହିଛନ୍ତି ଯେ, ଧାମନଗର ଉପନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ କିଏ ରହିବ ସେ ନେଇ ପ୍ରତିଯୋଗିତା ଚାଲିଛି l ଧାମନଗରବାସି ବିଜୁ ଜନତା ଦଳ ସହ ଅଛନ୍ତି l ବିଜୟ ବ୍ୟବଧାନ କେତେ ଅଧିକ ହେବ ସେ ନେଇ ବିଜେଡି କାମ କରୁଛି ବୋଲି ଅତନୁ କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସବୁ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି l କାରଣ ବିଜେଡି ଓଡ଼ିଶାବାସୀଙ୍କ ଦଳ l ବିଜେପି ଦଳ ଯେଉଁ ବାହାସ୍ପଟ ମାରୁଛି ତାହା ବ୍ରଜରାଜନଗର ଉପ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି l ବିଜେପି ତୃତୀୟ ସ୍ଥାନକୁ ଚାଲି ଯାଇଛି l ବାଲେଶ୍ବର ଆସନ ବିଜେପି ଜିତିଥିଲା, ଉପନିର୍ବାଚନରେ ସେଠି ବି ବିଜେଡ଼ିକୁ ଲୋକେ ସମର୍ଥନ କରି ଜିତାଇଲେ l ଧାମନଗରରେ ବି ବିଜେଡିର ଜିତାପଟ ହେବ l ମିଶନ ଶକ୍ତିରେ ଆଜି ୭୫ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମିଳା ବିଶୋଇଙ୍କୁ ସଂସଦ ପଠାଇବା ପରେ ଲୋକସଭାର ବାଚସ୍ପତି ମଧ୍ୟ ପ୍ରଶଂସା କରିଛନ୍ତି ବୋଲି ଅତନୁ କହିଛନ୍ତି।
