ଓଡିଶା ସାମଗ୍ରୀର ରପ୍ତାନି ସୁଯୋଗ

ବିଦେଶକୁ ସାମଗ୍ରୀ ରପ୍ତାନି ଲାଗି ସୁବିଧା ସୁଯୋଗ ଓ ଭିତ୍ତିଭୂମି ସୃଷ୍ଟି କରିବା କ୍ଷେତ୍ରରେ ଓଡିଶା ଦେଶର ୫ଟି ଆଗୁଆ ରାଜ୍ୟ ମଧ୍ୟରେ ସାମିଲ ଥିବା ପରିପ୍ରେକ୍ଷୀରେ ରାଜ୍ୟର ସାମଗ୍ରୀ ରପ୍ତାନି ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହୋଇଛି ।

ରାଜ୍ୟ ସରକାରଙ୍କ ସର୍ବଶେଷ ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ ଓଡିଶା ବାର୍ଷିକ ପ୍ରାୟ ୫୩ହଜାର କୋଟି ଟଙ୍କାର ସାମଗ୍ରୀ ବିଭିନ୍ନ ଦେଶକୁ ରପ୍ତାନି କରୁଛି । ରାଜ୍ୟରୁ ରପ୍ତାନି ହେଉଥିବା ସାମଗ୍ରୀର ପ୍ରାୟ ତିନି ଚତୁର୍ଥାଂଶ ହେଉଛି ଧାତବଶିଳ୍ପରୁ ଉତ୍ପାଦିତ ପଦାର୍ଥ, ଖଣିଜ ପଦାର୍ଥ, ଇଲେକଟ୍ରୋନିକ ଓ ସଫ୍ଟୱେର ସାମଗ୍ରୀ ଏବଂ ବିଭିନ୍ନ ଇଞ୍ଜିନିୟରିଂ ଓ ରସାୟନିକ ସାମଗ୍ରୀ ।

ଏହି ରିପୋର୍ଟରେ ପ୍ରକାଶିତ ସରକାରୀ ତଥ୍ୟ ମୁତାବକ ଗୋଟିଏ ବର୍ଷରେ ଓଡିଶାରୁ ୩୧,୫୬୬କୋଟି ଟଙ୍କାର ଧାତବ ସାମଗ୍ରୀ ରପ୍ତାନି ହୋଇଥିବାବେଳେ ୮୧୧୮ କୋଟି ଟଙ୍କାର ଖଣିଜ ସାମଗ୍ରୀ ମଧ୍ୟ ବିଦେଶକୁ ପଠାଯାଇଛି । ଏହାଛଡା ୫୮୯୩କୋଟି ଟଙ୍କାର ଇଞ୍ଜିନିୟରିଂ ଓ ରସାୟନିକ ସାମଗ୍ରୀ, ୩୭୭୬କୋଟି ଟଙ୍କାର ଇଲେକଟ୍ରୋନିକ୍ସ ଓ ସଫ୍ଟୱେର ଉପକରଣ ଓଡିଶା ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଯୋଗାଇଛି ।

