ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀକୁ ଜବରଦଖଲ ମୁକ୍ତ ପାଇଁ ଚାଲିଛି ଉଚ୍ଛେଦ କାମ । ତେବେ ସହରକୁ ସ୍ୱଚ୍ଛ ରଖିବା ସହ ଜବରଦଖଲ ମୁକ୍ତ କରିବାକୁ ବିଡିଏ ଓ ବିଏମସି ପକ୍ଷରୁ ଜୋରଦାର ଚାଲିଛି ଏନଫୋର୍ସମେଣ୍ଟ। ମେୟର ଓ କମିସନର ନିଜେ ଏନଫୋର୍ସମେଣ୍ଟ ଟିମ ସହ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ କରିବା ସହ ଝାଡୁ ଧରି ପୂରା ଅଞ୍ଚଳକୁ ସଫା କରୁଛନ୍ତି। ଲୋକବଳ ଲାଗୁଛି, ସମୟ ସରୁଛି। କିନ୍ତୁ କିଛି ଦିନ ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଜବରଦଖଲ ଉଚ୍ଛେଦ ଜାଗାକୁ ପୁଣି ଥରେ ମାଡ଼ି ବସୁଛନ୍ତି ଉଚ୍ଛେଦକାରୀ। ସେପଟେ ବିଏମସି କମିସନର କହିଛନ୍ତି ଯେଉଁ ଜାଗାରେ ବିକାଶମୂଳକ କାମ ହେଉଛି ସେଠି ଜବରଦଖଲମୁକ୍ତ ପାଇଁ ଆଗ ଗୁରୁତ୍ୱ ଦେଉଛୁ। ତା’ଛଡା ବନଜାରାମାନଙ୍କୁ ଥଇଥାନ ପାଇଁ ନିକଟରେ ଏକ ବୈଠକ ହୋଇଥିଲା। ଯେହେତୁ ଭୁବନେଶ୍ୱର ଏକ ଇକୋନୋମିକ ହବ୍‌ ହୋଇଛି, ସେଥିପାଇଁ ଏଠାରେ ବ୍ୟବସାୟ କରିବାକୁ ଲୋକେ ଆକର୍ଷିତ ହେଉଛନ୍ତି। ବସ୍ତି ଉଚ୍ଛେଦ ପରେ ତୁରନ୍ତ ଥଇଥାନ ପାଇଁ ପଦକ୍ଷେପ ନେଉଛୁ ବୋଲି କମିସନର କହିଛନ୍ତି।