ଦିଲ୍ଲୀ ଏମ୍‌ସିଡି ନିର୍ବାଚନ; ଟିକେଟ ନ ମିଳିବାରୁ ବିଦ୍ୟୁତ୍ ଟାଓ୍ବାର ଉପରେ ଚଢ଼ିଗଲେ ଆପ୍ ନେତା, ବୁଝାସୁଝା କରି ତଳକୁ ଆଣିଲା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ପୌର ନିଗମ ( ଏମସିଡି ) ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ନ ମିଳିବାରୁ ଆପ୍‌ ନେତାଙ୍କ ହାଇଡ୍ରାମା । ବିଦ୍ୟୁତ୍‌ ଟାୱାର ଉପରେ ଚଢ଼ି ହଙ୍ଗାମା କରିବା ସହିତ ଦଳକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି ପୂର୍ବତନ କାଉନ୍‌ସିଲର୍‌ ହସୀବ୍‌-ଉଲ୍‌-ହସନ୍‌ । ତେବେ ପୋଲିସ ତାଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇବାରେ ନାକେଦମ୍‌ ହୋଇଛି । ଜଣେ ପୋଲିସ କର୍ମୀ ଟାୱାର ଉପରେ ଚଢ଼ି ତାଙ୍କୁ ଓହ୍ଲାଇବାକୁ କହୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଦିଲ୍ଲୀ ପୌର ନିଗମର ପୂର୍ବତନ ଆମ୍‌ ଆଦ୍‌ମି ପାର୍ଟି କାଉନ୍‌ସିଲର୍‌ ହସୀବ୍‌-ଉଲ୍‌-ହସନ୍‌ ଚଳିତ ଥର ଏମ୍‌ସିଡି ନିର୍ବାଚନ ଲଢ଼ିବା ପାଇଁ ଚାହୁଁଥିଲେ । ଟିକେଟ୍ ପାଇଁ ଚେଷ୍ଟା ବି ଚଳାଇଥିଲେ । ମାତ୍ର ଅନ୍ୟ ଜଣେ ନେତାଙ୍କୁ ଟିକେଟ୍‌ ମିଳିବା ପରେ ସେ ହତାଶ ହୋଇପଡ଼ିଥିଲେ । ଏହାପରେ ମେଟ୍ରୋ ଷ୍ଟେସନସ୍ଥିତ ଶାସ୍ତ୍ରୀ ପାର୍କ ନିକଟରେ ଥିବା ଏକ ବିଦ୍ୟୁତ୍‌ ଟାୱାରରେ ଚଢ଼ିଯାଇଥିଲେ । ଏନେଇ ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜଣେ ପୋଲିସ କର୍ମୀ ତାଙ୍କୁ ବୁଝାସୁଝା ପରେ ତଳକୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ହସନ୍ । ଓହ୍ଲାଇବା ପରେ ହସନ୍‌ ନିଜ ଦଳ ବିରୋଧରେ ଟିପ୍ପଣୀ ଦେଇଥିଲେ । ଦୀପୁ ଚୌଧୁରୀଙ୍କୁ ୩ କୋଟି ଟଙ୍କାରେ ଟିକେଟ୍‌ ବିକ୍ରି କରାଯାଇଥିବା ସେ ଅଭିଯୋଗ କରିଥିଲେ । ତାଙ୍କୁ ଟିକେଟ୍ ପାଇଁ ଟଙ୍କା ମଗାଯାଇଥିଲା ହେଲେ ହସନ୍ ଟଙ୍କା ଦେଇନପାରିବାରୁ ଦୀପୁ ଚୌଧୁରୀଙ୍କୁ ଟିକେଟ୍ ବିକ୍ରି କରାଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଏମ୍‌ସିଡି ନିର୍ବାଚନ ପାଇଁ ଆପ୍‌ ଶନିବାର ଦିନ ଏହାର ୧୧୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଡିସେମ୍ବର ୪ ତାରିଖରେ ଦିଲ୍ଲୀ ଏମ୍‌ସିଡିର ୨୫୦ଟି ୱାର୍ଡରେ ନିର୍ବାଚନ ହେବାକୁ ଯାଉଛି । ବର୍ତ୍ତମାନ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ନଭେମ୍ବର ୧୪ ଏଥିପାଇଁ ଶେଷ ତାରିଖ । ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ନଭେମ୍ବର ୧୯ ଶେଷ ତାରିଖ ଥିବା ବେଳେ ଡିସେମ୍ବର ୭ରେ ଭୋଟ୍‌ ଗଣତି ହେବ ।

Related Posts