ଟ୍ରାଫିକ୍‌ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା, ଓଡ଼ିଶାରେ ଲାଗୁ ହେଲା ଇ-ଚାଲାଣ ବ୍ୟବସ୍ଥା

ଓଡ଼ିଶାରେ ଲାଗୁ ହେଲା ଇ-ଚାଲାଣ ବ୍ୟବସ୍ଥା । ଟ୍ରାଫିକ୍‌ ନିୟମ ଭାଙ୍ଗିଲେ କିମ୍ବା ପରିବହନ ବିଭାଗର ନିୟମ ଖିଲାଫ କଲେ ଡିଜିଟାଲ୍‌ ପଦ୍ଧତିରେ ଆଦାୟ ହେବ ଜରିମାନା । ୩୫ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଞ୍ଚଳରେ ଏଥିପାଇଁ ୧୯୫ଟି ଇ-ଚାଲାଣ ଡିଭାଇସ ବ୍ୟବହାର ହେବ । ଇ-ଚାଲାଣ ଲାଗୁ କରିବାରେ ଓଡ଼ିଶା ଦେଶର ଦ୍ବାଦଶତମ ରାଜ୍ୟ ହୋଇଥିବା ବେଳେ ଡିଜିଟାଲ୍‌ ପଦ୍ଧତିରେ ଜୋରିମାନା ଆଦାୟ କରିବାରେ ହୋଇଛି ପ୍ରଥମ ରାଜ୍ୟ ।

ଏଥିସହ ମାନୁଆଲ୍‌ ଚାଲାଣକୁ ବନ୍ଦ କରାଯାଇଛି । ଟ୍ରାଫିକ ନିୟମ ଉଲଘଂନ କଲେ ଏଣିକି ଇ-ଚାଲାଣ ଡିଭାଇସ୍‌ରେ ଆଦାୟ ହେବ ଜରିମାନା । ପରିବହନ ବିଭାଗର ନିୟମ ଖିଲାଫକାରୀଙ୍କଠାରୁ ଜରିମାନା ମଧ୍ୟ ଡିଜିଟାଲ୍‌ ପଦ୍ଧତିରେ ଆଦାୟ ହେବ ।

ଗୁରୁବାର ଭୁବନେଶ୍ବରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ । ଇ-ଚାଲାଣ ଯନ୍ତ୍ର ଦ୍ବାରା ଘଟଣା ସ୍ଥଳରେ ହିଁ ଜରିମାନା ଆଦାୟ ହେବ । କ୍ରେଡିଟ୍‌, ଡେବିଟ୍‌ କିମ୍ବା ଅନ୍ୟ ଡିଜିଟାଲ୍‌ ପଦ୍ଧତିରେ ଅର୍ଥ ଦେଇହେବ । ବାରମ୍ବାର ମୋଟର ଯାନ ନିୟମ ଖିଲାଫକାରୀଙ୍କଠାରୁ ଅଧିକ ଜରିମାନା ଆଦାୟ କରାଯିବ । ଇ-ଚାଲାଣ ଦ୍ବାରା ଟ୍ରାଫିକ ବ୍ୟବସ୍ଥାକୁ ଅନେକ ମାତ୍ରାରେ ବ୍ୟବସ୍ଥିତ କରିହେବ ବୋଲି କୁହାଯାଇଛି ।ଏଥିସହ ଜରିମାନା ଅର୍ଥ ଆଦାୟରେ ସ୍ବଚ୍ଛତା ମଧ୍ୟ ଆସିବ । 

ଇ-ଚାଲାଣ ଦ୍ବାରା ଜରିମାନା ଆଦାୟ କରିବାରେ ସାରା ଦେଶରେ ଓଡ଼ିଶା ହେଉଛି ଦ୍ବାଦଶତମ ରାଜ୍ୟ । କିନ୍ତୁ ଡିଜିଟାଲ୍‌ ପଦ୍ଧତି ବ୍ୟବହାର କରି ଜରିମାନା ଆଦାୟ କରିବାରେ ଦେଶରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ଏନ୍‌ଆଇସିର ଜଣେ ବରିଷ୍ଠ ଅଧିକାରୀ
ଅଧିକାରୀ ଜୟଦୀପ ସୋମ୍‌ଙ୍କ କହିବା ଅନୁସାରେ ଯେଉଁ ସ୍ଥାନରେ ଇଣ୍ଟରନେଟ୍‌ ନଥିବ ସେଠି ମଧ୍ୟ ଅଫ୍‌-ଲାଇନ୍‌ରେ ଆଦାୟ କରିହେବ ଅର୍ଥ । ତେବେ ତୁରନ୍ତ ଜରିମାନା ବାବଦ ରସିଦ୍‌ ମିଳିପାରିବ ନାହିଁ ।

ଘରୋଇ ବ୍ୟାଙ୍କର ମିଳିତ ସହଯୋଗରେ ରାଜ୍ୟରେ ଏହା ଲାଗୁ ହୋଇଥିବା ବେଳେ ୩୫ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ୧୯୫ଟି ଇ-ଚାଲାଣ ଡିଭାଇସ ଦିଆଯାଇଛି । କେବଳ ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପାଇଁ ଦିଆଯାଇଛି ୧୫ଟି ଡିଭାଇସ୍‌ ।

Related Posts