କ୍ରାଇମବ୍ରାଞ୍ଚ ଇଓଡବ୍ଲୁ କବ୍‌ଜାରେ ନିଯୁକ୍ତି ଠକେଇ ରାକେଟର ମାଷ୍ଟର ମାଇଣ୍ଡ, ୫ଟି ରାଜ୍ୟରେ ଚଳାଇଥିଲା ନେଟୱର୍କ

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): କ୍ରାଇମବ୍ରାଞ୍ଚ ଇଓଡବ୍ଲୁ କବ୍‌ଜାରେ ଦେଶର ସବୁଠୁ ବଡ ନିଯୁକ୍ତି ଠକେଇ ରାକେଟର ମାଷ୍ଟର ମାଇଣ୍ଡ। ଉତ୍ତରପ୍ରଦେଶ ଆଲିଗଡ଼ରୁ ଏହି ମାଷ୍ଟରମାଇଣ୍ଡକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହି ଠକର ନାମ ଜାଫର ଅହମ୍ମଦ ହୋଇଥିବାବେଳେ ସେ ଓଡ଼ିଶା ସମେତ ୫ଟି ରାଜ୍ୟରେ ଚଳାଇଥିଲା ନିଜର ନେଟୱର୍କ। ନକଲି ସରକାରୀ ୱେବସାଇଟ ଖୋଲି ପାଖାପାଖି ୫୦ ହଜାର ଚାକିରି ଆଶାୟୀଙ୍କଠୁ ଠକି ନେଇଛି କୋଟି କୋଟି ଟଙ୍କା। ଏନେଇ ଆଜି ସୂଚନା ଦେଇଛନ୍ତି ଇଓଡବ୍ଲୁ ଡିଆଇଜି ଜୟନାରାୟଣ ପଙ୍କଜ।

ତେବେ ପ୍ରଫେସନାଲମାନଙ୍କ ଭଳି ଶିକ୍ଷିତ ଇଂଜିନିୟର ଓ ୱେବସାଇଟ୍ ଡେଭେଲପରମାନଙ୍କ ସହାୟତାରେ ଚାଲିଥିଲା ଏହି ଲୁଟ୍। ଧରା ନପଡିବା ପାଇଁ ଏହି ଗ୍ୟାଙ୍ଗ ଶହେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ସହ ହଜାରେ ଫେକ ସିମ୍ ଏବଂ ୫ଶହରୁ ଅଧିକ ମୋବାଇଲ ବ୍ୟବହାର କରୁଥିଲେ। ପୁଲିସର ଗତିବିଧି ଟ୍ରାକ୍ କରିବା ପାଇଁ କଲ ସେଣ୍ଟର ଖୋଲି ୫୦ ପିଲାଙ୍କୁ ଦରମା ଦେଇ ରଖିଥିଲେ। ପୁଲିସ ହାତରେ ଧରା ନ ପଡ଼ିବା ନିମନ୍ତେ ଏହି ନେଟଓ଼୍ୱର୍କକୁ ଅଭିଯୁକ୍ତ ଜାଫର ଆଲିଗଡରୁ ହିଁ ଅପରେଟ କରୁଥିଲା।

ଇଓଡବ୍ଲୁ ଡିଆଇଜି କହିଛନ୍ତି ଯେ, ବିଟେକ୍‌ ପାସ୍ କରିଥିବା ପ୍ରାୟ ୩ ବ୍ୟକ୍ତି ଓ ଜଣେ ୱେବ୍‌ସାଇଟ୍ ଏକ୍ସପଟଙ୍କୁ ନେଇ ଏହି ଠକର ଟିମ୍ ଚାଲୁଥିଲା। ପ୍ରାୟ ୨ ବର୍ଷ ହେବ ସେମାନେ ଅଭିନବ ଉପାୟରେ ନିଯୁକ୍ତି ବିଜ୍ଞାପନ ଦେଇ ଯୁବକଯୁବତୀମାନଙ୍କୁ ଠକୁଥିଲେ। ଏହି ଠକମାନେ ତିଆରି କରୁଥିବା ୱେବ୍‌ସାଇଟ୍‌କୁ ପୂରା ସରକାରୀ ଢାଞ୍ଚାରେ ପ୍ରସ୍ତୁତ କରୁଥିଲେ। ଯେପରି ଏହି ୱେବସାଇଟ୍ ଭିଜିଟ୍ କରୁଥିବା ଲୋକେ ଏହା ସରକାରୀ ୱେବ୍‌ସାଇଟ୍‌ ବୋଲି ଭାବି ଠକାମୀ ଜାଲରେ ଫସି ଯିବେ। ଓଡ଼ିଶା ସମେତ ୫ ରାଜ୍ୟ ପଶ୍ଚିମବଙ୍ଗ, ଗୁଜୁରାଟ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ବିଶେଷ ଭାବେ ଏହି ଠକେଇ ଗ୍ୟାଙ୍ଗ ଚାଲିଥିଲା। ଚାକିରି ପାଇବା ନିମନ୍ତେ ରେଜିଷ୍ଟେସନ ଫି, ପ୍ରବେଶିକା ଫି, ତାଲିମ ଫି, ଅଫର ଲେଟର ଫି ଏଭଳି ବିଭିନ୍ନ ପର୍ଯ୍ୟୟରେ ପ୍ରତି ଲୋକଙ୍କ ଠାରୁ ୩ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଠକି ନେଇଥାନ୍ତି।

ରାକେଟ ଚଳାଇବା ନିମନ୍ତେ ପ୍ରାୟ ୧ ହଜାର ଫେକ୍ ସିମ୍ ବ୍ୟବହାର କରୁଥିଲେ। ସିମ୍‌ଗୁଡ଼ିକ ବ୍ୟବହାର ନିମନ୍ତ ୫୩୮ଟି ମୋବାଇଲ ବ୍ୟବହାର କରୁଥିଲେ। ସେହିପରି ବିଭିନ୍ନ ଲୋକଙ୍କ ଡକ୍ୟୁମେଣ୍ଟ ଠକମାନେ ହାତେଇବା ପରେ ପ୍ରାୟ ୧୦୦ରୁ ଅଧିକ ଫେକ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି କାରବାର ଚଳାଉଥିଲେ। ଠକେଇରେ ବ୍ୟବହୃତ ସିମ୍, ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଜବତ କରାଯାଇଛି।

ମାମଲାର ଅଧିକ ତଦନ୍ତ ପାଇଁ ଇଓଡବ୍ଲୁ ୫ ଦିନିଆ ରିମାଣ୍ଡରେ ଜାଫରକୁ ଆଣିଛି। ଠକେଇରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରହିଛି ବୋଲି ଇଓଡବ୍ଲୁ ଡିଆଇଜି କହିଛନ୍ତି।

Related Posts