
ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପାଇଁ ଆଉ ଏକ ବଡ଼ ସଫଳତା । ‘ନାସା’ ପକ୍ଷରୁ ମଙ୍ଗଳ ଗ୍ରହକୁ ପ୍ରେରଣ କରାଯାଇଥିବା ‘ଇନ୍ସାଇଟ୍’ ଲ୍ୟାଣ୍ଡର୍ ସାଟେଲାଇଟ୍ ସେଠାରେ ପବନର କମ୍ପନ ରେକର୍ଡ କରିଛି । ଏବେ ପୃଥିବୀବାସୀ ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରେ ପ୍ରବାହିତ ପବନର କ୍ଷୀଣ ତରଙ୍ଗ ଶୁଣି ପାରିବେ ବୋଲି ନାସା ପକ୍ଷରୁ କୁହାଯାଇଛି ।
ଘଣ୍ଟା ପ୍ରତି ୧୦ ରୁ ୧୫ କିଲୋମିଟର ବେଗରେ ପ୍ରବାହିତ ଶକ୍ତିଶାଳୀ ପବନ ‘ଇନ୍ସାଇଟ୍’ର ସୋଲାର୍ ପାନେଲ୍ ବା ସୌରଶକ୍ତି ଫଳକ ଉପର ଦେଇ ପ୍ରବାହିତ ହେବା ସମୟରେ ଏହାକୁ ରେକର୍ଡ କରାଯାଇଥିଲା । ଦୁଇଟି ସେନ୍ସର୍ ଏହି କମ୍ପନ ଧ୍ୱନିକୁ ରେକର୍ଡ କରିଛନ୍ତି । ସେଗୁଡ଼ିକ ହେଲା ସାଟେଲାଇଟ୍ ଭିତରେ ଥିବା ଏକ ଏୟାର ପ୍ରେସର୍ ସେନ୍ସର୍ ଓ ଏହାର ଡେକ୍ରେ ଥିବା ଏକ ସିସ୍ମୋମେଟର୍ । ‘ଇନ୍ସାଇଟ୍’ର ରୋବୋଟିକ୍ ହାତ ସେଗୁଡ଼ିକୁ ମଙ୍ଗଳ ପୃଷ୍ଠରେ ମୁତୟନ କରିବ ।
ଏକ ସାମ୍ବାଦିକ ସମ୍ମିଳନୀରେ ଲଣ୍ଡନ୍ସ୍ଥିତ ଇମ୍ପେରିୟାଲ୍ କଲେଜର ପ୍ରଫେସର ଟୋମାସ୍ ପାଇକ୍ କହିଛନ୍ତି, ଏହା ହେଉଛି ସ୍ୱଳ୍ପକାଳୀନ ସିସ୍ମୋମିଟର୍ର ପ୍ରଥମ ୫ ମିନିଟ୍ର ତଥ୍ୟ । ଏହା ପବନରେ ଗୋଟିଏ ପତାକା ଉଡ଼ିବାର ଶବ୍ଦ ଭଳି । ଏହା ଠିକ୍ ଅନ୍ୟ ଜଗତର ଶବ୍ଦ ଭଳି । ମଙ୍ଗଳ ପୃଷ୍ଠର ଏହି ପବନର ଏକ ଅଡିଓ ଟ୍ରାକ୍ ଏବେwww.nasa.gov/insightmarswindରେ ଶୁଣିବାକୁ ମିଳୁଛି।
କାଲିଫର୍ଣ୍ଣିଆ ପାସାଡେନାଠାରେ ଥିବା ନାସାର ଜେଟ୍ ପ୍ରୋପଲ୍ସନ୍ ଲାବରେଟୋରୀର ପ୍ରଧାନ ଗବେଷକ ବ୍ରୁସ୍ ବ୍ୟାନେର୍ଡ କହିଛନ୍ତି, ସ୍ଥାନୀୟ ସମୟ ଅପରାହ୍ଣ ୫ଟାରେ ଉତ୍ତରପଶ୍ଚିମରୁ ଦକ୍ଷିଣପଶ୍ଚିମକୁ ପ୍ରବାହିତ ହେଉଥିବା ପବନକୁ ବାରିବା ଥିଲା ଏକ ଯୋଜନା ବହିର୍ଭୁତ ଯୋଜନା ।
ଗତ ନଭେମ୍ବର ୨୬ରେ ମାନବ ବିହୀନ ସାଟେଲାଇଟ୍ ‘ଇନ୍ସାଇଟ୍’କୁ ମଙ୍ଗଳ ପୃଷ୍ଠରେ ଅବତରଣ କରାଇଥିଲା ନାସା । ମଙ୍ଗଳ ପୃଷ୍ଠ ସମ୍ପୂର୍ଣ୍ଣ ରୂପେ ଧୂଳିରେ ପରିପୂର୍ଣ୍ଣ ଓ ଟାଙ୍ଗରା । ୧୯୭୬ରେ ଅବତରଣ କରିଥିବା ନାସାର ଭାଇକିଙ୍ଗ୍ ୧ ଏବଂ ୨ ଲ୍ୟାଣ୍ଡର୍ ମଧ୍ୟ ମଙ୍ଗଳୀୟ ପବନର ସଙ୍କେତ ଧରି ପାରିଥିଲା । ସେ ଦୁଇଟି ସାଟେଲାଇଟ୍ ରେକର୍ଡ କରିଥିବା ତରଙ୍ଗ ଏତେ କ୍ଷୀଣ ଥିଲା ଯେ ତାହାକୁ ଶୁଣିବା ମଣିଷ ପକ୍ଷରେ ଅସମ୍ଭବ ଥିଲା ।