କଂଗ୍ରେସର ପ୍ଲାନ୍‌ 2019: ମେଣ୍ଟ ସହ ଶତ୍ରୁତା ନୁହେଁ, ଉତ୍ତରପ୍ରଦେଶରେ ସାଙ୍ଗରେ ନୁହେଁ !

ରାଜସ୍ଥାନ ସମେତ 3ଟି ରାଜ୍ୟରେ ବିଜୟ ପରେ କଂଗ୍ରେସ 2019 ପାଇଁ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛି । 2017ରେ କଂଗ୍ରେସର ମଙ୍ଗ ଧରିଥିବା ରାହୁଲ ଗାନ୍ଧି ସବୁ ପୋଖତ୍‌ ରଣନୀତି ସହ ନିଜ ଦଳକୁ ଶୀର୍ଷ ଯାଏଁ ନେଇଯିବା ପାଇଁ ରଣନୀତି କରିବାରେ ଲାଗି ପଡ଼ିଛନ୍ତି । ରାଜସ୍ଥାନ ସମେତ 3ଟି ରାଜ୍ୟରେ ମିଳିଥିବା ସଫଳତା କଂଗ୍ରେସକୁ ଦେଇଛି ନୂଆ ଫର୍ମୁଲା ।

ଏବେ ଦଳ ସବୁ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ରଣନୀତି ଉପରେ କାମ କରୁଛି । ଉତ୍ତରପ୍ରଦେଶରେ ବୁଆ-ବବୁଆଙ୍କ ମେଣ୍ଟରୁ ଦୂରତା ରଖି ବନ୍ଧୁତ୍ବପୂର୍ଣ୍ଣ ସଂଘର୍ଷର ସଙ୍କେତ ଦେଇଛି କଂଗ୍ରେସ । ସେପଟେ କଂଗ୍ରେସ ଉତ୍ତରପ୍ରଦେଶ ପରେ ଦ୍ବିତୀୟ ସବୁଠାରୁ ବଡ଼ ରାଜ୍ୟ ମହାରାଷ୍ଟ୍ରରେ NCP ସହ ମେଣ୍ଟ କରୁଛି ।

ସୂତ୍ର ଅନୁସାରେ କଂଗ୍ରେସ-NCP ଭିତରେ 20-20 ଫର୍ମୁଲା ଉପରେ ସହମତି ହୋଇଛି । ମହାରାଷ୍ଟ୍ରର 48ରୁ40 ଆସନରେ ଉଭୟ ଦଳ ଏକାସାଙ୍ଗରେ ନିର୍ବାଚନ ଲଢ଼ିବାକୁ ସହମତ ହୋଇଛନ୍ତି । ପୁନେ ଓ ଅହମ୍ମଦନଗର ସମେତ 8ଟି ଆସନ ଉପରେ ଏବେ ଆଲୋଚନା ଚାଲିଛି ।

ଦେଶର ରାଜନୈତିକ ଭବିଷ୍ୟତ ସ୍ଥିର କରୁଥିବା ଉତ୍ତରପ୍ରଦେଶର କଥା କହିଲେ, ଗୋଟିଏ ପଟେ ଯେତେବେଳେ ମାୟା-ଅଖିଳେଶ-ଅଜିତ୍‌ ସିଂହଙ୍କ ତିନି ଜଣ ସାଙ୍ଗରେ ନିର୍ବାଚନ ଲଢ଼ିବାକୁ ପ୍ରାୟ ପ୍ରସ୍ତୁତ ଅଛନ୍ତି । ଶୁକ୍ରବାର ଦିଲ୍ଲୀରେ ମାୟାବତୀ ଓ ଅଖିଳେଶ ଯାଦବଙ୍କ ସାକ୍ଷାତ ପରେ ଉତ୍ତରପ୍ରଦେଶରେ ମେଣ୍ଟ ସ୍ଥିର ହୋଇସାରିଛି ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ଉତ୍ତରପ୍ରଦେଶରେ ବିଏସ୍‌ପି-36, ଏସ୍‌ପି 35ଟି ଆସନରେ ନିର୍ବାଚନ ଲଢ଼ିବେ । ଅଜିତ୍‌ ସିଂହଙ୍କ ଦଳ ଆର୍‌ଏଲ୍‌ଡିକୁ 3ଟି ଆସନ ମିଳିବ । ଉତ୍ତରପ୍ରଦେଶର 80 ଆସନରୁ 4ଟି ମେଣ୍ଟ ଆଧାରରେ ଖାଲି ରଖାଯିବ । ଆମେଥି ଓ ରାୟବରେଲୀ ଆସନରେ ମେଣ୍ଟର କୌଣସି ଦଳ ପ୍ରାର୍ଥୀ ଦେବେ ନାହିଁ । ଅର୍ଥାତ୍‌ କଂଗ୍ରେସ ଯଦିଓ ଉତ୍ତରପ୍ରଦେଶର ଏହି ମେଣ୍ଟର ଅଂଶ ନୁହେଁ, ତଥାପି ଏକଥା ନିଶ୍ଚିତ ଯେ ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି ମେଣ୍ଟ ସହ କଂଗ୍ରେସ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ଲଢ଼ିବ ।

