ପୁଣି ବିବାଦରେ କଟକ ମେୟର; କ୍ବାର୍ଟର୍ସକୁ ରାସ୍ତା ପାଇଁ ଐତିହାସିକ ଗଡ଼ଖାଇକୁ ପୋତିଦେଲେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକର ଐତିହାସିକ ବାରବାଟୀ ଦୁର୍ଗ ଚାରିପଟେ ରହିଥିବା ଗଡ଼ଖାଇକୁ ପୋତି ରାସ୍ତା କରାଯିବା ଭଳି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହାପରେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଗୋଟିଏପଟେ ଐତିହାସିକ ଗଡ଼ଖାଇର ପୁନରୁଦ୍ଧାର ପାଇଁ ପୂର୍ବରୁ କୋଟି କୋଟି ଟଙ୍କା ବ୍ୟୟ ହୋଇସାରିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ମଧ୍ୟ ପ୍ରସ୍ତୁତ ହେଉଛି। ଏଭଳି ସ୍ଥିତିରେ କେଉଁ କାରଣରୁ ଏବଂ କାହାର ସ୍ବାର୍ଥରେ ଗଡ଼ଖାଇକୁ ପୋତି ରାସ୍ତା ତିଆରି କରାଯାଉଛି, ତାହାକୁ ନେଇ ଏକ ବିରାଟ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

କଟକ ମେୟରଙ୍କ ସରକାରୀ କ୍ବାର୍ଟର୍ସ ପାଇଁ ଯେଉଁ ଘରକୁ ଏବେ ପ୍ରସ୍ତୁତ କରାଯାଉଛି (ଏସ୍‌ଓ-୬), ଠିକ୍ ତାର ସାମ୍ନାରେ ଗଡ଼ଖାଇକୁ ପୋତି ସିଧାସଳଖ ମହାନଦୀ ରିଂ ବନ୍ଧଙ୍କୁ ସଂଯୋଗ କରି ରାସ୍ତା ତିଆରି କାମ ଆରମ୍ଭ ହୋଇଛି। ଦୁଇପଟେ ବାଲିବସ୍ତା ଦିଆଯାଇ ମଝିରେ ମାଟି ପକାଇ ସମତୁଲ କରାଯାଉଛି। ମହାନଦୀ ରିଂ ବନ୍ଧରୁ ମେୟରଙ୍କ ସରକାରୀ କ୍ବାର୍ଟର୍ସରେ ସିଧା ପହଞ୍ଚିବା ପାଇଁ ଚାରିଚକିଆ ଗାଡ଼ି ଗଲାଭଳି ମଜବୁତ୍ ରାସ୍ତା ନିର୍ମାଣ ଚାଲିଛି। ସବୁ ନିୟମ, ଆଇନକାନୁନକୁ ଜଳାଞ୍ଜଳି ଦେଇ ଏଭଳି କାମ ପାଇଁ କିଏ ଅନୁମତି ଦେଇଛି, ଏଏସ୍‌ଆଇ ଏ ପ୍ରସଙ୍ଗରେ କାହିଁକି ନିରବ ରହିଛି, ତାହା ଏବେ ଏକ ବଡ଼ ବିବାଦର କାରଣ ହୋଇଛି। ପ୍ରଶାସନ କାହା ନିର୍ଦ୍ଦେଶରେ ଏବେ ଏଭଳି କାର୍ଯ୍ୟ କରୁଛି, ତାହା ବି ଏବେ ଚାରିଆଡ଼େ ଆଲୋଚନାର ପ୍ରସଙ୍ଗ ହୋଇଛି।

