ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ମହାନାଟକ ମଧ୍ୟରେ ଆଜି ବିଧାନସଭା ବାଚସ୍ପତି ପଦ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଦୀର୍ଘ ଦୁଇ ବର୍ଷ ହେଲା ଖାଲି ପଡିଥିବା ପଦବୀ ପୂରଣ ହେବ । ବିଜେପି ବିଧାୟକ ରାହୁଲ ନର୍ବେକର ବାଚସ୍ପତି ପଦ ପାଇଁ ଶନିବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଏବଂ ଏମ୍‌ଭିଏ ପ୍ରାର୍ଥୀଭାବେ ଶିବସେନାର ରାଜନ ସାଲ୍‌ଭି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜୁଲାଇ ୩ ଏବଂ ୪ ତାରିଖରେ ମହାରାଷ୍ଟ୍ର ବିଧାନସଭାର ୨ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ୩ ତାରିଖ ବାଚସ୍ପତି ନିର୍ବାଚନ ଥିବାବ‌େଳେ ୪ ତାରିଖ ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ନର୍ବେକର କୋଲାବା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ବ କରୁଛନ୍ତି। ଅନ୍ୟପକ୍ଷେ ସାଲ୍‌ଭି ରତ୍ନଗିରି ଜିଲ୍ଲାର ରାଜାପୁର ବିଧାୟକ କଂଗ୍ରେସ ନେତା ବାଲାସାହେବ ଥୋରଟ କହିଛନ୍ତି, ବାଚସ୍ପତି ନିର୍ବାଚନ ପଦ ପାଇଁ ସାଲ୍‌ଭିଙ୍କୁ ବିରୋଧୀ ପ୍ରାର୍ଥୀ କରାଯାଇଛି। ସାଲ୍‌ଭି ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଜୟନ୍ତ ପାଟିଲ, ଧନଂଜୟ ମୁଣ୍ଡେ (ଏନ୍‌ସିପି), ଅଶୋକ ଚହ୍ବାନ (କଂଗ୍ରେସ), ସୁନୀଲ ପ୍ରଭୁ (ଶିବସେନା) ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଫେବ୍ରୁଆରିରେ କଂଗ୍ରେସର ନାନା ପାଟୋଲ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ବାଚସ୍ପତି ପଦ ଖାଲି ଥିଲା। ଇତି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ସେମାନେ ଅତି ସହଜରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ଏବଂ ବାଚସ୍ପତି ନିର୍ବାଚନ ମଧ୍ୟ ଜିତିବେ। ଶିବସେନା ଏବେ ଦୁଇଭାଗ ହୋଇଯାଇଛି। ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ ବସି ସାରିଲେଣି। ଅନ୍ୟପକ୍ଷରେ ଶି‌ବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ତାଙ୍କୁ ଦଳରୁ ବିଦା କରିଛନ୍ତି। ଏଭଳି ସ୍ଥିତିରେ ପ୍ରକୃତ ଶିବସେନାର ନିୟନ୍ତ୍ରଣ କାହା ହାତରେ ରହିବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଶିବସେନା ଦୁଇ ଗୋଷ୍ଠୀରେ ବିଭକ୍ତ ହେବା ଦ୍ବାରା ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନ ଉପରେ ଏହା ଗଭୀର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି।

ଆଗକୁ ୧୨-୧୫ ପୌର ନିର୍ବାଚନ ସହ ଜିଲ୍ଲା ପରିଷଦ ଏବଂ ନଗର ପରିଷଦ ନିର୍ବାଚନ ଅଛି। ପ୍ରଥମ ପୌର ନିର୍ବାଚନ ମୁମ୍ବାଇରେ ହେବ। ୧୯୯୭ରୁ ମୁମ୍ବାଇ ପୌର ପରିଷଦ ସେନା ନିୟନ୍ତ୍ରଣରେ ଅଛି। ୨୦୦୨ରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବରେ ପ୍ରଥମ ପୌର ନିର୍ବାଚନ ଲଢ଼ାଯାଇଥିଲା। ଉଦ୍ଧବ ନିଜେ ଟିକେଟ ବଣ୍ଟନ କରିଥିଲେ। ଏହି ସମୟରେ ରାଜ୍‌ ଠାକ୍‌ରେ ଶିବସେନାରୁ ଦୂରେଇ ଯାଇଥିଲେ। କାରଣ ରାଜ୍‌ ଠାକ୍‌ରେ ଅନୁମାନ କରିଥିଲେ ଯେ ତାଙ୍କ ସମର୍ଥକମାନଙ୍କୁ ଟିକେଟ ମିଳିବନି। ଉକ୍ତ ନିର୍ବାଚନରେ ଶିବସେନା ଅନେକ ଚ୍ୟାଲେଂଜ ସାମ୍ନା କରିଥିଲା। ଚ୍ୟାଲେଂଜ ସତ୍ତ୍ବେ ଦଳ ନିଜର ସ୍ଥିତି କାଏମ ରଖିଲା। କିନ୍ତୁ କିଛି ବର୍ଷ ପରେ ମୁମ୍ବାଇ ପୌର ନିର୍ବାଚନରେ ଶିବସେନାର ସ୍ଥିତି ଦୁର୍ବଳ ହେଲା ଓ ବିଜେପିର ସଂଖ୍ୟା ବଢ଼ିଲା। ୨୦୧୨ ପୌର ନିର୍ବାଚନରେ ଶିବ‌ସେନାକୁ ରାଜ୍‌ ଠାକ୍‌ରେଙ୍କ ଏମ୍‌ଏନ୍‌ଏସ୍‌ (ମହାରାଷ୍ଟ୍ର ନବନିର୍ମାଣ ସେନା)କୁ ସାମ୍ନା କରିବାକୁ ପଡ଼ିଥିଲା। ଉକ୍ତ ନିର୍ବାଚନରେ ଶିବସେନାର ସଂଖ୍ୟା କମିଥିଲା। କ୍ଷମତାରେ ରହିବାପାଇଁ ଶିବସେନା ବିଜେପିର ସହଯୋଗ ନେଇଥିଲା। ଶିବସେନା-ବିଜେପି ମେଣ୍ଟ ମୁମ୍ବାଇ ଏବଂ ଥାନେ ପୌର ନିଗମକୁ ନିୟନ୍ତ୍ରଣକୁ ନେଇଥିଲେ।

