ଚିନ୍ତା ବଢ଼ାଇଲା କୃଷିମନ୍ତ୍ରୀଙ୍କ ବୟାନ : ସରକାରଙ୍କ ପାଖରେ ନାହିଁ ଚାଷୀ ଆତ୍ମହତ୍ୟା ତଥ୍ୟ

ସତ୍ୟପାଠ ବ୍ୟୁରୋ : ଦେଶରେ କେତେ ଚାଷୀ ଆତ୍ମହତ୍ୟା ହେଉଛି ତାହାର ହିସାବ ନାହିଁ କେନ୍ଦ୍ର ସରକାରଙ୍କ ପାଖରେ । ୨୦୧୫ ଠାରୁ ଏଯାବତ୍ କେଉଁ ରାଜ୍ୟର କେତେ ଚାଷୀ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହାର ତଥ୍ୟ ନଥିବା କହିଛନ୍ତି ଖୋଦ୍ କେନ୍ଦ୍ର କୃଷିମନ୍ତ୍ରୀ । ଲୋକସଭାରେ ଏକ ତାରକା ପ୍ରଶ୍ନର ଉତ୍ତରରେ ଏହା ଜଣାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ପୁରୁଷୋତ୍ତରମ ରୁପାଲା । ଯାହା ସମସ୍ତଙ୍କୁ ହତଚକିତ କରିଛି ।

କେନ୍ଦ୍ରମନ୍ତ୍ରୀଙ୍କ କହିବା କଥା, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପାଖରେ ଏନେଇ ତଥ୍ୟ ଉପଲବ୍ଧ ହୋଇପାରିନି । କିଛି ରାଜ୍ୟରୁ ଏନେଇ ତଥ୍ୟ ମିଳି ପାରିନି । ତେଣୁ ୨୦୧୫ ପରଠାରୁ କେନ୍ଦ୍ର ସରକାରଙ୍କ ପାଖରେ ଏ ସମ୍ପର୍କିତ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ ।

ବଡକଥା ହେଉଛି, ଏହା କୌଣସି ବର୍ଷକର କଥା ନୁହେଁ । ୨୦୧୫ ଠାରୁ ଏଯାଏଁ ଅର୍ଥାତ ୪ବର୍ଷର ହିସାବ କିଭଳି ସରକାରଙ୍କ ପାଖରେ ନାହିଁ ତାହା ତାଜୁବ କରୁଛି । ଗତବର୍ଷ ଲୋକସଭାରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁସାରେ ୨୦୧୬ରେ ୬ହଜାର ୩୫୧ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ । ତେବେ ଏହା କଣ ଭୁଲ ଥିଲା କି ବୋଲି ପ୍ରଶ୍ନ ଉଠିଛି । ଦୁଇଟା ଭିତରୁ କେଉଁଟା ଠିକ୍ । ତଥ୍ୟ ନାହିଁ ତଥ୍ୟ ଲୁଚାଯାଉଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଆଶ୍ଚର୍ଯ୍ୟର କଥା ହେଉଛି, ଚାଷୀ ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । ତଥାପି ପ୍ରତିଦିନ ଚାଷୀ ଆତ୍ମହତ୍ୟା ଭଳି ଦୁଃଖଦ ଖବର ଆସୁଛି । ତଦନ୍ତ ବି ହେଉଛି । ରିପୋର୍ଟ ବି ଦିଆଯାଉଛି । କିନ୍ତୁ ଡାଟା ଆନାଲିସିସ୍ କରୁଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପାଖରେ ଏନେଇ କିଛି ଖବର ନାହିଁ । ବିଗତ ଦିନରେ ମହାରାଷ୍ଟ୍ର, ବିହାର ଓ ଉତ୍ତରପ୍ରଦେଶରେ ଚାଷୀ ଆତ୍ମହତ୍ୟା ସ୍ଥିତି ସବୁଠୁ ଚିନ୍ତାଜନକ ଥିଲା । କିନ୍ତୁ ଏ ରେକର୍ଡ ବି ସରକାରଙ୍କ ପାଖରେ ନାହିଁ ।

ବିଗତ ୪ବର୍ଷର ଚାଷୀ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗର ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖରେ ନଥିବା ଜଣାପଡିବା ପରେ ପ୍ରଶାସନିକ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ଉଦବେଗର କଥା ହେଉଛି, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ, ୨୦୧୩ରେ ୧୧ହଜାର ୭୭୨ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୨୦୧୪ରେ ୧୨ହଜାର ୩୬୦ ଓ ୨୦୧୫ରେ ୧୨ହଜାର ୬୦୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଯଦି ହିସାବ ଦେଖାଯାଏ ତେବେ ୨୦୧୩ରେ ଏହି ହାର ୮.୭ ପ୍ରତିଶତ ଥିବା ବେଳେ ୨୦୧୪ ଓ ୨୦୧୫ରେ ଏହା ୯.୪ ପ୍ରତିଶତକୁ ବୃଦ୍ଧି ପାଇଛି । ତେଣୁ ସେ ଦୃଷ୍ଟିରୁ ୨୦୧୬ ଠାରୁ ଏଯାଏ ଏହି ହାର ବୃଦ୍ଧି ପାଇଥିବା ସନ୍ଦେହ କରିଛନ୍ତି ବିରୋଧୀ । ଯେଉଁଥିପାଇଁ ଜାଣିଶୁଣି ସରକାର ତଥ୍ୟ ଲୁଚାଉଛନ୍ତି ବୋଲି କହିଛନ୍ତି କଂଗ୍ରେସ ସାଂସଦ ତରୁଣ ଗୋଗେଇ ।

Related Posts