ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ପ୍ରଥମେ ଦିବଂଗତ ସଦସ୍ୟ ମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ସନ୍ଧ୍ୟା ୫ଟାରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଗତ ହୋଇଥିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍। ବଜେଟ ଆଗତ କରିଥିଲେ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ। ଅର୍ଥମନ୍ତ୍ରୀ ପଦମପୁର ପ୍ରଚାରରେ ଥିବାରୁ ଆଗତ କଲେ ପଞ୍ଚାୟତି ରାଜ ମନ୍ତ୍ରୀ । ଯାହାକୁ ନେଇ ଗୃହ ଆରମ୍ଭରୁ ଶାସକ ଦଳ ଉପରେ ବର୍ଷିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ଅର୍ଥମନ୍ତ୍ରୀଙ୍କ ବିନା ଅନୁପସ୍ଥିତିରେ ଗୃହରେ ଆଉ କିଏ ବଜେଟ ଉପସ୍ଥାପନ କରିବେ ତାହା ଗଣତନ୍ତ୍ରକୁ ହତ୍ୟା । ଏହା ଖାଲି ଗୃହର ନୁହେଁ ରାଜ୍ୟ ପାଇଁ ଦୁର୍ଭାଗ୍ୟ । ବିଧାନସଭାକୁ ପଛରେ ପକାଇ ସେମାନେ ଉପନିର୍ବାଚନରେ ମାତିବା ବିଜେଡି ପାଇଁ ପଡିବ ମହଙ୍ଗା । ରାଜ୍ୟବାସୀ ସଠିକ୍ ସମୟରେ ଜବାବ ଦେବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ।
ଅତିରିକ୍ତ ବଜେଟ୍ ଆଗତ ସମୟରେ ଗୃହରେ ଉଠିଥିଲା ଅର୍ଚ୍ଚନା ପ୍ରସଙ୍ଗ।ଅର୍ଚ୍ଚନା ନାଗ ମାମଲାକୁ ନେଇ କଂଗ୍ରେସ ଓ ବିଜେପି ଗୃହରେ ହୋହାଲ୍ଲା କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଥିଲେ ।
ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ନରସିଂହ ମିଶ୍ର । ସେ କହିଥିଲେ ଯେ, ‘ଇଡି ତଦନ୍ତ ଠିକ ଚାଲିଛି , ପୋଲିସ ଯାହାକୁ ଛାଡିଥିଲା ଇଡି ବାନ୍ଧିଛି’ । ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିବା କହିଲେ ନରସିଂହ ।ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ନରସିଂହ ।
ସେପଟେ ବିଜେପି ପକ୍ଷରୁ ମୋହନ ମାଝୀ ବି ଅର୍ଚ୍ଚନା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲା ବିଜେପି ।
ଏହାପରେ ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିରୋଧୀ ଦଳ ଜୋରଦାର ହୋହଲ୍ଲା, ହଟ୍ଟଗୋଳ କରିଥିଲେ। ଫଳରେ ଆସନ୍ତା କଲି ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି ।





