ଚେନ୍ନାଇ: ମାଣ୍ଡୋସ୍ ବାତ୍ୟା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୬ ଟି ଜିଲ୍ଲାର ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଦିନ ଚେନ୍ନାଇ, ଥିରୁଭାଲୁର, ଚେଙ୍ଗାଲପଟ୍ଟୁ, କାଞ୍ଚିପୁରମ, ଭେଲୋର ଏବଂ ରାନିପେଟିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ଆସନ୍ତାକାଲି (ଶୁକ୍ରବାର) ମଧ୍ୟରାତ୍ରିରେ ମାମଲାପୁରମ୍ ନିକଟସ୍ଥ ପୁଡୁଚେରୀ ଏବଂ ଶ୍ରୀହରିକୋଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍ ଅତିକ୍ରମ କରିବ ବୋଲି ଆଶା କରାଯାଉଛି।
ତାମିଲନାଡୁ ରାଜ୍ୟ ସରକାର ମାଣ୍ଡୋସ୍ ବାତ୍ୟା ପାଇଁ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍ ପ୍ରଭାବରେ ଘଣ୍ଟାପ୍ରତି ୮୫ କିଲୋମିଟର ବେଗରେ ପବନ ବହିବା ସହିତ ପୁଡୁଚେରୀ ଏବଂ ଶ୍ରୀହରିକୋଟା ମଧ୍ୟରେ ଏହି ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଶା କରାଯାଉଛି।
ଆଜିଠୁ ଶନିବାର ମଧ୍ୟରେ ତାମିଲନାଡୁରେ ବିଶେଷ କରି ଥାଞ୍ଜାଭୁର ଏବଂ କାଞ୍ଚିପୁରମ ଭଳି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ୧୦ଟି ୟୁନିଟ ଏହି ସବୁ ଜିଲ୍ଲାରେ ମୁତୟନ ଅଛନ୍ତି ଯେଉଁ ଜିଲ୍ଲା ସବୁ ବାତ୍ୟା ଦ୍ୱାରା ହେବାର ସମ୍ଭାବନା ରହିଛି।
ତାମିଲନାଡୁର ରାଜସ୍ୱ ମନ୍ତ୍ରୀ କେକେଏସଏସଆର ରାମଚନ୍ଦ୍ରନଙ୍କ ସୂଚନା ଅନୁଯାୟୀ ଚେନ୍ନାଇରେ ୧୬୯ଟି ରିଲିଫ ସେଣ୍ଟର ୧୨୧ଟି ବାତ୍ୟା ଆଶ୍ରୟସ୍ଥଳ ଏବଂ ୫୦୯୩ ରିଲିଫ କେନ୍ଦ୍ର ପ୍ରସ୍ତୁତ ଅଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଡିସେମ୍ବର ୯ ମଧ୍ୟରାତ୍ରିରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍ ପୁଡୁଚେରୀ ଏବଂ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଥିବାରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି
