ମୋଦୀଙ୍କୁ ପ୍ରଶଂସା କରିବାକୁ ମର୍ଯ୍ୟାଦାକୁ ତଳେ ପକାଇଥିଲେ, ପ୍ରତିବଦଳରେ ମିଳିଲା ପୁରସ୍କାର : ଜଷ୍ଟିସ ଅରୁଣ କୁମାର ମିଶ୍ର ହେଲେ NHRC ର ନୂତନ ଅଧ୍ୟକ୍ଷ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବାକୁ ଯାଇ ନିଜର ପଦ ମର୍ଯ୍ୟାଦାକୁ ତଳେ ପକାଇଥିଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରୁଣ କୁମାର ମିଶ୍ର । ଏବେ ତାଙ୍କୁ ଏହି ପ୍ରଶଂସାର ପୁରସ୍କାର ମିଳିଛି। ଜଷ୍ଟିସ ମିଶ୍ର ବର୍ତ୍ତମାନ ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ (NHRC) ର ନୂତନ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ ନାମ ସୁପାରିଶ କରି ୫ ଜଣିଆ ଚୟନ କମିଟିକୁ ପଠାଇଛନ୍ତି। ଏହି ଚୟନ କମିଟିରେ ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅଛନ୍ତି । ଅରୁଣ କୁମାର ମିଶ୍ର ମାନବ ଅଧିକାର ଆୟୋଗ (NHRC) ର ନୂତନ ଅଧ୍ୟକ୍ଷ ହେବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଫେବୃଆରୀ 2020 ରେ ଜଷ୍ଟିସ୍ ମିଶ୍ରଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସେହି ସମୟରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ପିଏମ୍ ମୋଦୀଙ୍କୁ ପ୍ରଶଂସା କରି “ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି” ଭାବରେ ବର୍ଣ୍ଣନା କରିଥିଲେ। ଏହାକୁ ନେଇ ସେ ସମୟରେ ଜୋରଦାର ବିବାଦ ଦେଖାଦେଇଥିଲା। ସୁପ୍ରିମକୋର୍ଟ ଭଳି ଏକ ସାମ୍ବିଧାନିକ ସଂସ୍ଥାର ବିଚାରପତି ଥାଇ ପ୍ରଧାନମନ୍ତ୍ରୀଙ୍କୁ ସାର୍ବଜନିକ ମଞ୍ଚରେ ପ୍ରଶଂସା କରିବାକୁ ନେଇ ବିବାଦ ଦେଖାଦେଇଥିଲା। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୫ ଜଣିଆ ଚୟନ କମିଟି ଜଷ୍ଟିସ୍ ମିଶ୍ର ଏବଂ ଅନ୍ୟ ଦୁଇଜଣ ସଦସ୍ୟଙ୍କ ନାମ ସର୍ଟ ଲିଷ୍ଟ କରିଛି – ଇଣ୍ଟେଲିଜେନ୍ସ ବ୍ୟୁରୋର ପୂର୍ବତନ ନିର୍ଦ୍ଦେଶକ ରାଜୀବ ଜୈନ ଏବଂ ଜାମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ମହେଶ ମିତ୍ତଲ କୁମାର। ତେବେ ଏହାକୁ ନେଇ ବିରୋଧୀ ଦଳ ନେତା ମଲିକାର୍ଜୁନ୍ ଖଡଗେ ଆପତ୍ତି ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ତେବେ ଦ ହିନ୍ଦୁର ଖବର ଅନୁଯାୟୀ ଏହି ଦୁଇ ସଦସ୍ୟଙ୍କ ନାମ ୧୨ ଜଣିଆ ଲିଷ୍ଟରେ ଥିବା ବେଳେ ଜଷ୍ଟିସ୍ ମିଶ୍ରଙ୍କ ନାମ ସେଥିରେ ନଥିଲା। ସର୍ଟଲିଷ୍ଟ ତାଲିକାରେ ଭାରତର ତିନିଜଣ ପୂର୍ବତନ ପ୍ରଧାନ ବିଚାରପତିଙ୍କ ନାମ ରହିଥିଲେ।  