ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଏବେ ବଢିବାକୁ ଲାଗିଛି | ଲଗାତାର ଭାବେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି | ଆଜିକୁ ଯୁଦ୍ଧ ଚତୁର୍ଥ ଦିନରେ ପହଁଚିଥିବା ବେଳେ, କିନ୍ତୁ ରୁଷ ଆଗରେ ହାର ମାନିନି ୟୁକ୍ରେନ | ଋଷ ସେନା ୟୁକ୍ରେନର ଅନେକ ପ୍ରାନ୍ତ ଅଧିକାର କରିନେବା ସହ ଏବେ ବି ବିସ୍ଫୋରଣ ଓ ରକେଟ ମାଡ ଜାରି ରଖିଛି । ଅନ୍ୟପଟେ କାହାରି କଥା ଶୁଣୁନଥିବା ଋଷ ଉପରେ ଆକ୍ରୋଶ ମନୋଭାବ ପୋଷଣ କରିଛନ୍ତି ୟୁରୋପୀୟ ରାଷ୍ଟ୍ର ସମୂହ । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହାୟତା ଯୋଗାଇଦେବାକୁ ବ୍ରିଟେନ ସମୟ ୨୭ଟି ଦେଶ ପ୍ରତିଶୁତି ଦେଇଛନ୍ତି । ଏହା ଘୋଷଣା କରିଛନ୍ତି ନିଜେ ୟୁକ୍ରେନ ରାଷ୍ଟ୍ରପତି ବୋଲିଦାଭିର ଜେଲେନସ୍କି ।
ୟୁକ୍ରେନ୍କୁ ସହଯୋଗୀ ରାଷ୍ଟ୍ରମାନଙ୍କଠାରୁ ଏବେ ଅସ୍ତ୍ର ଆସିବା ଆରମ୍ଭ କରିଛି। ଯୁଦ୍ଧ ବିରୋଧୀ ମେଣ୍ଟ କାମ ଦେଉଛି ବୋଲି ଜେଲେନସ୍କି ଟ୍ବିଟ୍ କରି କହିଛନ୍ତି। ବ୍ରିଟେନ୍ ସମେତ ୨୭ଟି ରାଷ୍ଟ୍ର ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସହାୟତା ପଠାଇବାପାଇଁ ରାଜି ହୋଇଛନ୍ତି ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ୟୁକ୍ରେନ୍କୁ ଅସ୍ତ୍ର ପଠାଇବାପାଇଁ ପୂର୍ବରୁ ଯେଉଁ ରାଷ୍ଟ୍ରମାନେ ମନା କରୁଥିଲେ ସେମାନେ ଏବେ ଅସ୍ତ୍ର ପଠାଇବାକୁ ରାଜି ହୋଇଛନ୍ତି ବୋଲି ସେ କହିଛନ୍ତି |
ଅନ୍ୟପଟେ ରୁଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ୍କୁ ଚାରିଆଡୁ ଆକ୍ରମଣ କରିବ । ରୁଷିଆ କହିବା ଅନୁସାରେ ୟୁକ୍ରେନ ସହିତ ଆଲୋଚନା କରିବାକୁ ଚାହୁଁଛି । କିନ୍ତୁ ୟୁକ୍ରେନ୍ ଏଥିରେ ସହମତି ହେଉନାହିଁ । ତେଣୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେବାକୁ ରୁଷିଆ ପ୍ରସ୍ତୁତ ଅଛି ।
ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ନିଜର ଆକ୍ରମଣ ଶୈଳୀକୁ ଅଧିକ କରିବା ପାଇଁ ସେନାକୁ ଆଦେଶ ଦେଇଛି । ୟୁକ୍ରେନକୁ ଚାରିଆଡୁ ଆକ୍ରମଣ କରିବା ପାଇଁ କହିଛି । କିଭ୍ ନିକଟରେ ବେଲାରୁଷ ଠାରେ ହେବାକୁ ଥିବା ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ସୂଚନାଯୋଗ୍ୟ ୟୁକ୍ରେନକୁ ରୁଷିଆ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବରେ କୁହାଯାଇଥିଲା ଯେ, ବେଲାରୁଷରେ ରୁଷର ଏକ ପ୍ରତିନିଧି ମଣ୍ଡଳୀ ପଠାଯିବ । କିନ୍ତୁ ଏବେ ରୁଷିଆ ଦାବି କରିଛି ଯେ, ଏହି ପ୍ରସ୍ତାବକୁ ୟୁକ୍ରେନ ସ୍ୱୀକାର କରିନାହିଁ ।
