ବିପଦରେ ଜଳସମ୍ପଦ ! ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା କଂଗ୍ରେସ

ସତ୍ୟପାଠ ବ୍ୟୁରୋ : ଯେବେଠାରୁ ମହାନଦୀ ପ୍ରସଙ୍ଗ ବା ବିବାଦ ଗଣମାଧ୍ୟମରେ ସାମ୍ନାକୁ ଆସିଛି, ସେବେଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ ବିଗତ ୨୦ବର୍ଷ ଭିତରେ ୧୫ରୁ ୧୭ବର୍ଷ ଜଳସମ୍ପଦ ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ କରଛନ୍ତିି ସେ ଏକ ଐତିହାସିକ ବକ୍ତବ୍ୟ ଦେଇ ଆସୁଛନ୍ତି, ମହାନଦୀରୁ ବିନ୍ଦୁଏ ମାତ୍ର ଜଳ ଦିଆଯିବ ନାହିଁ ଓ ଜୀବନର ଶେଷ ରକ୍ତବିନ୍ଦୁ ଥିବା ଯାଏ ସେ ମହାନଦୀ ଓ ଓଡିଶାର ଜଳସମ୍ପଦ ପାଇଁ ଲଢ଼େଇ କରିବେ । କିନ୍ତୁ ବାସ୍ତବ ଚିତ୍ର କଣ ତାହା କଳ୍ପନାରୁ ବାହାରେ । ନୀତି ଆୟେଗାର ରିପୋର୍ଟରେ ଓଡିଶାର ସ୍ଥାନ କିଭଳି ତଳକୁ ତଳକୁ ଖସି ଚାଲିଛି ତାହାର ଖୁଲାସା କରିଛି ପ୍ରଦେଶ କଂଗ୍ରେସ । ପିସିସି ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏହାସହ ରାଜ୍ୟରେ ୫ଟି କିଭଳି କାର୍ଯ୍ୟ କରୁଛି ତାହା ବି ଦର୍ଶାଇଛନ୍ତି ।

ନୀତି ଆୟୋଗ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାର୍ବଜନୀନ କରିଛନ୍ତି । ସେ ରିପୋର୍ଟରେ ସମନ୍ୱିତ ଜଳ ପରିଚାଳନା ଇଣ୍ଡେକ୍ସରେ ଓଡିଶାର ସ୍ଥାନ ବାବଦରେ ଦର୍ଶାଯାଇଛି । ଏହି ଇଣ୍ଡେକ୍ସ ଏମିତି ଏକ ବ୍ୟବସ୍ଥା ଯେଉଁଥିରେ ରାଜ୍ୟମାନେ ତାଙ୍କ ଜଳ ସଂଶାଧନ କିଭଳି ଭାବେ ପରିଚାଳନା କରୁଛନ୍ତି ତାର ଏକ ପରିମାପକ କରାଯାଇଥାଏ । ହେଲେ ଏଥିରେ ଓଡିଶାର ସ୍ଥାନ ପ୍ରତିବର୍ଷ ତଳକୁ ତଳ ଚାଲି ଯାଉଛି । ୨୦୧୫ ଠାରୁ ଚାରିବର୍ଷ ଧରି ଲଗାତାର ଓଡିଶା ୪ନମ୍ବର ତଳକୁ ଯାଇଛି । ୨୦୧୫-୧୬ରେ ଓଡିଶାର ସ୍ଥାନ ୯ ଥିବା ବେଳେ ୨୦୧୬-୧୭ରେ ଏହା ୧୩କୁ ଖସି ଆସିଥିଲା । ଆଉ ଗତକାଲି ପ୍ରକାଶିତ ୨୦୧୭-୧୮ରେ ଏହା ୧୪କୁ ଚାଲି ଆସିଛି ।
ଏକଥା ନୁହେଁ ଯେ ଏହା ରାଜ୍ୟ ସରକାର ଜାଣି ନାହାଁନ୍ତି, ସମସ୍ତେ ଜାଣିଛନ୍ତି । କାରଣ ଗତ୧୯-୦୮-୨୦୧୯ରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ପିକେ ଦାସ ଜଳ ବିଭାଗୀୟ ସମସ୍ତ ବିଭାଗକୁ ସଚିବଙ୍କୁ ଏ ବାବଦରେ ସମୀକ୍ଷା ପାଇଁ ଚିଠି ଲେଖିଛନ୍ତି । ଚିଠିରେ ନୀତି ଆୟୋଗର ଏ ଇଣ୍ଡେକ୍ସ ବାବଦରେ ବି ବୁଝାଇଛନ୍ତି । ଜଳସେଚନ କିଭଳି ହେଉଛି, ପାନୀୟଜଳର ବ୍ୟବସ୍ଥା ସହ ପଲିସି ଓ ଗଭର୍ଣ୍ଣାନ୍ସ ବାବଦରେ ବି କୁହାଯାଉଛି । ଜୁନ ୨୦୧୮ ରେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ କିଭଳି ଓଡିଶାର ସ୍ଥାନ ବାରମ୍ବାର ଖସୁଛି ତାହା ବି ଜଣାଇ ଦିଆଯାଇଛି । ଆଗାମୀ ୨୬ ଅଗଷ୍ଟ ୨୦୧୯ରେ ବିଭାଗୀୟ ସଚିବ ମାନଙ୍କର ଏନେଇ ବୈଠକର ହେଉଛି ଓ ସେଥିରେ ଏ ବାବଦରେ ସମୀକ୍ଷା ହେବ ବୋଲି ସୂଚନା ଦିଆଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୮ ଜୁନରେ ଆସିଥିବା ନୀତି ଆୟୋଗର ରିପୋର୍ଟକୁ ନେଇ ୨୦୧୯ ଅଗଷ୍ଟରେ ସମୀକ୍ଷା ପାଇଁ ଡକାଯାଇଛି । ଯାହାକୁ ନେଇ ବର୍ଷିଛି କଂଗ୍ରେସ ।
ସତ୍ୟପ୍ରକାଶ କହିଛନ୍ତି, ରାଜ୍ୟ ସରକାର ‘5T’ର କଥା ଦୋହରାଉଛନ୍ତି । ଯାହାର ପ୍ରଥମ କଥା ହେଉଛି ଟାଇମିଂ ବା ସମୟ । କିନ୍ତୁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଏ ‘5T’ର ପ୍ରଥମ ପାହାଚରେ ଝୁଂଟିପଡିଛି । ୨୦୧୯ର ରିପୋର୍ଟ ଗତକାଲି ଠାରୁ ପ୍ରକାଶିତ ହେଲାଣି ଅଥଚ ବିଭାଗ ୨୦୧୮ ର ରିପୋର୍ଟକୁ ତର୍ଜମା କରିବାକୁ ବୈଠକ ଡାକୁଛି । ଚିଠି ଆସିଲାଣି ୨୦୧୮ଜୁନରୁ, ବୈଠକ ହେଉଛି ୨୦୧୯ ଅଗଷ୍ଟରେ । ଏହା କଣ ‘5T’ର ଆଦର୍ଶ କି ବୋଲି ସତ୍ୟ ପଚାରିଛନ୍ତି । ରିପୋର୍ଟ କହୁଛି ୧୭ଟି ନନ୍ ହିମାଳୟନ ରାଜ୍ୟରୁ ଓଡିଶାର ପ୍ରଦର୍ଶନ ସବୁଠୁ ଖରାପ ଓ ଏହା ତୀବ୍ର ଗତିରେ ଅଧୋଗତିକୁ ଯାଇଛି । ବଡକଥା ହେଉଛି, ବିଗତ ୧୦ବର୍ଷ ହେଲା ଜଳସମ୍ପଦ ବିଭାଗକୁ ନିଜ ପାଖରେ ରଖିଥିଲେ ମୁଖ୍ୟମନ୍ତ୍ରୀ । ବଛାବଛା ଆଇଏଏସ ଅଧିକାରୀଙ୍କୁ ସଚିବ କରାଗଲା । ଏବେ ରାଜ୍ୟର ଯେଉଁ ପ୍ରଦର୍ଶନ ଖରାପ ହୋଇଛି, ତା ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସାର ଉକ୍ତ ସଚିବଙ୍କ ଠାରୁ ଜବାବ ମାଗିବେ କି ବୋଲି ସତ୍ୟ ପଚାରିଛନ୍ତିି ।

