ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ବରର ଏମ୍ସରେ ଗୁରୁତର ଭାବେ ଭର୍ତ୍ତି ହୋଇଥିବା ବାଲେଶ୍ବର ଜିଲ୍ଲା ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ବିଜେଡିର ପ୍ରତିନିଧି ମଣ୍ଡଳୀ ଭେଟିଛନ୍ତି। ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି । ତା ସହ ପୂର୍ବରୁ ଘଟଣା କେମିତି ରହିଥିଲା ସେ ବାବଦରେ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳରେ ବିଧାୟକ ଗୌତମ ବୁଦ୍ଧ ଦାସ, ମେୟର ସୁଲୋଚନା ଦାସ, ସ୍ନେହାଙ୍ଗିନୀ ଛୁରିଆ, ରାଜଶ୍ରୀ ମଲ୍ଲିକ, ଇପ୍ସିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରିୟବ୍ରତ ମାଝୀ ପ୍ରମୁଖ ଥିଲେ।
ଏନେଇ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି, ଝିଅଟି ମୋ ନିର୍ବାଚନ ମଣ୍ଡଳୀର। ସେଥିପାଇଁ ଦୁଃଖ ଲାଗୁଛି। କଲେଜରେ, ବେଳାଭୂମିରେ କୋଉଁଠି ବି ଝିଅମାନେ ସୁରକ୍ଷିତ ନାହାଁନ୍ତି। ଏ ସରକାରରେ ମହିଳା, ଛାତ୍ରୀ, ନାବାଳିକା, ଦଳିତ ଓ ଆଦିବାସୀ କେହି ସୁରକ୍ଷିତ ନାହଁନ୍ତି। ରାଜ୍ୟରେ ଦୁର୍ଯ୍ୟୋଧନ ଶାସନ ଚାଲିଛି। ସେ ଏବିଭିପିର ନେତ୍ରୀ ତଥାପି ତାଙ୍କୁ ସୁରକ୍ଷା ଦିଆଯାଇ ପାରୁନାହିଁ। ଝିଅଟି ସାଂସଦଙ୍କ ପାଖରେ ଜଣାଇଥିବା ସତ୍ତ୍ୱେ ସେ କିଛି କରି ପାରିଲେ ନାହିଁ। ସାଂସଦଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ? ଆଡିସନାଲ ଏସ୍ପି. ଜାଣିଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଉଚ୍ଚସ୍ତରୀୟ ତଦନ୍ତ ସାଙ୍ଗକୁ ବିଚାର ବିଭାଗୀୟ ତଦନ୍ତ ହେଉ। ନଚେତ ଆଗାମୀ ଦିନରେ ଏ ସରକାରଙ୍କୁ ଓ ମନ୍ତ୍ରୀଙ୍କୁ ବାଟ ଚଳାଇ ଦିଆଯିବ ନାହିଁ।
ସୂଚନାଯୋଗ୍ୟ, ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ପିଏଚ୍ଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆଜି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଛାତ୍ରୀ ୧୨ ଦିନ ହେଲା ମାନସିକ ଚାପରେ ଥିଲେ।