୨୦୧୭ରେ ବିଜେପି ଏବଂ ଶିବସେନା ପୃଥକ୍‌ ଭାବେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ରାଜ୍ୟ ସ୍ତରରେ ସେମାନେ ମେଣ୍ଟରେ ଥିଲେ। ୨୦୧୭ ନିର୍ବାଚନ‌ରେ ବିଜେପି ଶିବସେନାକୁ ହରାଇବ ବୋଲି ଆକଳନ କରାଯାଇଥିଲା। ଉକ୍ତ ନିର୍ବାଚନରେ ବିଜେପିର ସଂଖ୍ୟା ୩୨ରୁ ୮୨କୁ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷେ ଶିବସେନା ବିଜେପିଠାରୁ ଚ୍ୟାଲେଂଜ ସାମ୍ନା କରିବା ସତ୍ତ୍ବେ ୮୪ଟି ୱାର୍ଡରେ ଜିତିଥିଲା। ତେବେ ଆଗାମୀ ନିର୍ବାଚନରେ ଶିବସେନା ଏହିସବୁ ୱାର୍ଡ ଉପରେ ଦଖଲ ରଖିପାରିବ କି ନା’ ତା ଉପରେ ନଜର ରହିଛି। ଏହା ବିଶ୍ବାସ କରାଯା‌ଏ ଯେ ଶିବସେନା ପାଇଁ ମୁମ୍ବାଇ ସବୁଠୁ ସୁଦୃଢ଼। କିନ୍ତୁ ଦାଦର, ମହିମ, କୁର୍ଲା, ଚନ୍ଦିୱାଲିର ବିଧାୟକମାନେ ଶିବସେନା ଶିବିର ଛାଡ଼ି ବିଦ୍ରୋହୀ ବିଧାୟକଙ୍କୁ ସମର୍ଥନ କରିଛନ୍ତି। ଯଦି ଶିବସେନା ପୌର ନିର୍ବାଚନ‌ରେ ୯୦ରୁ କମ୍‌ ଆସନ ପାଏ ତେବେ ଉଦ୍ଧବଙ୍କ ପାଇଁ ପୌର ନିଗମରେ କ୍ଷମତାରେ ରହିବା କଷ୍ଟଦାୟକ ହେବ। ମୁସଲିମ ଭୋଟର ଚଳିତ ଥର ଶିବସେନାକୁ ଭୋଟ୍‌ ଦେବାର ସମ୍ଭାବନା ରହିଛି। ଅନ୍ୟଥା ଶିବସେନାର ସ୍ଥିତି ବେଶ୍‌ ପ୍ରଭାବିତ ହେବ। ଶିବସେନା ପାଇଁ ଅନ୍ୟ ଏକ ଚ୍ୟାଲେଂଜ ହେଉଛି କଲ୍ୟାଣ-ଡୋମ୍ବିଭଲି ‌ପୌର ନିଗମ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିବା। ଉକ୍ତ ଅଞ୍ଚଳରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦବ୍‌ଦବା ଅଛି। ତେଣୁ ଏହା ଶିବସେନା ପାଇଁ ଏକ ବଡ଼ ଚ୍ୟାଲେଂଜ। ତେବେ ସିନ୍ଦେ ବିଜେପି ସହଯୋଗରେ ପୌର ନିର୍ବାଚନର ଖେଳ ବଦଳାଇପାରନ୍ତି ବୋଲି କୁହାଯାଉଛି।

ଗୋଆରୁ ମୁମ୍ବାଇ ପହଞ୍ଚିଲେ ବିଦ୍ରୋହୀ ବିଧାୟକ

ପାନାଜୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ସ୍ବାଧୀନ ବିଧାୟକମାନେ ସନ୍ଧ୍ୟାରେ ଗୋଆରୁ ମୁମ୍ବାଇ ଆସିଛନ୍ତି। ସିନ୍ଦେଙ୍କ ନେତୃତ୍ବାଧୀନ ବିଧାୟକମାନେ ଜୁନ୍‌ ୨୯ରୁ ଗୋଆର ଏକ ଷ୍ଟାର୍‌ ହୋଟେଲରେ ଥିଲେ। ସନ୍ଧ୍ୟା ୭ଟା ୧୦‌ରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ବିଦ୍ରୋହୀ ବିଧାୟକମାନେ ଏକ ଚାର୍ଟଡ୍‌ ବିମାନ ଯୋଗେ ଗୋଆରୁ ମୁମ୍ବାଇ ଆସିଛନ୍ତି। ବିଧା‌ୟକମାନଙ୍କ ଆଗମନ ପାଇଁ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

Related Posts