ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମନି ଲଣ୍ଡରିଂ ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ମଙ୍ଗଳବାର ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜମ୍ମୁ- କଶ୍ମୀର କ୍ରିକେଟ୍ ଆସୋସିଏସନ୍ରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଆଗତ ହୋଇଥିବା ଏକ ମନି ଲଣ୍ଡରିଂ ମାମଲାରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାର ତଦନ୍ତ କାଳରେ ୮୪ ବର୍ଷୀୟ ଅବଦୁଲ୍ଲାଙ୍କୁ ମେ ୩୧ରେ ଶ୍ରୀନଗରରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ଇଡି ଦ୍ୱାରା ଜେରା କରାଯାଇଥିଲା।
ଏହି ମାମଲା ଜମ୍ମୁ କଶ୍ମୀର କ୍ରିକେଟ୍ ଆସୋସିଏସନ୍ କୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦ୍ୱାରା ଦିଆଯାଇଥିବା ଅନୁଦାନ ଅର୍ଥରେ ଅନିୟମିତତା ଅଭିଯୋଗ ସହିତ ଜଡିତ ଥିଲା। ଅଭିଯୋଗ ହୋଇଥିଲା ଯେ ୨୦୦୨ରୁ ୨୦୧୧ ମଧ୍ୟରେ ୪୩ କୋଟିରୁ ଅଧିକ ଟଙ୍କାର ପାଣ୍ଠି ଜେକେସିଏରୁ ହଡ଼ପ କରା ଯାଇଥିଲା। ଏହି ପାଣ୍ଠି ଜେକେସିଏକୁ ବିସିସିଆଇ ଦ୍ୱାରା ଦିଆଯାଇଥିବା ୧୧୨କୋଟି ଟଙ୍କା ଅନୁଦାନର ଏକ ଅଂଶ ଥିଲା। ୨୦୨୦ରେ ଜାତୀୟ ତଦନ୍ତ ଏଜେନ୍ସି ଏହି ମାମଲାରେ ୧୪.୩୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା। ଏସବୁ ସମ୍ପତ୍ତି ଅହସାନ ଅହମ୍ମଦ ମିର୍ଜା, ମୀର ମଞ୍ଜୁର ଗଜାନଫର ଏବଂ ଅବଦୁଲ୍ଲାଙ୍କ ରହିଥିଲା। ଏହାବାଦ ଅବଦୁଲ୍ଲାଙ୍କ ଗୁପକର ରୋଡସ୍ଥିତ ବଙ୍ଗଳାକୁ ମଧ୍ୟ ଇଡି ବାଜ୍ୟାପ୍ତ କରିଥିଲା।