ସତ୍ୟପ୍ରକାଶ କହିଛନ୍ତି, ସୁରେଶ ମହାପାତ୍ରଙ୍କ ସମୟରେ ଓଡିଶାର ସ୍ଥାନ ୯ ଥିଲା, ୧୩କୁ ଖସିଲା । ପ୍ରଦୀପ ଜେନା ମହୋଦୟଙ୍କ ସମୟରେ ୧୩ରୁ ୧୪କୁ ଖସିଲା । ନବୀନ ବାବୁ ଏସବୁ ଜାଣିପାରି ନିଜ ମୁଣ୍ଡରୁ ଖସାଇଦେଇଛନ୍ତି । ଏ ଚିଠିରେ ସ୍ପଷ୍ଟ ଲେଖାଯାଇଛି, ପ୍ରତ୍ୟେକ ରାଜ୍ୟ, ଜଳାଶୟ, ନଦୀ, ନାଳର ସୁରକ୍ଷା କରିବେ, ଯେମିତି ଏହା ଜବରଦଖଲ ନହେବ ଏବଂ ଏଥିପାଇଁ ଆଇନ ବ୍ୟବସ୍ଥା ରହିବ । ଏହାକୁ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରାଯିବ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏଭଳି ନିୟମ ଅଛି, କିନ୍ତୁ ଓଡିଶା ଓ ତ୍ରିପୁରାରେ ସେମିତି କିଛି ନାହିଁ । ୱାଟର ଡାଟା ସେଣ୍ଟର କରିବା ପାଇଁ କୁହାଗଲା । କିନ୍ତୁ ଓଡିଶା ସରକାର ଏଯାଏଁ ତାହା କଲେନାହିଁ । ‘5T’ ରେ ସ୍ୱଚ୍ଛତା କଥା କୁହାଯାଉଛି । କିନ୍ତୁ ସ୍ୱଚ୍ଛତା ପାଇଁ ଯେଉଁ ଡାଟା ଦରକାର ତାହା ସରକାର ଯୋଗାଉ ନାହାଁନ୍ତି । ଯାହାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି ।

Related Posts