ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ପ୍ରତିବାଦ କରାଯାଉଛି । ବିଶେଷ କରି ବିହାରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଅନ୍ୟପକ୍ଷରେ ପୁଲିସ ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି ।

ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏଶନ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନଗୁଡ଼ିକ ପକ୍ଷରୁ ବିହାର ବନ୍ଦ ଡାକରା ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ବନ୍ଦ ପାଳନକୁ ଲାଲୁ ଯାଦବଙ୍କ ଆରଜେଡି ସମେତ ବାମଦଳଗୁଡ଼ିକ ସମର୍ଥନ କରିଛନ୍ତି । ରାଜ୍ୟର ବିଭିନ୍ନ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ପାଳନ ବେଳେ ଅତ୍ୟାବଶ୍ୟକ ସେବାକୁ ପ୍ରତିବନ୍ଦକରୁ ହଟାଇ ଦିଆଯାଇ ଥିବା ଜଣାପଡ଼ିଛି । ରାଜ୍ୟରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ପୋର୍ସ ମୁତୟନ କରାଯାଇଛି ।