ତେବେ ସେମାନଙ୍କ ନାମ ଜଣା ପଡିନଥିବା ବେଳେ ବୟସ ଦୃଷ୍ଟିରୁ କେବଳ ପାଞ୍ଚଜଣ ପୂର୍ବତନ ମୁଖ୍ୟ ବିଚାରପତି ଏହି ପଦ ପାଇଁ ଯୋଗ୍ୟ। ସେମାନେ ହେଉଛନ୍ତି  ଜଷ୍ଟିସ୍ ଟି ଏସ୍ ଠାକୁର, ଜେ ଏସ୍ ଖେର, ଦିପକ ମିଶ୍ର, ରଂଜନ ଗୋଗୋଇ ଏବଂ ଶରଦ ବବଡେ । ବିଗତ ୨୭ ବର୍ଷ ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ସରକାର ଆନୁଷ୍ଠାନିକ ଭାବରେ କୌଣସି ପୂର୍ବତନ ପ୍ରଧାନ ବିଚାରପତିଙ୍କ NHRC ର ଅଧ୍ୟକ୍ଷ ଭାବେ ନିଯୁକ୍ତ ନକରି ଅନ୍ୟ କାହାକୁ କରିବାକୁ ଯାଉଛନ୍ତି। ମାନବାଧିକାର ସୁରକ୍ଷା ଅଧିକାର ଆଇନ (PHRA) ୨୦୧୯ ଅନୁଯାୟୀ ମାନବ ଅଧିକାର ଆୟୋଗର ଚେୟାରମ୍ୟାନ୍ ଜଣେ ପୂର୍ବତନ ପ୍ରଧାନ ବିଚାରପତି ହେବା ଆବଶ୍ୟକ । ସୁପ୍ରିମକୋର୍ଟର କୌଣସି ପୂର୍ବତନ ବିଚାରପତିଙ୍କ ନିଯୁକ୍ତି କରିବା ଉଦ୍ଦେଶ୍ୟରେ ଏହି ଆଇନକୁ ବିବାଦସ୍ପଦ ଭାବରେ ସଂଶୋଧନ କରାଯାଇଥିଲା। ସେହି ସମୟରେ ଏହାକୁ ବିରୋଧ କରାଯାଇଥିଲା। ଯଦିଓ ସରକାରୀ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ, ତଥାପି ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ , ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ୍ ଖଡଗେଙ୍କୁ ନେଇ ଗଠିତ କମିଟି ମେ ୩୧ରେ ବୈଠକ ହୋଇଥିଲା। ବୈଠକ ପୂର୍ବରୁ ପରାମର୍ଶ ଅଭାବରୁ ଏକ ଆପତ୍ତି ଉଠାଇଥିଲେ ଦଳିତ, ଆଦିବାସୀ କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟର କୌଣସି ସଦସ୍ୟଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ନକରାଯାଇ ଥିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କର ଯୁକ୍ତି ହେଉଛି NHRC ର ଅଧିକାଂଶ ଅଭିଯୋଗ ଏହି ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଅପରାଧ ସହ ଜଡିତ, ସେମାନଙ୍କ ମଧ୍ୟରୁ NHRC ରେ ଅତି କମରେ ଜଣେ ପ୍ରତିନିଧୀ ରହିବା ଉଚିତ୍। ପରବର୍ତ୍ତୀ ସମୟରେ ସେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଥିଲେ ।

 ମଲ୍ଲିକାର୍ଜୁନ ଖଡଗେଙ୍କ ବିବୃତ୍ତି :

 ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ୟାନେଲରେ ଥିବା ଅନ୍ୟ ସଦସ୍ୟମାନେ ସୂଚାଇ ଦେଇଛନ୍ତି ଯେ ମହିଳା ସଦସ୍ୟଙ୍କ ବ୍ୟତୀତ NHRC ନିଯୁକ୍ତିକୁ ନେଇ PHRA ରେ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ।  ଖଡଗେ ପ୍ରତିକ୍ରିୟାରେ କହିଛନ୍ତି ଯେ ଏଭଳି ବ୍ୟବସ୍ଥା କରି କୌଣସି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ NHRC ନିଯୁକ୍ତି ଦେବାରେ ରୋକିବା ଉଚିତ୍ ନୁହେଁ।  ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି  ଯେ ସେ ଏସସି, ଏସଟି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ନାମ ଉପରେ ବିଚାର କରିବାକୁ ପ୍ୟାନେଲକୁ ଏକ ସପ୍ତାହ ମଧ୍ୟରେ ଆଉ ଏକ ବୈଠକ କରିଵା ଆବଶ୍ୟକ। ସୁପ୍ରିମକୋର୍ଟରେ ଥିବା ସମୟରେ ସେ (ଜଷ୍ଟିସ ମିଶ୍ର) ଜଣେ ଜଜ୍ ଭାବରେ ଏମିତି ଜଜମେଣ୍ଟ୍ ଦେଉଥିଲେ ଯାହା କାର୍ଯ୍ୟପାଳିକାକୁ ଖୁସି କରାଇବାରେ ସାହାଯ୍ୟ କରୁଥିଲା।  