ସୂଚନାଯୋଗ୍ୟ ଯେ, ବାରବାଟୀ କିଲ୍ଲା ପରିସରରେ ଅନେକ ସରକାରୀ କ୍ବାର୍ଟର୍ସ ରହିଥିବା ବେଳେ ସେଠାରେ ବହୁ ବରିଷ୍ଠ ପୁଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ ଏବଂ ବିଚାରପତିମାନେ ରହି ଆସୁଛନ୍ତି। ଏମିତିକି ବାରବାଟୀ କିଲ୍ଲା ପରିସରରେ ପୂର୍ବରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କ୍ବାର୍ଟର୍ସ ମଧ୍ୟ ରହିଥିଲା। କିନ୍ତୁ, ଏହି ଐତିହାସିକ ସଂରକ୍ଷିତ ଅଞ୍ଚଳ ବିଭିନ୍ନ ନିୟମ ପରିସରଭୁକ୍ତ ହେବାପରେ ମୁଖ୍ୟ ବିଚାରପତିଙ୍କ କ୍ବାର୍ଟର୍ସକୁ କ୍ୟାଣ୍ଟନମେଣ୍ଟ୍ ରୋଡ୍‌କୁ ଉଠାଇ ନିଆଯାଇଛି ଓ ତାଙ୍କ ପୁରୁଣା କ୍ବାର୍ଟର୍ସକୁ ଏକ ମ୍ୟୁଜିୟମ୍‌ରେ ପରିଣତ କରାଯାଇଛି। ଦୁର୍ଗ ପରିସରରେ ରହିଥିବା ବରିଷ୍ଠ ଅଧିକାରୀ ମାନଙ୍କ କ୍ବାର୍ଟର୍ସ ସ୍ଥାନାନ୍ତର ପାଇଁ ମଧ୍ୟ ବିଭିନ୍ନ ସମୟରେ ଯୋଜନା ହୋଇଆସିଛି। ନିକଟରେ କଟକ ପୌର ନିଗମର କମିସନର ଭାବେ ଯୋଗ ଦେଇଥିବା ଆଇଏଏସ୍ ଅଧିକାରୀ ନିଖଲ୍ ପୱନ୍ କଲ୍ୟାଣ କିଲ୍ଲା ପରିସର ସରକାରୀ କ୍ବାର୍ଟର୍ସରେ ରହୁଥିବା ବେଳେ ମେୟର ସୁବାସ ଚନ୍ଦ୍ର ସିଂହଙ୍କ ପାଇଁ ଏସ୍‌ଓ-୬କୁ ପ୍ରସ୍ତୁତ କରାଯାଉଛି। କିନ୍ତୁ, ମେୟରଙ୍କ ପାଇଁ କ୍ବାର୍ଟର୍ସର ଆଧୁନିକୀକରଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ବିରୋଧର ସ୍ବର ଉଠିଛି। କ୍ବାର୍ଟର୍ସ ପରିସରରେ ଏକ ସମ୍ମିଳନୀ କକ୍ଷ ନିର୍ମାଣର ଆଇନଗତ ବୈଧତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଏସ୍‌ଆଇ ସଂରକ୍ଷିତ ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣର ଢାଞ୍ଚା ବଦଳାଇବାକୁ ହେଲେ ଏଥିପାଇଁ ପ୍ରାକ୍ ସ୍ବୀକୃତି ଆବଶ୍ୟକ। ମାତ୍ର, ବଗିଚା ପାଇଁ ଉଦ୍ଦିଷ୍ଟ ଅଞ୍ଚଳରେ ସମ୍ମିଳନୀ କକ୍ଷ ନିର୍ମାଣ ବିବାଦ ଭିତରେ ରହିଥିବା ବେଳେ ଏବେ ଐତିହାସିକ ଗଡ଼ଖାଇକୁ ପୋତି ରାସ୍ତା କରାଯିବା ଘଟଣା ସବୁ ସୀମାକୁ ପାର୍ କରିଯାଇଛି। ଦୀର୍ଘଦିନରୁ କିଲ୍ଲା ପରିସରରେ ମୁଖ୍ୟ ବିଚାରପତି, ବିଚାରପତି, ବରିଷ୍ଠ ପୁଲିସ, ପ୍ରଶାସନିକ ଅଧିକାରୀ ରହି ଆସୁଥିଲେ ମଧ୍ୟ ଗଡ଼ଖାଇକୁ ପୋତି ରାସ୍ତା କରିବାର ଉଦ୍ୟମ ହୋଇ ନଥିବା ବେଳେ ଏବେ ଏଭଳି କାର୍ଯ୍ୟ ପଛରେ କି ରହସ୍ୟ ଅଛି, ତାହାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

Related Posts