‘ବିଜେଡ଼ି କୃଷକ ସେଲ୍‌ର କୁମ୍ଭୀର କାନ୍ଦଣା:ସଂସଦରୁ ପଳାୟନ, ବାହାରେ ଗର୍ଜନ’

କୃଷି ଓ କୃଷକଙ୍କ ଉନ୍ନତି ବାହାନାରେ ବିଜେଡି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । କୃଷକଙ୍କ ଉନ୍ନତି ଦିଗରେ କୌଣସି ଆନ୍ତରିକତା ଓ ଉଦ୍ୟମ ନ କରି କେବଳ ନିର୍ବାଚନ ସମୟରେ ବିଜେଡି କୃଷକ ତଥା ରାଜ୍ୟକୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଛି ।

ସୋମବାର ବିଜୁ ଜନତା ଦଳ ତରଫରୁ ସଫେଇ ଦିଆଯାଇଛି ଯେ, ଚକଡ଼ା ପୋକ ଏବଂ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ପାଇଁ ବିଜୁଜନତା ଦଳ ବହୁବାର ଉଦ୍ୟମ କରିଅଛି । କିନ୍ତୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । ସତ୍ୟପ୍ରକାଶ କହିଛନ୍ତି, କୀଟନାଶକ ଔଷଧର ମାନ ନିର୍ଦ୍ଧାରଣ ପାଇଁ ସମ୍ବଲପୁରରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି, କିନ୍ତୁ ୨ ବର୍ଷରୁ ଅଧିକ ସମୟ ବିତିବା ପରେ ବି ଏହା କାର୍ଯ୍ୟକ୍ଷମ ହୋଇନାହିଁ ।

ଭୁବନେଶ୍ୱରରେ ଥିବା ରାଜ୍ୟର ଏକମାତ୍ର କେନ୍ଦ୍ରରେ ଏବେ ମାତ୍ର ୩ଜଣ କର୍ମଚାରୀ ଅଛନ୍ତି । ପୁଣି ସେମାନଙ୍କ ମଧ୍ୟରୁ ଦୁଇଜଣ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଅଣପ୍ରଶିକ୍ଷିତ । ସମ୍ବଲପୁରର କେନ୍ଦ୍ରକୁ କାର୍ଯ୍ୟକ୍ଷମ ଓ ଭୁବନେଶ୍ବର କେନ୍ଦ୍ରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ରାଜ୍ୟ ସରକାର କୌଣସି ଉଦ୍ୟମ କରୁନାହାନ୍ତି ।

ଅନ୍ୟପଟେ କୃଷକଙ୍କ ସ୍ବାର୍ଥ କଥା କହି ବିଜେଡ଼ି କୁମ୍ଭୀର କାନ୍ଦଣା କାନ୍ଦୁଛି । ଯାହା କେବଳ ଧର୍ମକୁ ଆଖିଠାର । ଯଦି ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ପ୍ରତି ବିଜେଡି ତଥା ନବୀନ ସରକାରଙ୍କର ଏତେ ଦରଦ ତେବେ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ବିତର୍କରେ ଭାଗନେଇ ରାଜ୍ୟର କୃଷକଙ୍କ ସମସ୍ୟା ଉପରେ ଆଲୋଚନା ନକରି ଲାଙ୍ଗୁଡ଼ ଜାକି ପଳାୟନ କଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସତ୍ୟପ୍ରକାଶ ।

Related Posts