ରପ୍ତାନି କ୍ଷେତ୍ରରେ ଓଡିଶାର ଚିଙ୍ଗୁଡି, ମାଛ, କଙ୍କଡା ସମେତ ୩୦୮୬କୋଟି ଟଙ୍କାର ବିଭିନ୍ନ ସାମୁଦ୍ରିକ ପଦାର୍ଥ ଅନ୍ୟୁନ ୪୨ଟି ଦେଶକୁ ରପ୍ତାନି ହୋଇଛି । ଆର୍ଥିକ ସର୍ଭେ ରିପୋର୍ଟର ତଥ୍ୟ ଅନୁଯାୟୀ ଓଡିଶାରୁ ୪୦ଟି ଦେଶ ଇଲେକଟ୍ରୋନିକ୍ସ ଓ ସଫ୍ଟୱେର ସାମଗ୍ରୀ ଆମଦାନୀ କରିଥିବାବେଳେ ୭୦ଟି ଦେଶ ରାଜ୍ୟରେ ନିର୍ମିତ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ରସାୟନିକ ସାମଗ୍ରୀ ନେଇଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିର୍ମିତ ଧାତବ ସାମଗ୍ରୀ ୪୧ଟି ଦେଶକୁ ରପ୍ତାନି ହୋଇଛି । ଏବେ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରପ୍ତାନି ପ୍ରସ୍ତୁତି ସୂଚୀରେ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ ଓ ରାଜସ୍ଥାନ ସହ ଓଡିଶା ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ତେଣୁ ଲକ୍‍ଡାଉନ୍‍ ସତ୍ୱେ ଏସବୁ ସାମଗ୍ରୀ କିପରି ଅଧିକ ପରିମାଣରେ ବିଦେଶକୁ ରପ୍ତାନି ହୋଇପାରିବ ସେ ଦିଗରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗମାନ ଉଦ୍ୟମ କରୁଛନ୍ତି ।

ତେବେ ବିଡମ୍ବନାର କଥା ହେଉଛି ଯେ ଉକ୍ରର୍ଷ କଳାର ରାଜ୍ୟ ଭାବେ ଉକ୍ରଳର ସ୍ୱତନ୍ତ୍ର ପରିଚିତି ଥିବାବେଳେ ହସ୍ତତନ୍ତ, ହସ୍ତଶିଳ୍ପ ଆଦି ସାମଗ୍ରୀ ରାଜ୍ୟରୁ ବିଦେଶକୁ ପର୍ଯ୍ୟାପ୍ତ ପରିମାଣରେ ପଠାଯାଇ ପାରୁନାହିଁ । ଆର୍ଥିକ ସର୍ଭେ ରିପୋର୍ଟର ସର୍ବଶେଷ ତଥ୍ୟ ଅନୁଯାୟୀ ଉକ୍ତ ବର୍ଷରେ ଓଡିଶାରୁ ୧୭ଟି ଦେଶକୁ ମାତ୍ର ୫୩ଲକ୍ଷ ଟଙ୍କାର ହସ୍ତତନ୍ତ ସାମଗ୍ରୀ, ୯ଟି ଦେଶକୁ କୋଟିଏ ୬୩ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ଓ ୫ଟି ଦେଶକୁ ୧୫କୋଟି ୩୧ଲକ୍ଷ ଟଙ୍କାର ବୟନଶିଳ୍ପ ସାମଗ୍ରୀ ରପ୍ତାନି ହୋଇଛି । ଏହି ବର୍ଷରେ ୫ଟି ଦେଶକୁ ୧୩କୋଟି ୬୭ଲକ୍ଷ ଟଙ୍କାର ଔଷଧୀୟ ସାମଗ୍ରୀ ଓଡିଶା ରପ୍ତାନି କରିଥିବାବେଳେ ୮ଟି ଦେଶକୁ ୧୬୫କୋଟି ୨୨ଲକ୍ଷ ଟଙ୍କାର କୃଷି ଓ ଜଙ୍ଗଲଜାତ ସାମଗ୍ରୀ ରପ୍ତାନି କରିଛି ।

ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ ଅନୁକୂଳ ପରିବେଶ ରହିଥିବା ଯୋଗୁଁ ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ, କୃଷି ଶିଳ୍ପ ଆଦିର ବିପୁଳ ସାମଗ୍ରୀ ଓଡିଶା ବିଦେଶକୁ ରପ୍ତାନି କରିବାର ସମ୍ଭାବନା ରହିଛି ଏବଂ ଏହାଦ୍ୱାରା ରାଜ୍ୟର ଅର୍ଥନୀତିର ବ୍ୟାପକ ପରିବର୍ତ୍ତନ ଆସିପାରିବ ।

Related Posts