ଲାକ୍ଷାଦ୍ଵୀପ ବିଜେପିରେ ସଙ୍କଟ, ଆଡମିନିଷ୍ଟ୍ରେଟର ପ୍ରଫୁଲ୍ଲ ଖୋଡା ନୂଆ ଆଇନକୁ ବିରୋଧ, ୮ ଯୁବମୋର୍ଚ୍ଚା ସଦସ୍ୟଙ୍କ ଇସ୍ତଫା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲାକ୍ଷାଦ୍ଵୀପରେ ବିଜେପିକୁ ବଡ ଝଟକା। ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚାର ଆଠଜଣ ସଦସ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ନେତା ଶଶି ଥରୁର ସେୟାର କରିଥିବା ଚିଠିରୁ ଏ ସମ୍ପର୍କରେ ସୂଚନା ମିଳିଛି। ଗତ କିଛିଦିନ ହେବ ଲାକ୍ଷାଦ୍ଵୀପ ଆଡମିନଷ୍ଟ୍ରେଟର ପ୍ରଫୁଲ୍ଲ ଖୋଡା ପଟେଲଙ୍କ ଦ୍ବାରା ଅଣାଯାଇଥିବା ବିବାଦୀୟ ଆଇନକୁ ନେଇ ଏବେ ରାଜନୀତି ଜୋର ଧରିଛି। ଏହି ଆଇନକୁ ସେଠାକାର ବାସିନ୍ଦା ଓ ରାଜନେତା ବିରୋଧ କରୁଥିବା ବେଳେ କେରଳରେ ମଧ୍ୟ ଏହାକୁ ଜୋରଦାର ବିରୋଧ କରାଯାଉଛି । ଆଡମିନଷ୍ଟ୍ରେଟର ପ୍ରଫୁଲ୍ଲ ଖୋଡା ପଟେଲ ତାଙ୍କ କାର୍ଯ୍ୟକାଳର ପ୍ରଥମ ପାଞ୍ଚ ମାସରେ ଏମିତି କିଛି ବିବାଦୀୟ ଆଇନ ଲାଗୁ କରିଛନ୍ତି ଏବଂ ଆଉ କିଛି ଡ୍ରାଫ୍ଟ ଆକାରରେ ରହିଛି ଯାହାର ବିରୋଧରେ ସୋସିଆଲ ମିଡିଆରେ ବଡ ଧରଣର କ୍ଯାମ୍ପେନ୍ ଆରମ୍ଭ ହୋଇଛି।

ପଟେଲଙ୍କ ଦ୍ବାରା ପ୍ରସ୍ତାବିତ ଗୋ-ହତ୍ୟା ନିଷେଧାଦେଶ, ସାରା ଦେଶରେ ଲାକ୍ଷାଦ୍ଵୀପରେ ସବୁଠାରୁ କମ୍ କ୍ରାଇମ୍ ରେଟ୍ ସତ୍ତ୍ୱେ ଏକ ପ୍ରିଭେନସନ୍ ଡିଟେକ୍ସନ ଲ’ ଏବଂ ଲ୍ୟାଣ୍ଡ ଡେଭଲପମେଣ୍ଟ ରେଗୁଲେସନ ଭଳି କିଛି ବିବାଦୀୟ ଆଇନ ରହିଛି। ବିରୋଧୀଙ୍କ ଆରୋପ ହେଉଛି ଗୁଜୁରାଟର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ତଥା ମୋଦୀ ଓ ଅମିତ ଶାହାଙ୍କ ଖାସ୍ କୁହାଯାଉଥିବା ପଟେଲ ଲାକ୍ଷାଦୀପ ର ମୁସଲିମ୍ ବହୁଳ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ବିଜେପିର ରାଜନୈତିକ ଏଜେଣ୍ଡା ଥୋପୁଛନ୍ତି। ବିଜେପିର ସାଧାରଣ ସମ୍ପାଦକ ପିପି ମହମ୍ମଦ ହାସିମଙ୍କ ସମେତ ଯୁବକ ମୋର୍ଚ୍ଚାର ନେତାମାନେ ସୋମବାର ଦିନ ଇସ୍ତଫା ପତ୍ର ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏପି ଅବଦୁଲ୍ଲା କୁଟିଙ୍କ ନିକଟକୁ ପଠାଇଛନ୍ତି। ସେମାନେ ଚେତାବନୀ ଦେଇଛନ୍ତି ଯେ ପଟେଲ ଲାକ୍ଷାଦ୍ଵୀପରେ ଶାନ୍ତି ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ବିଜେପିର ଲାକ୍ଷାଦ୍ଵୀପ ୟୁନିଟ୍ ର ସାଧାରଣ ସମ୍ପାଦକ ଏଚ୍.