ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ ପକ୍ଷରୁ ସାଙ୍ଘାତିକ ତଥ୍ୟ: ରାଜ୍ୟରେ ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲରେ ପିଲାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ

ଭୁବନେଶ୍ୱର: ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ ବା ନାସ୍ ପକ୍ଷରୁ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ପ୍ରକାଶ ପାଇଛି | ତେବେ ପ୍ରକାଶିତ ଏହି ରିପୋର୍ଟ ରେ ଓଡ଼ିଶାର ଶକ୍ଷ ବ୍ୟବସ୍ଥାକୁ ନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି | ୨୦୨୧ ରିପୋର୍ଟ ଅନୁସାରେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ଚିତ୍ର ଦର୍ଶାଯାଇଛି । ରାଜ୍ୟରେ ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲରେ ପିଲାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସହର ଓ ଗାଁ ପିଲାଙ୍କ ମଧ୍ୟରେ ମେଧାର ତାରତମ୍ୟ ଦେଖିବାକୁ ମଳିଛି । ଗତବର୍ଷ ନଭେମ୍ବରରେ କରୋନା ସମୟରେ ଏହି ସର୍ଭେ କରାଯାଇଥିଲା ।

କରୋନା କଟକଣା ଥିବାରୁ ସ୍କୁଲ ବନ୍ଦ ରହିଥିଲା । ଏହି ସମୟରେ ସହରର ପିଲା ଗାଁ ପିଲାମାନଙ୍କ ଅପେକ୍ଷା ଅଧିକ ଅନଲାଇନରେ ପାଠ ପଢିଥିବାରୁ ସହର ଓ ଗାଁ ମଧ୍ୟରେ ତାରତମ୍ୟ ଦେଖିବାକୁ ମିଳିଛି । ତୃତୀୟ ଶେଣ୍ରୀରେ ପଢୁଥିବା ସହର ପିଲାଙ୍କ ତୁଳନାରେ ଗଣିତ, ପରିବେଶ ବିଜ୍ଞାନ, ଭାଷାରେ ଗାଁ ପିଲାଙ୍କ ପ୍ରଦର୍ଶନ ଖରାପ ରହିଛି । ସଂଖ୍ୟା କହିପାରୁନାହାନ୍ତିି ତୃତୀୟ ଶ୍ରେଣୀ ପିଲା ।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଓ ଭାଷାରେ ଜାତୀୟ ହାରଠାରୁ ପଛରେ ଅଛନ୍ତି । ରାଜ୍ୟରେ ଇଂରାଜୀ ପଢିବାରେ ମଧ୍ୟ ଗାଁ ପିଲାଙ୍କ ଅପେକ୍ଷା ସହରୀ ପିଲାଙ୍କ ପ୍ରଦର୍ଶନ ଭଲ ରହିଛି । ୫୦୦ ପଏଣ୍ଟରୁ ଗାଁର ପିଲା ୨୬୪ ପଏଣ୍ଟ ପାଇଥିବା ବେଳେ ସହରୀ ପିଲାଙ୍କୁ ମିଳିଛି ୩୦୨ ପଏଂଟ । ଇଂରାଜୀ ପାଠପଢାରେ ଘରୋଇ ଓ ସରକାରୀ ସ୍କୁଲ ମଧ୍ୟରେ ପାର୍ଥକ୍ୟ ୬୩ ପଏଂଟ ରହିଛି ।

‘ନାସ୍’ ରିପୋର୍ଟରେ ଶିକ୍ଷାର ଚିତ୍ର : –

– ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ନେଇ ନାସ୍ ସର୍ଭେ
– ତୃତୀୟ, ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ସର୍ଭେ ହୋଇଥିଲା
– ଦେଶର ୧ ଲକ୍ଷ ୧୮ ହଜାର ୨୭୪ ସ୍କୁଲରୁ ୩୪ ଲକ୍ଷରୁ ଅଧିକ ପିଲାଙ୍କୁ ନେଇ ସର୍ଭେ
– ରିପୋର୍ଟ ଅନୁସାରେ ଦେଶର ୪୮ ପ୍ରତିଶତ ପିଲା ଚାଲି ଚାଲି ସ୍କୁଲ ଯାଉଛନ୍ତି
– ୧୮ ପ୍ରତିଶତ ପିଲା ସାଇକେଲରେ ସ୍କୁଲକୁ ଯାଉଛନ୍ତି
– ୯ ପ୍ରତିଶତ ପିଲା ସ୍କୁଲରେ ଗାଡିରେ ଯିବା ଆସିବା କରନ୍ତି
– ସ୍କୁଲ ଯାଉଥିବା ୧୮ ପ୍ରତିଶତ ପିଲାଙ୍କ ମା’ ଲେଖି ପଢି ପାରନ୍ତି ନାହିଁ
– ୭୨ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଘରେ ଡିଜିଟାଲ ଉପକରଣ ରହିଛି
– ୮୯ ପ୍ରତିଶତ ପିଲା ସ୍କୁଲରେ ପଢାଯାଉଥିବା ପାଠକୁ ପରିବାର ସହ ଆଲୋଚନା କରନ୍ତି

ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ ବା ନାସ୍ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ କୁ ନେଇ ଏବେ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଯୋଜନା ଉପରେ ଅଙ୍ଗୁଟି ଉଠିଛି | ତେବେ ଓଡିଶା ର ସରକାରୀ ସ୍କୁଲ ରେ ଏପରି ବିକଳ ସ୍ଥିତି ପାଇଁ ଦାୟୀ କିଏ ବୋଲି ଏବେ ଅଭିଭାବକଙ୍କ ମହଲରେ ପ୍ରଶ୍ନ ୟୁକି ମାରିଛି |

Related Posts