କାଳିଆ ଯୋଜନାରେ ଚାଷୀଙ୍କୁ ୫ ହଜାର ଟଙ୍କା ଦେଇଦେଲେ ଚାଷୀ ମୁକ୍ତି ପାଇଯିବ ନାହିଁ; ଏସବୁ କେବଳ ଭୋଟ ପାଇଁ: ନରସିଂହ ମିଶ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ଉଭୟ ମାଳ ମାଳ ସ୍କିମ ଆଣୁଛନ୍ତି । କିନ୍ତୁ ଚାଷୀ ଏଥିରୁ ଉପକୃତ ହୋଇପାରୁ ନାହାନ୍ତି । ଏପରିକି ଅମଳ କରିଥିବା ଧାନକୁ ମଧ୍ୟ ଉଚିତ ଦାମରେ ବିକି ପାରୁ ନାହାନ୍ତି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ବଡ଼ ବୟାନ ଦେଇଛନ୍ତି । ତେବେ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଅସାଧୁ ବ୍ୟବସାୟୀ ଓ ମିଲ୍ ମାଲିକମାନଙ୍କ ସହ ସରକାର ହାତ ମିଳାଇଛନ୍ତି। ମିଲ୍ ମାଲିକଙ୍କୁ କମ୍ ଦରରେ ଧାନ ବିକିବା ପାଇଁ ଚାଷୀଙ୍କୁ ଏକ ପ୍ରକାର ବାଧ୍ୟ କରାଯାଉଛି। ମଣ୍ଡିରେ ସିସିଟିଭି ଲାଗୁନି। ସମ୍ପୂର୍ଣ୍ଣ ଧାନ କିଣା ପ୍ରକ୍ରିୟାରେ ଠକେଇ ପାଇଁ ବାଟ ଖୋଲିଦିଆଯାଇଛି ବୋଲି ବିଧାନସଭାରେ ଏମିତି ଆରୋପ ଲଗାଇ ସରକାରଙ୍କୁ ଭର୍ତ୍ସନା କରି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ କଂଗ୍ରେସ ପକ୍ଷରୁ ‘ରାଜ୍ୟରେ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଓ କଟ୍ନି ଛଟ୍ନି ଯୋଗୁ ଚାଷୀମାନେ ଶୋଷଣର ଶିକାର’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା।

ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ସରକାର ନିର୍ବାଚନରେ ବ୍ୟସ୍ତ ରହି ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଲେନି। ସେମାନେ କ୍ଷତି ସହିଲେ। ଚାଷୀଙ୍କ ଠାରୁ ଧାନ କିଣିବା ଏଫ୍ସିଆଇର ପ୍ରାଥମିକ କାର୍ଯ୍ୟ। ସବୁ ପଞ୍ଜୀକୃତ ଚାଷୀଙ୍କ ବଳକା ଧାନକୁ କିଣିବାକୁ ଏଫ୍ସିଆଇ ବାଧ୍ୟ। କିନ୍ତୁ ଏଥର କାହିଁକି ସମସ୍ତ ପଞ୍ଜୀକୃତ ଚାଷୀ ଧାନ ବିକିପାରିଲେ ନାହିଁ? ମନ୍ତ୍ରୀଙ୍କ ପାଖରେ ଚାଷୀଙ୍କର ପ୍ରକୃତ ସଂଖ୍ୟା ସମ୍ପର୍କରେ ତଥ୍ୟ ନାହିଁ। ରାଜ୍ୟର ସବୁ ଚାଷୀ ପଞ୍ଜୀକୃତ ନ ହେବାର କାରଣ କ’ଣ? ଧାନ କିଣିଲା ବେଳେ କଟ୍ନି ଛଟ୍ନି ସମ୍ପୂର୍ଣ୍ଣ ବନ୍ଦ ହେବା ଉଚିତ। କିନ୍ତୁ ଏବେ ବି ସବୁଠି ଏହା ଚାଲିଛି। ଯେଉଁମାନେ ଏପରି କାମ କରୁଛନ୍ତି ସେମାନଙ୍କ ବିରୋଧରେ କି ଦଣ୍ଡବିଧାନ କରାଯାଉଛି? ସରକାରୀ ନିର୍ଦ୍ଦେଶ ଥିଲା ଯେ ଧାନ କିଣାଗଲା ପରେ ମିଲ୍ ମାଲିକମାନେ ମଣ୍ଡିରେ ରହିବେ ନାହିଁ। ଧାନ କିଣାରେ ଅନିୟମିତତାକୁ ଧରିବା ପାଇଁ ମଣ୍ଡିରେ ସିସିଟିଭି ଲାଗିବ। କିନ୍ତୁ ଏ ଯାଏ କାହିଁକି ସବୁଠି ସିସିଟିଭି ଲାଗିପାରିଲା ନାହିଁ?

