ଦୁଇ ସଚିବଙ୍କ ବିରୋଧରେ ସ୍ୟାଟରେ ଅଦାଲତ ଅବମାନନା ମାମଲା 

ସତ୍ୟପାଠ ବ୍ୟୁରୋ : ପ୍ରାଥମିକ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ଅଭିଯୋଗ ସଂପର୍କିତ ଦୁଇଟି ମାମଲାର ଶୁଣାଣି କରି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବତନ ସଚିବ ଉଷା ପାଢୀଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି।

୨୦୧୯, ଜୁନ୍ ୨୮ରେ ସ୍ୟାଟ୍ ମାମଲାର ଶୁଣାଣି କରି ୨୦୧୨, ମେ’ ୧୮ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ୨୦୧୯ ଜୁଲାଇ ଶେଷ ସୁଦ୍ଧା କାର‌୍ୟ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଏଥିରେ ଅବହେଳା କରାଯାଏ ତେବେ ପ୍ରତିପକ୍ଷ ପରବର୍ତ୍ତୀ ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ସ୍ୟାଟ୍ଙ୍କ ଜୁନ୍ ୨୮ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଥିଲା। ଆଜି ମାମଲାରେ ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୨୦୧୨, ମେ’ ୧୮ର ନିର୍ଦ୍ଦେଶ ଏ ପର‌୍ୟ୍ୟନ୍ତ କାର‌୍ୟ୍ୟକାରୀ କରାଯାଇ ନାହିଁ। ଅନ୍ୟପକ୍ଷରେ ପ୍ରତିପକ୍ଷ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ହାଇକୋର୍ଟରେ ରିଭ୍ୟୁ ପିଟିସନ୍ ଦାୟର କରାଯାଇଛି ବୋଲି ଦର୍ଶାଇ ଅଦାଲତ ଅବମାନନା ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ପ୍ରାର୍ଥନା କରିଥିଲେ। ସ୍ୟାଟ୍ ଏପରି ପ୍ରାର୍ଥନାକୁ ଅଗ୍ରାହ୍ୟ କରିବା ସହିତ ତତ୍କାଳୀନ ଗଣଶିକ୍ଷା ସଚିବ ଉଷା ପାଢୀଙ୍କ ବିରୋଧରେ ଗିରଫ ପରୱାନା ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୟାଟ୍ କାର‌୍ୟ୍ୟକାରୀ ଅଧ୍ୟକ୍ଷ ଜ୍ଞାନରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ମାମଲାର ଶୁଣାଣି କରି ପୂର୍ବରୁ ୨୦୧୫, ନଭେମ୍ବର ୨୪ରେ ସ୍ୟାଟ୍ ତତ୍କାଳୀନ ଗଣଶିକ୍ଷା ସଚିବ ଉଷା ପାଢୀଙ୍କ ନୂଆଦିଲ୍ଲୀସ୍ଥିତ ଠିକଣାରେ ଗିରଫ ପରୱାନା ଜାରି କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୌମେନ୍ଦ୍ର କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

୧୯୯୧ ମସିହାରେ ସାଲେପୁର ଶିକ୍ଷା ଜିଲ୍ଲା ଅଧୀନରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରସ୍ତୁତ ଗ୍ରେଡେସନ୍ ତାଲିକା ଅନୁଯାୟୀ ୧୯୯୨ରେ ୬୧୭ ନମ୍ବର ସ୍ଥାନ ପର‌୍ୟ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯାଇଥିଲା। କିନ୍ତୁ ତାଲିକାର ୩୧୭ ସ୍ଥାନରେ ଥିବା ଲୋକନାଥ କର ଓ ୫୧୪ ସ୍ଥାନରେ ଥିବା ରାଜଶ୍ରୀ ଜେନାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ନଥିଲା। ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି ଲୋକନାଥ କର ଓ ରାଜଶ୍ରୀ ଜେନା ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସେପଟେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ଅଦାଲତ ଅବମାନନା ମାମଲାର ଶୁଣାଣି କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ଅଗଷ୍ଟ ୩୦ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତ ଅବମାନନାର ଚାର୍ଜ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଯଦି ଅବହେଳା ହୁଏ ତେବେ ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରାଯିବ ବୋଲି ସ୍ୟାଟଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସ୍ୟାଟ୍ କାର‌୍ୟ୍ୟକାରୀ ଅଧ୍ୟକ୍ଷ ଜ୍ଞାନ ରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଶର୍ମିଷ୍ଠା ପାଢୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ ମାମଲା ପରିଚାଳନା କରୁଛନ୍ତି।