ଉତ୍ତରପ୍ରଦେଶରେ କଂଗ୍ରେସର ଏକୁଟିଆ ନିର୍ବାଚନ ଲଢ଼ିବା ରଣନୀତିର ବହୁ କାରଣ ହୋଇପାରେ । ରାଜସ୍ଥାନ ସମେତ 3ଟି ରାଜ୍ୟରେ ନିର୍ବାଚନ ଜିତିବା ଫଳରେ କଂଗ୍ରେସର ମନୋବଳ ବଢ଼ିଛି । କେନ୍ଦ୍ରୀୟ ସ୍ତରରେ ମହାମେଣ୍ଟର କୌଣସି ନିର୍ଦ୍ଦିଷ୍ଟ ଆକାର ସ୍ଥିର ହୋଇପାରିନାହିଁ । କଂଗ୍ରେସକୁ ଲାଗୁଛି ଯେ ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପି ସହ ମେଣ୍ଟ କଲେ ଦଳକୁ ଖୁବ୍‌ କମ୍‌ ଆସନ ମିଳିବ । ଯଦିଓ ହିନ୍ଦୀ ଭାଷୀ ତିନିଟି ରାଜ୍ୟରେ ସରକାର ଚଳାଉଥିବା କଂଗ୍ରେସକୁ ଏବେ ଅଧିକ ଆସନ ଆବଶ୍ୟକ ।

ତାଠାରୁ ବି ବଡ଼ କଥା ହେଲା ଏସ୍‌ପି-ବିଏସ୍‌ପିଠାରୁ ଅଲଗା ଲଢ଼ି କଂଗ୍ରେସ ବିଜେପିକୁ ଅଧିକ କ୍ଷତି ପହଞ୍ଚାଇପାରେ । ଯାହା ହେଉ କଂଗ୍ରେସ ଉତ୍ତରପ୍ରଦେଶ ସମେତ ସବୁ ରାଜ୍ୟରେ ଶକ୍ତି ପ୍ରୋଜେକ୍ଟ ମାଧ୍ୟମରେ ବୁଥ୍‌ ସ୍ତରର ପଦାଧିକାରୀଙ୍କ ତଥ୍ୟ ଏକଜୁଟ କରୁଛି । କଂଗ୍ରେସର ରଣନୀତି ହେଲା ପ୍ରତି ବୁଥ୍‌ ସ୍ତରରେ 10 ଜଣ ସକ୍ରିୟ କର୍ମକର୍ତ୍ତାଙ୍କୁ ପ୍ରସ୍ତୁତ କରିବା । କହିବା ଭୁଲ ହେବ ନାହିଁ ଯେ ବୁଥ୍‌ ସ୍ତରର ମାଇକ୍ରୋ ପଲିଟିକ୍ସ ଏବେ କଂଗ୍ରେସ ବି ଶିଖିସାରିଛି । ଆଉ ଦଳ 2017ରେ ଗୁଜୁରାଟ ଓ 2018ରେ କର୍ଣ୍ଣାଟକ ସମେତ 3 ରାଜ୍ୟରେ ଏହି ଫର୍ମୁଲାରେ ନିଜର ପ୍ରଦର୍ଶନ ବି ସୁଧାରିପାରିଛି ।

Related Posts