ଦ ୱାୟାରର ଆଇନ ସମ୍ପାଦକ ଭି ଭେଙ୍କଟେସନ୍ ଲେଖିଛନ୍ତି, ଜଷ୍ଟିସ୍ ମିଶ୍ରଙ୍କ ବେଞ୍ଚରେ ଭାରତର କେତେକ ରାଜନୈତିକ ସମ୍ବେଦନଶୀଳ ମାମଲାର ବିଚାର ହୋଇଛି । ହରେନ୍ ପାଣ୍ଡ୍ୟା ପ୍ରସଙ୍ଗ ଭଳି ମାନବିକ ଅଧିକାର ସହ ଜଡିତ ଥିବା ମାମଲାଗୁଡ଼ିକ ଉପରେ ତାଙ୍କର କିଛି ଜଜମେଣ୍ଟ୍ ମଧ୍ୟ ତାଙ୍କୁ ଜାତୀୟ ମାନବାଧିକାର ଆୟୋଗର ଚେୟାରମ୍ୟାନ ହେବାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରୁ ଦୂରରେ ରଖିବା ଉଚିତ୍ ଥିଲା । ଏହା ପୂର୍ବରୁ ପୂର୍ବତନ ପ୍ରଧାନ ବିଚାରପତି NHRC ର ଅଧ୍ୟକ୍ଷ ପଦରୁ ଡିସେମ୍ବର ୨୦୨୦ରେ ଅବସର ନେଇଥିଲେ ଏବଂ ସେହି ଦିନଠାରୁ ଏହି ପଦବୀ ଖାଲି ପଡିଥିଲା। 2019 ରେ ମୋଦୀ ସରକାରଙ୍କ ଦ୍ବାରା PHRA ରେ ସଂଶୋଧନ କରାଯାଇଥିଲା । ଯାହା ଦ୍ବାରା ମାନବ ଅଧିକାର ଆୟୋଗର ଚେୟାରମ୍ୟାନ୍ ଜଣେ ପୂର୍ବତନ ପ୍ରଧାନ ବିଚାରପତି ହେବା ଆବଶ୍ୟକ ।  କିନ୍ତୁ ମାନବାଧିକାର କର୍ମୀ ଏବଂ ଏନଜିଓ ସଂସ୍ଥା ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ସେମାନଙ୍କ ତର୍କ ହେଉଛି ଏହା ଦ୍ୱାରା ସରକାର ପସନ୍ଦ କରୁଥିବା ଯେକୌଣସି ବିଚାରପତି ଚୟନ କରିବାକୁ କ୍ଷମତା ପ୍ରଦାନ କରିବ ।  ସେହି ସମୟରେ ଏକ ବିବୃତ୍ତିରେ, ଜାତୀୟ ତଥା ରାଜ୍ୟ ମାନବାଧିକାର ପ୍ରତିଷ୍ଠାନ (AiNNI) ସହିତ କାର୍ଯ୍ୟ କରୁଥିବା ଏନଜିଓ ତଥା ବ୍ୟକ୍ତିବିଶେଷଙ୍କ ଅଲ ଇଣ୍ଡିଆ ନେଟୱାର୍କ ଉଲ୍ଲେଖ କରିଛି: “ଏହା କେବଳ ନିଯୁକ୍ତ କମିଟିକୁ NHRC ର ମୁଖ୍ୟ ହେବା ପାଇଁ ସରକାରଙ୍କ ନିକଟତର ସଦସ୍ୟଙ୍କୁ ଚୟନ କରିବା ପାଇଁ କ୍ଷମତା ଦେଉଛି ଯାହା ଏକ ଚିନ୍ତାଜନକ ବିଷୟ।  ଯଦି ଅନୁଷ୍ଠାନର ସ୍ୱାର୍ଥରେ NHRC ର ଅଧ୍ୟକ୍ଷ ସୁପ୍ରିମକୋର୍ଟର ଜଣେ ବିଚାରପତି ହେବା ଆବଶ୍ୟକ , ତେବେ ପୂର୍ବତନ ମୁଖ୍ୟ ବିଚାରପତି ହେବା ଆବଶ୍ୟକ। ତେଣୁ NHRC ଏବଂ ନ୍ୟାୟପାଳିକା ଉପରେ ସରକାରଙ୍କ ପ୍ରଭାବକୁ ସୀମିତ ରଖିବ । 2006 ରେ ପ୍ରସ୍ତାବିତ ଏହି ବ୍ୟବସ୍ଥାକୁ ଜଷ୍ଟିସ୍ ଜେ ଏସ୍ ବର୍ମା ବିରୋଧ କରିଥିଲେ ଏବଂ ଯେତେବେଳେ ଏହି ବିଲ୍ ରାଜ୍ୟସଭାକୁ ଆସିଲା ସେତେବେଳେ ଏହାକୁ ପ୍ରତ୍ୟାହାର କରାଯାଇଥିଲା।  “ ଜଷ୍ଟିସ୍ ମିଶ୍ର ସେପ୍ଟେମ୍ବର 2, 2020 ରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ କିନ୍ତୁ ସେ ଲୁଟିଏନସ୍ ଦିଲ୍ଲୀ ସ୍ଥିତ ବଙ୍ଗଳା ଖାଲି କରି ନଥିଲେ । ଏବେ ଏନ୍ଏଚ୍ଆରସି ଅଧ୍ୟକ୍ଷ ହେବା ପରେ ତାଙ୍କୁ ଆଉ ବଙ୍ଗଳା ଖାଲି କରିବାକୁ ପଡିବନି। 

Related Posts