ପୁଲିସ ଗୁଳିରେ ଇଂଜିନିୟରଙ୍କ ମୃତ୍ୟୁ ଘଟଣା; ୭ ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇ‌କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଜଣେ ଯୁବ ଇଂଜିନିୟରଙ୍କ ପରିବାରକୁ ୭ ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଆକାରରେ ପ୍ରଦାନ ପାଇଁ ହାଇ‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ୧୭ ବର୍ଷ ତଳର ଏହି ଘଟଣାରେ ସରକାରୀସ୍ତରରେ ନିଷ୍କ୍ରିୟତାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୦୫ର ଏହି ଘଟଣାରେ ପୁଲିସ ଅଧିକାରୀଙ୍କ ବେଆଇନ କାର୍ଯ୍ୟ ଯୋଗୁଁ ଯୁବ ଇଂଜିନିୟରଙ୍କ ଜୀବନ ଯିବା ନେଇ କେନ୍ଦ୍ରାଞ୍ଚଳ ଆରଡିସି ରିପୋର୍ଟ ଦେବା ସହିତ ପୀଡିତ ପରିବାରକୁ ଉପଯୁକ୍ତ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ସୁପାରିସ କରିଥିଲେ। କିନ୍ତୁ ଏହାପରେ ମଧ୍ୟ ସରକାର ଚୁପ୍ ବସି ରହିବା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପୂର୍ବରୁ ପୀଡିତ ପରିବାରକୁ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଅବିଶିଷ୍ଟ ୪୯ ଲକ୍ଷ ଟଙ୍କାର ଡ୍ରାଫ୍ଟ ଆବେଦନକାରୀଙ୍କ ଘରକୁ ଯାଇ ସରକାର ପ୍ରଦାନ କରିବେ। ଏଥି ସହିତ ମୋକଦ୍ଦମା ଖର୍ଚ୍ଚ ବାବଦରେ ୧ ଲକ୍ଷ ଟଙ୍କା ଆବେଦନକାରୀଙ୍କୁ ସରକାର ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତ ଇଂଜନିୟରଙ୍କ ମା ନିଗାର ବେଗମଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୦୬ରୁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ତଦନ୍ତ କମିସନ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଅଦ୍ୟାବଧି ଏହା ଦିଆଯାଇନଥିବାରୁ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେ ଦିଗରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଦୃଷ୍ଟି ଦେବାକୁ ହାଇକୋର୍ଟ କହିଛନ୍ତି। ରାୟ ପ୍ରକାଶର ୭ଦିନ ମଧ୍ୟରେ ଏହି ଅନୂପମ୍ପା ରାଶି ପ୍ରଦାନ କରାନଗଲେ ତଦନ୍ତ ରିପୋର୍ଟ ପ୍ରଦାନ ଦିନ ଠାରୁ ବାର୍ଷିକ ୭ ପ୍ରତିଶତ ସୁଧ ସହ ସମୁଦାୟ କ୍ଷତିପୂରଣ ରାଶି ସରକାର ପୀଡିତାଙ୍କୁ ପ୍ରଦାନ କରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ଯେ, ଇଂଜିନିୟର ସୟଦ ମମତାଜ ଅଲ୍ଲୀ ଚଣ୍ଡିଖୋଲ-ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ବୋର୍ଡ ରାସ୍ତା ପ୍ରକଳ୍ପରେ ହିନ୍ଦୁସ୍ଥାନ କନଷ୍ଟ୍ରକ୍ସନ କମ୍ପାନି ଅଧୀନରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ୨୦୦୫ ନଭେମ୍ବର ୨୮ ବିଳମ୍ବିତ ରାତିରେ ଏହି କମ୍ପାନିର ଜେନସେଟ ଅପରେଟରଙ୍କୁ ପୁଲିସ ବଳପୂର୍ବକ ଉଠାଇ ନେଇଥିଲା। ନିଶାଶକ୍ତ ଅବସ୍ଥାରେ ଥିବା ପୁଲିସ ଅଧିକାରୀ ସେତେବେଳେ ଅପରେଟର ଓ ଅନ୍ୟଜଣଙ୍କୁ ମାଡ଼ ମାରିଥିଲେ। ଏହାର କାରଣ ଜାଣିବା ପାଇଁ ମମତାଜଙ୍କ ସହ ଅନ୍ୟମାନେ ଚକ୍ରଧରପୁର ପୁଲିସ ଆଉଟପୋଷ୍ଟକୁ ଯାଇଥିଲେ। ସେତେବେଳେ ଆଉଟପୋଷ୍ଟର ତତ୍କାଳୀନ ଇନଚାର୍ଜ ଏସଆଇ ମୁରଲୀଧର ସାହୁ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ମମତାଜଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ ମସିହା ଫେବୃଆରୀରେ ଆରଡିସି ତଦନ୍ତ ରିପୋର୍ଟ ଦେଇଥିଲେ। ଦୋଷୀ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଏହି ରିପୋର୍ଟରେ ସୁପାରିସ କରାଯାଇଥିଲା।

ଅନ୍ୟପକ୍ଷରେ ଉପଯୁକ୍ତ କ୍ଷତିପୂରଣ ଓ ଘଟଣାର ତଦନ୍ତ ପ୍ରସଂଗ ନେଇ ୨୦୦୬ରେ ହାଇକୋର୍ଟରେ ଆବେଦନକାରୀ ମାମଲା ଦାୟର କରିଥିଲେ। ଦୀର୍ଘ ବର୍ଷ ଧରି ମାମଲା ବିଚାରାଧୀନ ଥିବା ବେଳେ ସରକାର ୧୨ ବର୍ଷ ପରେ ଜବାବ ଦାଖଲ କରି ଘଟଣାକୁ ଭିନ୍ନ ରଂଗ ଦେବାକୁ ଚେଷ୍ଟା କରିଥିଲେ। ଏମିତିକି ଆରଡିସିଙ୍କ ରିପୋର୍ଟ ୨୦୦୬, ଫେବୃଆରୀରୁ ଦାଖଲ ହୋଇ ସାରିଥିବା ବେଳେ ରିପୋଟକୁ ଅପେକ୍ଷା କରାଯାଇଛି ବୋଲି ସରକାରଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

Related Posts