ବିପଦରେ କୋଟି କୋଟି ସ୍ମାର୍ଟଫୋନ୍‌ର ଡାଟା, ଫ୍ରାନ୍ସ ଗବେଷକ କଲେ ସାବଧାନ

ସ୍ମାର୍ଟ ଫୋନ୍‌ ବ୍ୟବହାରକାରୀ ସାବଧାନ । ଆପଣଙ୍କ ମୋବାଇଲ୍‌ ସ୍ମାର୍ଟଫୋନ୍‌ ବିପଦରେ ପଡ଼ିପାରେ । ଆଉ ଏହି ବିପଦ ଏକ ଏମିତି ‘ଆପ୍‌’ ଫଳରେ ହୋଇପାରେ ଯାହାକୁ ଏ ଯାଏଁ ବିଶ୍ବର ସବୁଠାରୁ ଅଧିକ ଡାଉନ୍‌ଲୋଡ କରାଯାଇଛି । ଅଧିକାଂଶ ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ ବ୍ୟବହାର ହୁଏ ।

ଆଉ ଅଧିକାଂଶ ବ୍ୟବହାରକାରୀ ନିଜ ସ୍ମାର୍ଟଫୋନ୍‌ରେ ଫାଇଲ୍‌ ମ୍ୟାନେଜମେଣ୍ଟ ପାଇଁ ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରନ୍ତି । ସବୁଠାରୁ ଲୋକପ୍ରିୟ ଫାଇଲ୍‌ ମ୍ୟାନେଜମେଣ୍ଟ ଆପ୍‌ ହେଉଛି ‘ES File Explorer’ । ଆଉ ଦାବି କରାଯାଉଛି ଯେ ଏହି ଆପ୍‌କୁ ବିଶ୍ବବ୍ୟାପୀ ପ୍ରାୟ 500 ମିଲିୟନ୍‌ ବା 50 କୋଟି ଥର ଡାଉନ୍‌ଲୋଡ୍‌ କରାଯାଇଛି । ଏହା ଏ ଯାଏଁ ସବୁଠାରୁ ଅଧିକ ଥର ବ୍ୟବହାର କରାଯାଇଥିବା ଆପ୍‌ । ଏହି ଆପ୍‌ ମାଧ୍ୟମରେ ମୋବାଇଲ୍‌ ସ୍ମାର୍ଟଫୋନ୍‌ ବା ଟ୍ୟାବଲେଟ୍‌ ବ୍ୟବହାରକାରୀଙ୍କର ଫାଇଲ୍‌, ଡାଟା ଓ ଡକ୍ୟୁମେଣ୍ଟ ମ୍ୟାନେଜ୍‌ କରନ୍ତି ।

ଏବେ ଫ୍ରାନ୍ସର ଜଣେ ଗବେଷକ Robert Baptist ଦାବି କରିଛନ୍ତି ଯେ ‘ES File Explorer’କୁ ହ୍ୟାକ୍‌ କରାଯାଇପାରେ । ସେ ନିଜ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ‘ES File Explorer’ ପାଖରେ ଏକ ଗୁପ୍ତ ସର୍ଭର ଅଛି, ଯାହା ବ୍ୟାକ୍‌ଗ୍ରାଉଣ୍ଡରେ ଚାଲେ ଏବଂ ଏହାକୁ କେହି ବି ହ୍ୟାକ୍‌ କରି ୟୁଜର୍ସଙ୍କ ସୂଚନା ଚୋରି କରିପାରେ ।

Robert Baptiste ହେଉଛନ୍ତି ସେହି ସିକ୍ୟୁରିଟି ଗବେଷକ ଯିଏ ଆମ ଭାରତର ‘ଆଧାର କାର୍ଡ’ ସିକ୍ୟୁରିଟିରେ ଥିବା ଦୁର୍ବଳତା ବାବଦରେ କହିଥିଲେ । ସେ ଦାବି କରିଥିଲେ ଯେ ଆଧାର ସୁରକ୍ଷିତ ନୁହେଁ ଏବଂ ଏହାର ଡାଟା ଚୋରି ହୋଇପାରେ । ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ୍‌ କରି କହିଥିଲେ ଯେ ତାଙ୍କର ୱେବ୍‌ସାଇଟ୍‌ରେ ଦୁର୍ବଳତା ଅଛି ଏବଂ ତାଙ୍କ ଡାଟାବେସ୍‌ ହ୍ୟାକ୍‌ କରାଯାଇପାରେ ।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରାଇଭେଟ୍‌ ମେସେଜ୍‌ରେ ଯୋଗାଯୋଗ କରିବାକୁ କହିଥିଲେ । ପରେ ସେ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଟିମ୍‌ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ୱେବ୍‌ସାଇଟ୍‌ରେ ଦୁର୍ବଳତା ଠିକ୍‌ କରାଯିବାର କାମ କରାଯାଉଛି ।

Robert Baptiste ଟ୍ବିଟ୍‌ କରି କହିଛନ୍ତି ଯେ 50 କୋଟି ଥର ଡାଉନ୍‌ଲୋଡ କରାଯାଇଥିବା ES File Explorer ଆପ୍‌ ସବୁଠାରୁ ଅଧିକ ଲୋକପ୍ରିୟ ଫାଇନ୍‌ ମ୍ୟାନେଜର । ତେବେ ଚିନ୍ତାର କଥା ହେଲା ଯଦି ଆପଣ ଥରେ ଏହି ଆପ୍‌କୁ ଖୋଲନ୍ତି ତେବେ ଆଉ କୌଣସି ଏକ ନେଟୱର୍କ ସହ ଯୋଡ଼ି ହୁଅନ୍ତି ତେବେ ତେବେ ଆପଣଙ୍କ ଫୋନ୍‌ରୁ ହ୍ୟାକର ଯେ କୌଣସି ତଥ୍ୟ ନେଇପାରିବ ।

ସେ ଏକ ଭିଡ଼ିଓ ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ ସେ ଡେମନଷ୍ଟ୍ରେସନ୍‌ କରି ଦେଖାଇଛନ୍ତି ଯେ କେମିତି ଏକ ସାଧାରଣ ସ୍କ୍ରିପ୍ଟ ମାଧ୍ୟମରେ ES File Explorerର ଦୁର୍ବଳତାର ଫାଇଦା ଉଠାଯାଇପାରେ । ଏଥିରୁ ଫୋନ୍‌ ନମ୍ବର, ଫଟୋ, ଭିଡ଼ିଓ, ଆପ୍ସ ଓ ମୋବାଇଲ୍‌ ଫୋନ୍‌ରେ ଥିବା ଅନ୍ୟ ଡାଟା ନେଇ ଯାଇପାରେ ।

ଆପଣଙ୍କୁ କହିରଖୁଛୁ ଏହି ଦୁର୍ବଳତାର ଫାଇଦା ସେତେବେଳେ ଉଠାଯାଇପାରିବ ଯେତେବେଳେ ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ଲୋକାଲ୍‌ ନେଟୱର୍କ ସହ ସଂଯୁକ୍ତ ହୁଅନ୍ତି ।
ଯଦି ଏହି ଫ୍ରେଞ୍ଚ ସିକ୍ୟୁରିଟି ଗବେଷକଙ୍କ ଦାବି ସତ ତେବେ ଏହା ଖୁବ୍‌ ଗୁରୁତର । ଏ ଯାଏଁ ସଂପୃକ୍ତ ଆପ୍‌ ପକ୍ଷରୁ ଏ ନେଇ କୌଣସି ବିବୃତି ଆସିନାହିଁ ।

Related Posts