୨୦୧୪-୧୯ ଭିତରେ ରୁଜୁ ହୋଇଛି ୩୨୪ଟି ଦେଶଦ୍ରୋହ ମାମଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶଦ୍ରୋହ ଆଇନ ଧାରା ୧୨୪-ଏ ହେଉଛି ଏକ ଔପନିବେଶିକ ଆଇନ । ଏହି ଆଇନ୍ ମୁଖ୍ୟତଃ ମହାତ୍ମାଗାନ୍ଧୀ ଏବଂ ବାଲ୍ ଗଙ୍ଗାଧର ତିଲକଙ୍କୁ ଚୁପ୍ କରିବାକୁ ତିଆରି ହୋଇଥିଲା। ବର୍ତ୍ତମାନ ଏହି ଆଇନର ଅପବ୍ୟବହାର ହେଉଛି। ତେଣୁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏହି ଆଇନ କାହିଁକି ରଦ୍ଦ ନହେବ ବୋଲି କେନ୍ଦ୍ର ସରକାରକୁ ପ୍ରଶ୍ନ କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି. ରମନ୍ନା। ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ ପରେ ଏବେ ୨୦୧୪-୧୯ ଭିତରେ ଦେଶରେ କେତୋଟି ଦେଶଦ୍ରୋହ ମାମଲା ରୁଜୁ ହୋଇଛି ତାର ଏକ ରିପୋର୍ଟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପାଖରୁ ରିପୋର୍ଟ ମିଳିଛି। ରିପୋର୍ଟ ଅନୁଯାୟୀ ମୋଟ୍ ୩୨୬ଟି ମାମଲା ରୁଜୁ ହୋଇଛି। 

   ମୋଟ ୩୨୬ଟି ମାମଲା ମଧ୍ୟରୁ ୧୪୧ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିବା ବେଳେ ବିଗତ ୬ ବର୍ଷ ମଧ୍ୟରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଆସାମରେ ୫୪ଟି ମାମଲା ମଧ୍ୟରୁ ୨୬ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିବା ବେଳେ ୨୫ଟି ମାମଲାରେ ଶୁଣାଣି ଶେଷ ହୋଇଛି। ସବୁଠାରୁ ବଡ କଥା ହେଉଛି ଏହାରି ମଧ୍ୟରେ ଜଣେ ବି ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ସେହିପରି ଝାଡ଼ଖଣ୍ଡରେ ୪୦ଟି ମାମଲା ଦାୟର ହୋଇଛି, ସେଥି ମଧ୍ୟରୁ ୨୯ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିବା ବେଳେ ୧୬ଟି ମାମଲାରେ ଶୁଣାଣି ଶେଷ ହୋଇଛି। ଯେଉଁଥିରୁ ଜଣେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

 ହରିୟାଣାରେ ଦେଶଦ୍ରୋହ ଆଇନ ବଳରେ ୩୧ ଟି ମାମଲା ପଞ୍ଜିକୃତ ହୋଇଥିଲା ଯେଉଁଥିରେ ୧୯ ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ୬ ଜଣଙ୍କର ଶୁଣାଣି ଶେଷ ହୋଇଥିବା ବେଳେ କେବଳ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ବିହାର, ଜାମ୍ମୁ କାଶ୍ମୀର ଏବଂ କେରଳରେ ୨୫ ଟି ଲେଖାଏଁ ଟି ମାମଲା ରୁଜୁ ହୋଇଛି। 

 ବିହାର ଏବଂ କେରଳରେ କୌଣସି ମାମଲାରେ ବି ଚାର୍ଜସିଟ୍ ଦାଖଲ ହୋଇନାହିଁ , ଜାମ୍ମୁ କାଶ୍ମୀର ତିନୋଟି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି।  ତେବେ, 2014 ରୁ 2019 ମଧ୍ୟରେ ଏହି ତିନୋଟି ରାଜ୍ୟରେ କେହି ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। 