ଯେଉଁଠି ବି ଲାଗିଛି ତାହା ମଧ୍ୟରୁ ଅଧିକାଂଶ ଜାଗାରେ ସିସିଟିଭି କାମ କରୁନି। ଠକେଇ ପାଇଁ ବାଟ ଖୋଲାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ସବୁଠି ଧାନ କିଣା ନିୟମର ଖୋଲା ଉଲ୍ଲଂଘନ ହେଉଛି। ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି। ଧାନ କିଣାକୁ ବ୍ୟବସ୍ଥିତ କରିବା ପାଇଁ ବିଧାନସଭାର ଷ୍ଟାଣ୍ଡିଂ କମିଟି ବହୁ ସୁପାରିସ୍ କରିଛି। କିନ୍ତୁ ତାହାର ଆକ୍ସନ୍ ଟେକେନ୍ ରିପୋର୍ଟ ନାହିଁ। ଶ୍ରୀ ମିଶ୍ର ତାତ୍ସଲ୍ୟ କରି କହିଥିଲେ ଯେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ୍ କରିଦେଲେ ଚାଷୀ ତାହାର ସୁଫଳ ପାଇପାରିବ ନାହିଁ। କାଳିଆ ଯୋଜନାରେ ୫ ହଜାର ଟଙ୍କା ଦେଇଦେଲେ ଚାଷୀ ମୁକ୍ତି ପାଇଯିବ ନାହିଁ। ଏସବୁ କେବଳ ଭୋଟ୍ ପାଇଁ। ଚାଷୀଙ୍କୁ କରାଯାଉଥିବା ଶୋଷଣ ତୁରନ୍ତ ବନ୍ଦ କରାଯାଉ।

ସେମାନଙ୍କ ଆୟ ବୃଦ୍ଧି ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର ଦାବି କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଚଳିତ ବର୍ଷ ଧାନ ଚାଷୀ ଧାନ ବିକିବା ଆଗରୁ ବର୍ଷା ହେଲା। ଏହା ମିଲ୍ ମାଲିକଙ୍କୁ ସୁହାଇଲା। କ୍ବିଣ୍ଟାଲ୍ ପିଛା ୧୦ କେଜି ଲେଖାଏ କାଟି ଦିଆଯାଇଛି। ଏବେ ବି ମଣ୍ଡିରେ ଧାନ ପଡ଼ି ରହିଛି। ଚାଷୀ କାନ୍ଦୁଛି ବୋଲି ନରସିଂହ ମିଶ୍ର କହିଛନ୍ତି । ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ବିରୋଧୀଙ୍କ ଅଭିଯୋଗ ତଥ୍ୟ ଉପରେ ଆଧାରିତ ନୁହେଁ। ନିର୍ବାଚନ ଯୋଗୁ ଆଦୌ ଚାଷୀଙ୍କୁ ଅଣଦେଖା କରାଯାଇ ନାହିଁ। ଧାନ ସଂଗ୍ରହ କାର‌୍ୟ୍ୟକ୍ରମ ରାଜ୍ୟ ସରକାରଙ୍କ ପ୍ରାଥମିକତା ମଧ୍ୟରେ ଅନ୍ୟତମ ବୋଲି କହିଛନ୍ତି ।

Related Posts