ଦିଲ୍ଲୀରେ ପ୍ରସବ ପରେ ପ୍ରାଣ ହରାଉଥିବା ମହିଳାଙ୍କ ସଂଖ୍ୟାକୁ ନେଇ ଆଇଟିଆଇର ସାଙ୍ଘାତିକ ତଥ୍ୟ: ପ୍ରତି ମାସରେ ହାରାହାରି ୧୬ ଜଣ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ; ଦିଲ୍ଲୀରେ ଫେଲ୍ ମାରିଛି କେନ୍ଦ୍ର ସରକରାଙ୍କ ଦ୍ୱାରା ପରିଚାଳିତ ମାତୃ ମୃତ୍ୟୁ ହାର କମାଇବା ଯୋଜନା। ଶତ ଚେଷ୍ଟା ସତ୍ତ୍ୱେ ଚାରୋଟି ବଡ଼ ହସ୍ପିଟାଲରେ ପ୍ରତି ମାସରେ ହାରାହାରି ୧୬ ଜଣ ମହିଳା ପ୍ରସବ ପରେ ପ୍ରାଣ ହରାଉଥିବା ଆଇଟିଆଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହାର ଖୁଲାସା ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଏମ୍ସ, ରାମ ମନୋହର ଲୋହିୟା ହସ୍ପିଟାଲ, ସଫଦରଜଙ୍ଗ ହସ୍ପିଟାଲ ଏବଂ ଲେଡୀ ହାଡିଙ୍ଗ ମେଡିକାଲ କଲେଜ ସହ ଅନୁବନ୍ଧିତ ସୁଚେତା କୃପାଲାନୀ ହସ୍ପିଟାଲରେ ୨୦୧୫ ଜାନୁଆରୀରୁ ୨୦୨୧ ଡିସେମ୍ୱର ମଧ୍ୟରେ ଶିଶୁ ଜନ୍ମ ଦେବା ପରେ ୧,୨୮୧ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ମାତୃ ମୃତ୍ୟୁ ହାର ରୋକିବା ମାମଲାରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ। ଏଠାରେ ଗତ ୮୧ ମାସରେ ପ୍ରତି ମାସରେ ହାରାହାରି ୧୧ରୁ ଅଧିକ ମହିଳାଙ୍କ ପ୍ରସବ ପରେ ମୃତ୍ୟୁ ହୋଇଛି।

୨୦୧୫ରୁ ୨୦୨୧ ମଧ୍ୟରେ ଏହି ହସ୍ପିଟାଲ ଗୁଡିକରେ କେତେ ଶିଶୁଙ୍କ ଜନ୍ମ ହୋଇଛି ଏବଂ ପ୍ରସବ ପରେ କେତେ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ଏହି ମୃତ୍ୟୁ ପଛର କାରଣ କଣ ଜାଣିବା ପାଇଁ ଆରଟିଆଇରେ ଆବେଦନ କରାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ଏହି ସମୟ ମଧ୍ୟରେ ଚାରୋଟି ହସ୍ପିଟାଲରେ ୨.୭୩ ଲକ୍ଷରୁ ଅଧିକ ଶିଶୁ ଜନ୍ମ ହୋଇଛନ୍ତି। ସଫଦରଜଙ୍ଗ ହସ୍ପିଟାଲରେ ୨୦୧୫ ଜାନୁଆରୀରୁ ୨୦୨୧ ସେପ୍ଟେମ୍ୱର ମଧ୍ୟରେ ଏଠାରେ ୧.୬୮ ଲକ୍ଷ ପିଲାଙ୍କ ଜନ୍ମ ହୋଇଥିଲା । ଏହି ସମୟରେ ୯୪୩ ଜଣ ମହିଳାଙ୍କ ପ୍ରସବ ପରେ ମୃତ୍ୟୁ ହୋଇଛି। ତେବେ କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନା ଅନୁସାରେ, ପ୍ରସବ ପରେ ସବୁଠୁ କମ ମୃତ୍ୟୁ ଏମ୍ସରେ ହୋଇଛି। ୨୦୧୫ ଜାନୁଆରୀରୁ ୨୦୨୧ ଜୁଲାଇ ମଧ୍ୟରେ ଶିଶୁ ଜନ୍ମ ପରେ ୨୯ ମହିଳାଙ୍କ ମୃତ୍ୟୁ ହୋଇଛି । ଆରଟିଆଇରୁ ମିଳିଥିବା ସୂଚନାରେ ଆରଏମଏଲରେ ଏହି ଅବଧିରେ ୫୯ ଏବଂ ସୁଚେତା କୃପଲାନୀରେ ୨୫୦ ମହିଳାଙ୍କ ପ୍ରସବଙ୍କ ମୃତ୍ୟୁ ହୋଇଛି।

ସଫଦରଜଙ୍ଗକୁ ଛାଡି ଅନ୍ୟ ତିନି ହସ୍ପିଟାଲ ମହିଳାଙ୍କ ମୃତ୍ୟୁ ବାବଦରେ ତଥ୍ୟ ଦେଇଛି। ଗୁରୁତର ସଂକ୍ରମଣ, ଅତ୍ୟଧିତ ରକ୍ତସ୍ରାବ, ସେପ୍ଟିକ ଷ୍ଟ୍ରୋକ, ହୃଦଘାତ ମହିଳାଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି କୁହାଯାଇଛି। କ୍ୟାଗର ରିପୋର୍ଟ ଅନୁସାରେ ଦେଶରେ ମାତୃ ମୃତ୍ୟୁ ହାର ଅନୁପାତରେ ୧୦ ଅଙ୍କ ହ୍ରାସ ହୋଇଛି। ଏଥିରେ କୁହାଯାଇଛି ୨୦୧୭-୧୯ ମଧ୍ୟରେ ଭାରତରେ ଏମଏମଆର ହ୍ରାସ ହୋଇ ୧୦୩ରେ ପହଞ୍ଚିଛି ।

Related Posts