ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଗତ ହନୁମାନ ଜୟନ୍ତୀ ଉତ୍ସବ ସମୟରେ ହୋଇଥିବା ହିଂସାକାଣ୍ଡ ପରେ ଏକ ବର୍ଷ ପାଇଁ ବିଭିନ୍ନ ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରଶାସନ ତରଫରୁ ଏକ ବର୍ଷ ପାଇଁ କଟକଣା ଲଗାଯାଇଛି। ଏହି କ୍ରମରେ ଦଶହରା ଉତ୍ସବ ସମୟରେ ଦୁର୍ଗା ପୂଜା ଭସାଣି ସମେତ ଅନ୍ୟାନ୍ୟ ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା।
ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମଙ୍ଗଳବାର ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ଜିଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମନ୍ୱୟ ବୈଠକରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି ଙ୍କ ସମେତ ଜିଲାସ୍ତରୀୟ ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ବିଭିନ୍ନ ଦୁର୍ଗା ପୂଜା କମିଟିର ସଦସ୍ୟ ମାନେ ସାମିଲ ହୋଇଥିଲେ। ବ୍ୟାପକ ଆଲୋଚନା ପରେ ଚଳିତ ବର୍ଷ ଦୁର୍ଗା ପୂଜା ଭସାଣି ଶୋଭାଯାତ୍ରାକୁ ପ୍ରଶାସନ ଅନୁମତି ପ୍ରଦାନ କରି ନ ଥିବା ବେଳେ କିନ୍ତୁ କଳସ ଶୋଭାଯାତ୍ରା ଓ ରାବଣ ପୋଡି କୁ ଅନୁମତି ଶେଷରେ ପ୍ରଦାନ କରିଛନ୍ତି। ବିନା ଶୋଭାଯାତ୍ରାରେ ଦୁର୍ଗା ପୂଜା ଭସାଣି କାର୍ଯ୍ୟକ୍ରମ କିଛି କମିଟି ସଦସ୍ୟ ଓ ପୁଲିସର ଉପସ୍ଥିତିରେ ସମ୍ପନ୍ନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏ ସମ୍ପର୍କରେ ଜିଲାପାଳ ଅନନ୍ୟା ଦାସ କହିଛନ୍ତି ଯେ, ଆଜି ସମସ୍ତ ପୂଜା କମିଟି ମାନଙ୍କ ସହିତ ଆଲୋଚନା କରାଯାଇଛି। ସମସ୍ତ କମିଟି ଗୁଡିକର ବିଭିନ୍ନ ପ୍ରକାରର ବିଷୟ ସମ୍ପର୍କରେ ଆଲୋଚନା କରାଯାଇଛି। ସାନିଟେସନ, ରାସ୍ତାଘାଟ ଆଦି ଉପରେ ବିସ୍ତୃତ କଥାବାର୍ତ୍ତା ହୋଇଥିଲା। ସେମାନେ କିଭଳି ପୂଜା କରିବେ, କେଉଁ ଠାରେ ଭସାଣି କରିବେ ଆଦି ବିଷୟରେ ମଧ୍ୟ ଆଲୋଚନା କରାଯାଇ ସେମାନଙ୍କର ଅସୁବିଧା ଗୁଡିକର ନିରାକରଣ କରାଯିବ ବୋଲି କୁହାଯାଇଛି। ଏବେ ସହରରେ ସାକ୍ଷୀପଡ଼ା ରାସ୍ତାକୁ ଦୁର୍ଗା ପୂଜା ପୂର୍ବରୁ ଠିକ କରାଯିବା ସହିତ ଗୋବିନ୍ଦତୋଲା ଧନୁପାଲି ରାସ୍ତାକୁ ମଧ୍ୟ ମରାମତି କରାଯିବ। ସମସ୍ତ ପୂଜା କମିଟି ଗୁଡିକ ସହଯୋଗ କରିବେ ବୋଲି କହିଛନ୍ତି। ଆମେ ସମସ୍ତ ବ୍ୟବସ୍ଥା ଗୁଡିକ ଉପରେ ଧ୍ୟାନ ଦେଇ ବିହିତ ପଦକ୍ଷେପ ନେଉଛୁ ବୋଲି ଜିଲାପାଳ ଶ୍ରୀମତୀ ଦାସ କହିଛନ୍ତି।
