ଭୁବନେଶ୍ବର,୧୮/୧(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନରେ ବି ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ। କିନ୍ତୁ ସେ ନିଜ ଜବାବରେ ଲେଖିଛନ୍ତି, ଇଡିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୋତେ ଗିରଫ କରିବା ।
ବାରମ୍ବାର ଇଡିର ସମନ ପରେ ମଧ୍ୟ ହାଜର ହେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଆସି ହାଜର ହେବାକୁ ଚତୁର୍ଥ ସମନ ଜାରି କରି ଡକାଇଥିଲା। କିନ୍ତୁ ସେ ଆଜି ମଧ୍ୟ ହାଜର ହୋଇନାହାନ୍ତି।
ତେବେ ଆଜି ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ତିନି ଦିନିଆ ଗୋଆ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୋଆ ଗସ୍ତ ନେଇ ଯୋଜନା କରାଯାଇଛି, ଯେଉଁଥିରେ ସେ ଦଳର କର୍ମକର୍ତ୍ତାଙ୍କ ସହ ଜଡିତ ହେବା ସହ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବାର ଯୋଜନା ରହିଛି।
ତେବେ ଆପ୍ ର କହିବା ମୁତାବକ, ଏହି ସମନ ବିଷୟରେ ଇଡି କେଜ୍ରିଓ୍ୱାଲଙ୍କୁ କୌଣସି ସୂଚନା ଦେଇଇନାହିଁ। ତେବେ ପୂର୍ବ ନିର୍ଦ୍ଧାରିତ ସୂଚି ଅନୁଯାୟୀ କେଜ୍ରିୱାଲ ୧୮ ରୁ ୨୦ ଜାନୁୟାରୀ ପର୍ଯ୍ୟନ୍ତ ଗୋଆ ଗସ୍ତରେ ଯାଉଛନ୍ତି। ତେଣୁ ସେ ଆଜି ଇଡି ଆଗରେ ହାଜର ହେବାର ହୋଇନାହାନ୍ତି।
ଇଡିର ୪ର୍ଥ ସମନ ବିଷୟରେ କେଜ୍ରିଓ୍ୱାଲଙ୍କୁ ପଚରାଯିବାରୁ ସେ କହିଛନ୍ତି, ଆଇନ ଅନୁଯାୟୀ ଯାହା କରିବା ଆବଶ୍ୟକ ତାହା ସେ କରିବେ। ତାଙ୍କୁ ଗିରଫ କରିବା ଉଦ୍ଦେଶ୍ୟ ରଖି ଇଡି ବେଆଇନ ଭାବେ ବାରମ୍ବାର ସମନ ଜାରି କରି ଚାଲିଛି। ଏହା ରାଜନୈତିକ ଉଦ୍ଦେଶ୍ୟ ସମ୍ପନ୍ନ ବୋଲି କେଜ୍ରିୱାଲ୍ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ମୁଁ ପ୍ରତ୍ୟେକ ଆଇନଗତ ସମନ ପାଇଁ ପ୍ରସ୍ତୁତ ରହିଛି। ଅବଶ୍ୟ,ଇଡିର ଏହି ଡାକରା ମଧ୍ୟ ପୂର୍ବ ପରି ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହି ସମନ ପ୍ରତ୍ୟାହାର କରାଯିବା ଉଚିତ୍। ମୁଁ ସଚ୍ଚୋଟତା ଏବଂ ସ୍ୱଚ୍ଛତା ସହିତ ମୋର ଜୀବନ ଅତିବାହିତ କରିଛି। ମୋର ଲୁଚାଇବାକୁ କିଛି ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନା ମୁତାବକ, ଏହାକୁ ମିଶାଇ ଇଡି ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଚାରି ଥର ସମନ କରିସାରିଲାଣି। ପୂର୍ବରୁ ତିନୋଟି ସମନରେ ଅରବିନ୍ଦ କେଜ୍ରିଓ୍ୱାଲ ଇଡିରେ ହାଜର ହୋଇନଥିଲେ। ତେଣୁ ଚତୁର୍ଥ ସମନ ଜାରି କରି ଇଡି କେଜ୍ରିଓ୍ୱାଲଙ୍କୁ ୧୮ କିମ୍ବା ୧୯ ଜାନୁଆରୀରେ ଇଡି ସାମ୍ନାରେ ହାଜର ହେବାକୁ କିହିଥିଲା। କିନ୍ତୁ ଏଥର ମଧ୍ୟ କେଜରିୱାଲ ହଜାର ହୋଇନାହାନ୍ତି।





