କନ୍ୟାକୁମାରୀ: ହୋଟେଲ ରେ ହଜି ଗଲା କଂଗ୍ରେସ ସାଂସଦ ଙ୍କ ପେନ୍। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ବିଜୟ କୁମାର ଓରଫ ବିଜୟ ବସନ୍ତ । କନ୍ୟାକୁମାରୀରୁ କଂଗ୍ରେସ ସାଂସଦ ବିଜୟ ବସନ୍ତ କହିଛନ୍ତି, ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚେନ୍ନାଇର ଏକ ହୋଟେଲ ଯାଇଥିଲେ, ସେଠାରେ ତାଙ୍କର ପେନ୍ ହଜିଯାଇଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପେନ ସାଧାରଣ ନଥିଲା, ଏହାର ମୂଲ୍ୟର ଥିଲା ୧.୫୦ ଲକ୍ଷ ଟଙ୍କା।

ମଙ୍ଗଳବାର ଗୁଣ୍ଡୀ ପୋଲିସ ଥାନାରେ ଏନେଇ ଅଭିଯୋଗ କରିଛନ୍ତି କଂଗ୍ରେସ ସାଂସଦ । ନିଜ ଅଭିଯୋଗରେ ବିଜୟ ବସନ୍ତ କହିଛନ୍ତି, ତାଙ୍କ ସ୍ୱର୍ଗତଃ ପିତା ଏଚ.ବସନ୍ତ କୁମାର ତାଙ୍କୁ ଏହି ପେନ ଦେଇଥିଲେ । ହଜିଯାଇଥିବା ପେନ ତାଙ୍କ ପାଇଁ ସ୍ପେଶାଲ ଥିବା ସେ କହିଛନ୍ତି ।

ବସନ୍ତ କହିଛନ୍ତି, ତାଙ୍କ ସ୍ୱର୍ଗତ ବାପା ଏହି ପେନକୁ ବ୍ୟବହାର କରୁଥିଲେ, ତାଙ୍କ ବିୟୋଗ ପରେ ମୁଁ ଏହାକୁ ବ୍ୟବହାର କରି ଆସୁଥିଲି । ଦୁଇ ବର୍ଷ ଧରି ମୋ ସହିତ ଥିଲା । ଗୁଣ୍ଡୀର ହୋଟଲରେ ପହଞ୍ଚିବା ସମୟରେ ପେନ୍ ମୋ ପାଖରେ ଥିଲେ କିନ୍ତୁ ପରେ ମୁଁ ଆଉ ପାଇ ନଥିଲି । ଏହି ବୈଠକରେ କଂଗ୍ରେସ ଏବଂ ଏହାର ମେଣ୍ଟର ଦଳର ସଦସ୍ୟ ଉପସ୍ଥିତ ଥିଲେ । ବାହାର ଲୋକ ଆସିବାର କୌଣସି ସୁଯୋଗ ନଥିଲା । ଏହି ଘଟଣା ବାବଦରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲି ଏବଂ ସିସିଟିଭ ଯାଞ୍ଚ ପାଇଁ କହିଥିଲି । କିନ୍ତୁ ପୋଲିସ ଅଭିଯୋଗ ପରେ ହିଁ ଯାଞ୍ଚ କରାଯିବ ବୋଲି ସେମାନେ କହିଥିବା ବସନ୍ତ କହିଛନ୍ତି ।

କଂଗ୍ରେସ ସାଂସଦ ବିଜୟ ବସନ୍ତ ପୋଲିସ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ପୋଲିସ ଖୁବଶୀଘ୍ର ପେନ ଖୋଜି ପାଇବ ବୋଲି ସେ ବିଶ୍ୱାସ ରଖିଛନ୍ତି।