ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ । ହେମନ୍ତ ସୋରେନଙ୍କ ରାଞ୍ଚି ଘରେ ଇଡି ଟିମ୍ ପହଞ୍ଚି ତାଙ୍କୁ ପଚରାଉଚରା କରୁଛି । ମନି ଲଣ୍ଡରିଂ ଓ ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କୁ ଇଡି ଅଧିକାରୀ ପଚରାଉଚରା କରୁଥିବା ସୂଚନା ମିଳିଛି ।
ସେପଟେ ସୋରେନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ଇଡିର ପଚରାଉଚରା ଭିତରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି । ଦଳର ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘର ପାଖରେ ଏକାଠି ହୋଇଥିଲେ । ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘର ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି ।
ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଇଡି ପଚରାଉଚରା କରିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଝାଡ଼ଖଣ୍ଡ ସରକାର ତିନି ସଦସ୍ୟଙ୍କୁ ନେଇ ଟିମ ଗଠନ କରିଛନ୍ତି । ଏହି ଟିମରେ ରାଜ୍ୟ ଅର୍ଥ ସଚିବ ମୁଖ୍ୟ ଅଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ପୂର୍ବରୁ ଇଡି ପକ୍ଷରୁ କୁହାଯାଇଥିଲା ।
ସୂଚନାଯୋଗ୍ୟ, ପୂର୍ବରୁ ହେମନ୍ତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରି ଇଡି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଥିଲା । ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ହେମନ୍ତ ସୋରେନ । ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ସୁଯୋଗ ଦେଇଥିଲା ।





