ବନ୍ୟା ପରିସ୍ଥିତି: ବଢିଲା ଯୁକ୍ତ ଦୁଇ ନାମଲେଖା ପାଇଁ ସମୟ ସୀମା

ଭୁବନେଶ୍ୱର: ରାଜ୍ୟରେ ଏବେ ଦେଖାଯାଇଥିବା ବନ୍ୟା ପରିସ୍ଥିତି । ଅନେକ ଲୋକ ଜଳଘେର ମଧ୍ୟରେ ଥିବା ବେଳେ, ଅନେକ ରାସ୍ତାଘାଟ ଜଳମଗ୍ନ ହୋଇପଡିଛି । ତେବେ ରାଜ୍ୟରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି କୁ ଦୃଷ୍ଟିରେ ରଖି ଆଜି ଗଣଶିକ୍ଷା ବିଭାଗ ଯୁକ୍ତ ଦୁଇ ନାମଲେଖା ପାଇଁ ସମୟ ସୀମା ବୃଦ୍ଧି କରିଛି |

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି | ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବାର ଥିଲା । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନାମଲେଖା ଜାରି ରହିବ ବୋଲି କୁହାଯାଇଥିଲା | ଏବେ ନାମଲେଖା ପାଇଁ ସମୟ ସୀମା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ୨ୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଯାଏଁ ଥିଲା | ଏବେ ଏହା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି |

ସେହିପରି ତତ୍କାଳନ ନାମଲେଖାର ଅବଧି ସେପ୍ଟେମ୍ବର ୧୫ ଓ ୧୬ ତାରିଖ ଥିବାବେଳେ ଏବେ ଏହା ସେପ୍ଟେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ | ସୂଚନା ଥାଉ କି ଚଳିତ ବର୍ଷ ଯୁକ୍ତ୨ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ ୪,୮୦,୭୦୪ ଛାତ୍ରଛାତ୍ରୀ। ୪,୦୪,୪୦୦ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୨,୪୯,୭୧୩ ଜଣ ଇଣ୍ଟିମେସନ ପାଇଥିବାବେଳେ ବିଜ୍ଞାନରେ ୧,୧୭,୬୫୩ ଜଣ ଇଣ୍ଟିମେସନ ପାଇଛନ୍ତି। ସେହିଭଳି ବାଣିଜ୍ୟରେ ୪୫,୩୩୨ ଜଣ ଛାତ୍ରଛାତ୍ରୀ ଇଣ୍ଟିମେସନ ପାଇଛନ୍ତି। ସଂସ୍କୃତରେ ୧୩,୨୬୮ ଓ ଧନ୍ଦାମୂଳକରେ ୧୦,୨୩୨ ଜଣଙ୍କୁ ଇଣ୍ଟିମେସନ ମିଳିଛି।

Related Posts