ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଆଜି ଏଭଳି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ତାଙ୍କ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନେ କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ, କେୱ‌ାଇସି ଅପଡେଟ୍ ହୋଇଛି କି ନାହିଁ ଏଭଳି ଅନେକ ତର୍ଜମା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ ଲୋକସେବା ଭବନରେ ଏନେଇ ସମୀକ୍ଷା ବୈଠକ ହୋଇଥିବା ଜଣାଯାଇଛି ।

ବୈଠକ ପୂର୍ବରୁ ୩ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଥିଲା ତଥ୍ୟ । ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗା ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତା’ର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା । ତିନି ବିଭାଗର ରିପୋର୍ଟ ଆଧାରରେ ଆଜି ସୁଭଦ୍ରା ସମୀକ୍ଷା ବୈଠକ କରାଯାଇଛି । ତିନି ବିଭାଗର ଦେଇଥିବା‌ ରିପୋର୍ଟର ଯାଞ୍ଚ ହେବା ପରେ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଯୋଡ଼ାଯିବ। ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ତୃତୀୟ ପର୍ୟ୍ୟାୟରୁ ବଞ୍ଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର୍ ଟୁ ଡୋର୍ ସର୍ଭେ । ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ । ଏହାସହ ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ । ବାଦ ପଡ଼ିଥିବା ହିତାଧିକାରୀମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରିପାରିବେ । ଏହାସହ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ମୃତ କି ଜୀବିତ ବୋଲି ଧରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା । ଅନ୍ୟପଟେ ୧୫ ହଜାର ୯୮୪ ହିତାଧିକାରୀ ମୃତ ହିତାଧିକାରୀ ବାଦ୍ ପଡ଼ିଥିବା ବେଳେ ୧୮୦୫ ଜଣ ଜୀବିତ ଅଛନ୍ତି । ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ । ତେବେ ୩୬ ହଜାର ୭୦୨ ହିତାଧିକାରୀ ଗାଡି କିଣିଥିବା ଯୋଗୁଁ ବାଦ ପଡିଛନ୍ତି । ୨୧ ହଜାର ୩୫ ହିତାଧିକାରୀ ଆୟକର ଦେଉଥିବାରୁ ବାଦ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଧାନ ବିକ୍ରି ପଞ୍ଜିକରଣ ଏବଂ କୃଷକ ଭାବେ ପଞ୍ଜିକରଣ କରି ବାଦ ପଡିଛନ୍ତି ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

Related Posts