କେ ମହମ୍ମଦ କାସୀମ ମଧ୍ୟ ମୋଦୀଙ୍କୁ ଚିଠି ଲେଖି ପଟେଲଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନୂତନ ଆଇନ ନେଇ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ବିଜେପିର ଉଦ୍ୟମକୁ ପଟେଲ ସମର୍ଥନ କରୁନଥିବା ସେ ଅଭିଯୋଗ କରିଛନ୍ତି। କାସିମ କହିଛନ୍ତି ଯେ, ଦ୍ୱୀପପୁଞ୍ଜର ଲୋକଙ୍କର କିଛି ଅଭିଯୋଗରେ ସତ୍ୟତା ରହିଛି। ପଟେଲ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଲୋକ ଏବଂ ସେମାନଙ୍କର ନିର୍ବାଚିତ ପ୍ରତିନିଧିଙ୍କ ମତାମତ ନେବା ସର୍ବଦା ଭଲ। ” ସେଠାକାର ଅଧିବାସୀମାନଙ୍କ ଭୟ ହେଉଛି ଯେ ପଟେଲଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ଆରବ ସାଗରରେ ଥିବା ଦ୍ୱୀପପୁଞ୍ଜ ସମୂହର ସଂସ୍କୃତି ଏବଂ ପରିବେଶକୁ ପ୍ରଭାବିତ କରିବ। ଲାକ୍ଷାଦ୍ଵୀପ ବିକାଶ ପ୍ରାଧିକରଣ ନିୟମାବଳୀ, 2021 ନାମରେ ନାମିତ ଏହି ଡ୍ରାଫ୍ଟ ଦ୍ବାରା ବେସରକାରୀ ଯାହା ବେସରକାରୀ ଜମି ସରକାରଙ୍କ ଅଧୀନକୁ ଚାଲିଯିବ। ତେବେ ବିରୋଧୀଦଳ ନେତା ମାନେ ଏହାର ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ପଟେଲଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କିମ୍ବା ତାଙ୍କୁ ପଦରୁ ହଟା ଯାଉ ବୋଲି ଦାବି କରିଛନ୍ତି। ସେମାନେ ପଟେଲଙ୍କ ନିଷ୍ପତ୍ତି କୁ ଜନ ବିରୋଧୀ ବୋଲି କହିଛନ୍ତି। କେରଳର କଂଗ୍ରେସ ନେତା ଭି.ଟି. ବଳରାମ ଏହି ନିଷ୍ପତ୍ତି କୁ ବିରୋଧ କରି କହିଛନ୍ତି ଯେ ଦ୍ୱୀପପୁଞ୍ଜକୁ ଆଉ ଏକ କାଶ୍ମୀରରେ ପରିଣତ କରିବା ପାଇଁ “ସଙ୍ଘ ପାରିବାର ମିଶନ” ର ଏହା ଏକ ଅଂଶ। ଲାକ୍ଷାଦ୍ଵୀପ ଏବଂ କେରଳ ମଧ୍ୟରେ ଥିବା ପାରମ୍ପାରିକ ସମ୍ପର୍କର ଉଦାହରଣ ଦେଇ ଡିସେମ୍ବରରେ ପଟେଲ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ନିଆଯାଇଥିବା ଏହି ନିଷ୍ପତ୍ତି ବିରୁଦ୍ଧରେ କେରଳର ଅନେକ ନେତା ରାଷ୍ଟ୍ରପତିଙ୍କୁ ଚିଠି ଲେଖି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି । ସୋମବାର କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଏହି ନିଷ୍ପତ୍ତିର ବିରୋଧ କରିଛନ୍ତି । ଏନଡିଟିଭିର ରିପୋର୍ଟ ଅନୁଯାୟୀ ସେ କହିଛନ୍ତି, “ ଲାକ୍ଷାଦ୍ଵୀପର ଖବର ଅତ୍ୟନ୍ତ ଗମ୍ଭୀର। ସେଠାରେ ଥିବା ଦ୍ୱୀପପୁଞ୍ଜରେ ବାସ କରୁଥିବା ଲୋକଙ୍କ ଜୀବନ ଏବଂ ସଂସ୍କୃତି ପାଇଁ ଏହି ନିୟମ ଏକ ଆହ୍ବାନ ସୃଷ୍ଟି କରିଛି। ଏପରି ପଦକ୍ଷେପ ଗ୍ରହଣୀୟ ନୁହେଁ। ”

Related Posts