ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା : ୩୩୨୩ ଗାଁକୁ ନାହିଁ ସବୁଦିନିଆ ରାସ୍ତା

ସତ୍ୟପାଠ ବ୍ୟୁରୋ : ରାଜ୍ୟର ୩୩୨୩ ଗାଁକୁ ରାସ୍ତା ନାହିଁ । ଏପରିକି ଅନେକ ସ୍ଥାନରେ ପଂଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ବି ପକ୍କା ସଡକ ନାହିଁ । ବିଧାନସଭାରେ ଆଜି ଏ ସମ୍ପର୍କିତ ଆଲୋଚନା ବେଳେ ଏହି ତଥ୍ୟ ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବିରୋଧୀଙ୍କ ସହ ଶାସକ ଦଳ ବିଧାୟକ ବି ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ । ଏହି ଯୋଜନାରେ ନିମ୍ନମାନର ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ବାଢ଼ିଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଫୋନୀ ପରେ ଭୁବନେଶ୍ୱର ଓ ଏହାର ଆଖପାଖ ଗାଁରେ ସ୍ଥିତି ସଂଗୀନ ଥିବା ବେଳେ ଏ ସବୁ ରାସ୍ତାର ମରାମତି ପାଇଁ ଦାବୀ କରିଥିଲେ । ସେହିଭଳି ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାସ୍ତାକୁ ପ୍ରଶସ୍ତୀକରଣ କରିବାକୁ ଦାବୀ କରିଥିଲେ ସୁର ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିଭିନ୍ନ ଗାଁକୁ ରାସ୍ତା ନଥିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ୨୦ବର୍ଷର ଶାସନରେ ବି ପଂଚାୟତ କାର୍ଯ୍ୟାଳୟ ଓ ଜନବସତିକୁ ସବୁ ଦିନିନଆ ରାସ୍ତା ନହୋଇ ପାରିବା ନେଇ ଉଦବେଗ ପ୍ରକାଶ କରିଥିଲେ । ଆଉ ସରକାରୀ ଦଳର ବିଧାୟକ ପ୍ରଦୀପ ମହାରଥୀ ତ ଆଉ ପାଦେ ଆଗକୁ ଯାଇ ମନ୍ତ୍ରୀଙ୍କୁ ଫିଲ୍ଡକୁ ଯିବାକୁ ପରାମର୍ଶ ଦେଇଥିଲେ ।

ମହାରଥୀ କହିଥିଲେ ତାଙ୍କ ନିର୍ବାଚନମଣ୍ଡଳୀରେ ବର୍ଷକ ତଳୁ ସେ ୭ଟି ରାସ୍ତାର ଶୁଭ ଦେଇଛନ୍ତି । ହେଲେ ସେ ରାସ୍ତା ନିର୍ମାଣ ଶେଷ ହେଉନି । ମାଟି ଓ ମୋରମରେ କାମ ଅଟକି ରହିଛି । ଜିଲ୍ଲାର ନିର୍ବାହୀ ଯନ୍ତ୍ରୀ କିଛି ବୁଝୁ ନାହାଁନ୍ତି କି କାହାଠୁ କୈଫିୟତ୍ ମାଗୁ ନାହାଁନ୍ତି । ଲୋକେ ବିରକ୍ତ ହେଉଛନ୍ତି । ଖାସ୍ ଏଇଥିପାଇଁ ୧୦ଟି କାମ ଆସିଥିଲେ ବି ଜାଣି ଶୁଣି ସେ ଆହୁରି ୩ଟି ରାସ୍ତାର ଶୁଭ ଦେଇ ନାହାଁନ୍ତି ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଏ ତମାମ ଅଭିଯୋଗର ଉତ୍ତର ରଖିଥିଲେ । ସେ କହିଥିଲେ ଯେ ଯେଉଁ ଠିକାଦାର ଟେଣ୍ଡର ନେଇ କାମ କରୁ ନାହାଁନ୍ତି ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଠିକାଦାରଙ୍କ ଠାରୁ ୧. ୨୧ କୋଟି ଆଦାୟ କରାଯାଇଛି ଏବଂ ନୂଆ ଟେଣ୍ଡର କରାଯାଇଛି । ତେବେ ନିମ୍ନମାନର କାମ ହେଉଥିବାର ଅଭିଯୋଗ କରିବା ପାଇଁ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ଅଭିଯୋଗ ପାଇଁ ଟୋଲ୍ ଫ୍ରି ନଂ (୯୪୩୭୦୩୪୨୧) ଦିଆଯିବ । ସମସ୍ତ ବ୍ଲକ୍, ପଂଚାୟତ ଓ ନିର୍ବାହୀ ଯନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ଏହି ନମ୍ବର ରହିବ । ଏହି ନମ୍ବରରେ ଅଭିଯୋଗ କରିଲେ ୭ ଦିନରେ ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ୬୦ ଦିନ ଭିତରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Related Posts