କର୍ଣ୍ଣାଟକରେ ୨୨ଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିବା ବେଳେ ୧୭ଟି ମାମଲାରେ ଚାର୍ଜଶିଟ ଦାଖଲ କରାଯାଇଥିଲା , କେବଳ ଗୋଟିଏ ମାମଲାରେ ଶୁଣାଣି ଶେଷ ହୋଇଛି। କେହିବି ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। 

୨୦୧୪ ରୁ ୨୦୧୯ ମଧ୍ୟରେ ୟୁପିରେ ୧୭ଟି ଏବଂ ପଶ୍ଚିମବଙ୍ଗରେ ଆଠଟି ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ୟୁପିରେ ଆଠଟି ଏବଂ ପଶ୍ଚିମବଙ୍ଗରେ ପାଞ୍ଚଟି ମାମଲାରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲା। କିନ୍ତୁ ଏହି ୨ ରାଜ୍ୟରେ କେହି ବି ଦୋଷୀ ସାବ୍ୟସ୍ତ ହୋଇନଥିଲେ। ୨୦୧୪ ରୁ ୨୦୧୯ ମଧ୍ୟରେ ଦିଲ୍ଲୀରେ ଚାରୋଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା କିନ୍ତୁ କୌଣସି ମାମଲାରେ ଚାର୍ଜଶିଟ୍ ଦାଖଲ କରାଯାଇ ନାହିଁ।

ଏହି ୬ ବର୍ଷ ମଧ୍ୟରେ ମେଘାଳୟ, ମିଜୋରାମ, ତ୍ରିପୁରା, ସିକ୍କିମ୍, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ପୁଡୁଚେରୀ, ଚଣ୍ଡିଗଡ଼, ଡାମନ ଏବଂ ଡିୟୁ, ଦାଦ୍ରା ନଗର ହାଭେଳିରେ ଗୋଟିଏ ବି ଦେଶଦ୍ରୋହ ମାମଲା ରୁଜୁ ହୋଇ ନାହିଁ। ମହାରାଷ୍ଟ୍ର (2015 ରେ) , ପଞ୍ଜାବ(2015) ଏବଂ ଉତ୍ତରାଖଣ୍ଡ(2017) ତିନୋଟି ରାଜ୍ୟରେ ଗୋଟିଏ ଲେଖାଏଁ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ତେବେ ଏହି ୬ ବର୍ଷ ଅବଧି ମଧ୍ୟରେ ଓଡ଼ିଶାରୁ ଗୋଟିଏ ବି ଦେଶଦ୍ରୋହ ମାମଲା ରୁଜୁ ହୋଇନଥିବା ଜଣାପଡିଛି ।

    ଗୃହ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ୨୦୧୯ରେ ଦେଶରେ ସର୍ବାଧିକ ୯୩ଟି ଦେଶଦ୍ରୋହ ମାମଲା ରେକର୍ଡ କରାଯାଇଛି। ଏହାପରେ ୨୦୧୮ରେ ୭୦, ୨୦୧୭ରେ ୫୧, ୨୦୧୪ରେ ୪୭, ୨୦୧୬ରେ ୩୫ ଏବଂ ୨୦୧୫ରେ ୩୦ଟି ମାମଲା ରୁଜୁ ହୋଇଛି।

 ଦେଶଦ୍ରୋହ ଆଇନ ଅନୁଯାୟୀ 2019 ରେ 40 ଟି ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ 2018 ରେ 38, 2017 ରେ 27, 2016 ରେ 16, 2014 ରେ 14 ଏବଂ 2015 ରେ 6 ଟି ଦାଖଲ କରାଯାଇଥିଲା।

 ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଜଣଙ୍କ ମଧ୍ୟରେ 2018 ରେ ଦୁଇଜଣ ଏବଂ 2019, 2017, 2016 ଏବଂ 2014 ରେ ପ୍ରତ୍ୟେକଙ୍କୁ ଦଣ୍ଡିତ କରାଯାଇଛି ଓ 2015 ରେ କାହାରିକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ।

Related Posts