ଘଡାଇଙ୍କ ବାରଣ ! ବେପାରୀଙ୍କୁ ଦିଅନି ଖଣି

ସତ୍ୟପାଠ ବ୍ୟୁରୋ : ଖଣି ନିଲାମୀକୁ ବିରୋଧ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ଶ୍ରମିକ ନେତା ପ୍ରଫୁଲ ଘଡାଇ । ଘରୋଇ କମ୍ପାନୀ ହାତକୁ ଓଡିଶାର ଖଣିଜ ସମ୍ପଦକୁ ଟେକି ନଦେଇ ତାହାକୁ ରାଜ୍ୟ ସରକାର ନିଜ ଅଧିନରେ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଫୁଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି ପ୍ରଫୁଲ ଘଡାଇ । ବିଶେଷ କରି ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମାଇଟ୍ ଖଣିକୁ ରାଜ୍ୟ ସରକାର ନିଜ ପାଖରେ ରଖିବାକୁ ଅନୁରୋଧ କରିଛନ୍ତି ଘଡାଇ ବାବୁ ।

ନବୀନଙ୍କୁ ଲେଖିଥିବା ଚିଠିରେ ଘଡାଇ ବାବୁ ଉଲ୍ଲେଖ କରିଛନ୍ତି ଯେ, ଘରୋଇ କମ୍ପାନୀକୁ ନିଲାମ କରିବାକୁ ଥିବା ସୁକିନ୍ଦାର ତିନିଟି ଖଣିକୁ ସରକାର ନିଜ ପାଖରେ ରଖନ୍ତୁ । କମ୍ପାନୀ ବଦଳରେ ସରକାର ନିଜ ଅଧିନରେ ଥିବା Odisha Mining Corporation (OMC) କିମ୍ବା Industrial Development Corporation Limited (IDCOL)କୁ ପରିଚାଳନା କ୍ଷମତା ଦିଅନ୍ତୁ । ନିଲାମ ହେବାକୁ ଥିବା Tata Mines, Mishrilal Mines ଓ BC Mohanty and Sons Private Limited’s mines ଭଳି ତିନିଟି ଯାକ ଖଣି ସର୍ବାଧିକ କ୍ରୋମାଇଟ ମହଜୁଦ ଥିବାରୁ ଏହା ଘରୋଇ କମ୍ପାନୀ ହାତକୁ ରାଜ୍ୟ କ୍ଷତି ସହିବ । କମ୍ପାନୀ ମାନେ ନିଜସ୍ୱ ସ୍ୱାର୍ଥ ପାଇଁ ଧାର୍ଯ୍ୟ ସୀମା ଠାରୁ ଅଧିକ କ୍ରୋମାଇଟ ଉତ୍ତୋଳନ କରିବେ । କିନ୍ତୁ ସରକାର ନିଜ ପାଖରେ ଏହାକୁ ରଖିଲେ ସରକାରଙ୍କ ରାଜସ୍ୱ ବଢ଼ିବା ସହ ରାଜ୍ୟର ସ୍ୱାର୍ଥ ସାଧନ ହେବ ।

2015 MMDR Act ର ଆମେଣ୍ଡମେଣ୍ଟ ଅନୁସାରେ ମର୍ଚାଣ୍ଟ ମାଇନ୍ସର ଲିଜ୍ ଅବଧି ୨୦୨୦ ମାର୍ଚ୍ଚ ୩୧ ଯାଏଁ ଓ କ୍ୟାପଟିଭ୍ ମାଇନ୍ସର ଲିଜ୍ ଅବଧି ୨୦୩୦ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଛି । ଏରୁ ୨୦୨୦ ମାର୍ଚ୍ଚ ୩୧ ପୂର୍ବରୁ ରାଜ୍ୟ ସରକାର ୩୪ଟି ମର୍ଚାଣ୍ଟ ମାଇନ୍ସର ଅକସନ ପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଲେଣି । ଯାହା ଭିତରେ Tata Mines, Mishrilal Mines ଓ BC Mohanty and Sons Private Limited’s mines ଭଳି ତିନିଟି ଯାକ ଖଣିର ନାଁ ବି ରହିଛି । ଆଉ ଏହି ନିଲାମୀକୁ ବିରୋଧ କରି ନବୀନ ବାବୁଙ୍କ ଦୃଷ୍ଟିକୁ ଆଣିଛନ୍ତି ଘଡାଇ ବାବୁ ।
ଓଡିଶା ଅର୍ଥନିୀତିର ଏକ ବଡ ଆୟ ଉତ୍ସ ହେଉଛି ଖଣି । ଖାସ୍ କରି ଓଡିଶାର କ୍ରୋମାଇଟ ଖଣି । କାରଣ ଦେଶରେ ମିଳୁଥିବା କ୍ରୋମାଇଟର ୯୬ ପ୍ରତିଶତ କ୍ରୋମାଇଟ୍ ଯାଜପୁର ସୁକିନ୍ଦାରେ ଥିବା କ୍ରୋମାଇଟ ଖଣିରେ ମହଜୁଦ ରହିଛି । କେବଳ Tata Mines, Mishrilal Mines ଓ BC Mohanty and Sons Private Limited’s mines ରେ ଏହାର ସିଂହଭାଗ କ୍ରୋମାଇଟ ଭରି ରହିଛି । ଯାହାର ଚାହିଦା ବି ଢ଼େର ଅଧିକ । ୨୦୧୫ ଏପ୍ରିଲ ୧ ସୁଦ୍ଧା, ଦେଶରେ ୩୪୪ ମିଲିୟନ ଟନ କ୍ରୋମାଇଟ ଉପଲବ୍ଧ ଥିବା ବେଳେ କେବଳ ଓଡିଶାରେ ୩୩୦.୭୧୪ ମିଲିୟନ ଟନ କ୍ରୋମାଇଟ ଉପଲବ୍ଧ ରହିଥିଲା ।

ଆଉ ବଡ କଥା ହେଲା, ଏବେ ଯେଭଳି ଉତ୍ତୋଳନ ହେଉଛି ସେହିଭଳି ରହିଲେ, ଏହି ତିନି ଖଣି ଆହୁରି ପ୍ରାୟ ୬୦-୭୦ବର୍ଷ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଯଦି ଏହା ଘରୋଇ କମ୍ପାନୀ ହାତକୁ ଚାଲିଯାଏ ତେବେ ୩୦-୪୦ ବର୍ଷ ଭିତରେ ଖଣି ବନ୍ଦ ହୋଇଯିବ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡାଇ ।

Related Posts