ରାଜ୍ୟ ସରକାରଙ୍କ ତିନୋଟି ବଡ଼ ମେଡ଼ିକାଲରେ ୧୧ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବି ପୂରଣ ନେଇ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ୨୦୧୫-୧୬ରେ ପ୍ରଥମେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ସୁପର ସ୍ପେଶାଲିଟି, ସ୍ପେଶାଲିଟି ଓ ଡେଣ୍ଟିଷ୍ଟ ସର୍ଜନ ପଦବି ପୂରଣ ପାଇଁ ଆବେଦନ ଆହ୍ବାନ କରାଯାଇଥିଲା। ଏହାପରେ ଓପିଏସସି ପକ୍ଷରୁ ବିଜ୍ଞପ୍ତିରେ ସଂଶୋଧନ କରାଯାଇ ପୁଣି ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିରେ ଏସସିବି, ଏମକେସିଜେ ପାଇଁ ୮ ପଦବି ଓ ବୁର୍ଲା ମେଡ଼ିକାଲ ପାଇଁ ୩ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଓପିଏସସି ଫଳ ପ୍ରକାଶ କରି କୃତକାର‌୍ୟ୍ୟ ହୋଇଥିବା ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ୮ଜଣଙ୍କ ଏସସିବି, ବ୍ରହ୍ମପୁର ଓ ସମ୍ବଲପୁର ନିମନ୍ତେ ୩ଜଣଙ୍କ ନାଁ ସରକାରଙ୍କୁ ସୁପାରିଶ କରିଥିଲା।

ଯେହେତୁ ୩ ପ୍ରାର୍ଥୀ ଉଭୟ ବିଜ୍ଞପ୍ତି ଅନୁଯାୟୀ କୃତକାର‌୍ୟ୍ୟ ହୋଇଛନ୍ତି; ତେଣୁ ଏହି ପଦବି ପୂରଣ ନିମନ୍ତେ ବିଚାରକୁ ନିଆଯାଇ ନିଯୁକ୍ତି ଦିଆଯାଉ ବୋଲି ପ୍ରାର୍ଥନା କରି ଡାକ୍ତର ଶର୍ମିଷ୍ଠା ପାଢୀ ସ୍ୟାଟରେ ଏକ ମାମଲା ଦାୟର କରିଥିଲେ। ସ୍ୟାଟ୍ ଏହି ପ୍ରସଙ୍ଗରେ ଶୁଣାଣି କରି ମାସକ ମଧ୍ୟରେ ଖାଲି ଥିବା ପଦବି ପୂରଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ୟାଟଙ୍କ ଆଦେଶକ୍ରମେ ସ୍ବାସ୍ଥ୍ୟ ବିଭାଗ ୨୦୧୭, ସେପ୍ଟେମ୍ବର ୧୨ରେ ଓପିଏସସିକୁ ଏକ ଚିଠି ଲେଖି ନାଁ ସୁପାରିଶ ପାଇଁ ଅନୁରୋଧ କରିଥିଲା। କିନ୍ତୁ ଆବେଦନକାରୀଙ୍କୁ ନିଯୁକ୍ତି ଦିଆଯାଇ ନଥିଲା। ଆବେଦନକାରୀ ସ୍ୟାଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ।

Related Posts