ଏ ସମ୍ପର୍କରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ କହିଛନ୍ତି ଯେ, ଆଜିର ବୈଠକରେ ଦୁର୍ଗା ପୂଜା କମିଟି ଗୁଡିକର ଦୁର୍ଗା ଉତ୍ସବ ପାଇଁ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଛି। କଳସ ଯାତ୍ରା ଓ ରାବଣ ପୋଡିକୁ ଅନୁମତି ପ୍ରଦାନ କରାଯାଇଛି। ପୂଜା ମଣ୍ଡପ ଗୁଡିକରେ ବାଜା, ଭଜନ ଆଦିର ଅନୁମତି ଦିଆଯାଇଥିବା ବେଳେ ଭସାଣି ଯାତ୍ରା ହେବ ନାହିଁ। ଆଜିର ସମନ୍ୱୟ ବୈଠକରେ ଭଲ ଆଲୋଚନା ହୋଇଥିଲା ଏବଂ ସମସ୍ତ କମିଟିର ସଦସ୍ୟ ମାନେ ସହଯୋଗ କରିଥିବାରୁ ପ୍ରଶାସନ ତରଫରୁ ଧନ୍ୟବାଦ ଦେଉଛି ବୋଲି ଏସପି ଶ୍ରୀ ଭାମୁ କହିଛନ୍ତି।
ଦୁର୍ଗା ପୁଜା ପାଇଁ ଷ୍ଟ୍ରିଟ ଲାଇଡ ଠିକ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିଛୁ। ଏଥି ସହ ଏକ ସହାୟତା ନମ୍ବର ମଧ୍ୟ କରିଛୁ। ଆମର ପ୍ରାଥମିକତା ଦେଇ ଅଧିକ କର୍ମଚାରୀ ନିଯୁକ୍ତ କରି ଷ୍ଟ୍ରିଟ ଲାଇଟ ଗୁଡିକୁ ଦୁର୍ଗା ପୂଜା ପୂର୍ବରୁ ଠିକ କରିବାର ଲକ୍ଷ୍ୟ ରଖିଛୁ। କିଛି ଅଞ୍ଚଳରେ ରାସ୍ତା ମରାମତି ଓ ନୂତନ ନିର୍ମାଣ ପାଇଁ ଦାବି ହେଉଥିବା ବେଳେ ଏବେ ଦୁର୍ଗା ପୂଜା ଆସି ଯାଇଥିବାରୁ ଆବଶ୍ୟକୀୟ ମରାମତି କରିବା ପରେ ନୂତନ ନିର୍ମାଣ ପୂଜା ପରେ କରାଯିବ। ପରିମଳ ପାଇଁ ଧ୍ୟାନ ଦିଆଯାଇ ପ୍ରତି ପୁଜା ମଣ୍ଡପ ଗୁଡିକ ପାଇଁ ଜଣେ ଲେଖାଏଁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତ କରାଯିବ ଏବଂ ପୁଜା ସମୟରେ ପରିମଳ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଧ୍ୟାନ ରଖାଯିବ। ଭସାଣି ପାଇଁ ୫ଟି ସ୍ଥାନ ଚିହ୍ନଟ କରୁଛୁ। ସେଥି ମଧ୍ୟରୁ ୪ଟି ସ୍ଥାନ ନିର୍ମିତ ହୋଇ ସାରିଥିବା ବେଳେ ଆଉ ଗୋଟିଏ ନିର୍ମାଣ କରାଯିବ। ଏଥି ସହ ଆଗାମୀ ଦିନରେ ଆଉ ଥରେ ପୂଜା କମିଟି ଗୁଡିକ ସହିତ ବୈଠକ କରି ସେମାନଙ୍କ ଅଞ୍ଚଳରେ ପରିମଳ, ଷ୍ଟ୍ରିଟ ଲାଇଟ, ରାସ୍ତା ଘାଟ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ ବୋଲି ମହାନଗର ନିଗମ ଆୟୁକ୍ତ ବେଦଭୂଷଣ କହିଛନ୍ତି।





