ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମ ବନ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଆସାମ ହୋଜଇ ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କୁ ନେଇ ଯାଉଥିବା ଗୋଟିଏ ଡଙ୍ଗା ଓଲଟି ପଡ଼ିଥିବାର ଖବର ସାମ୍ନାକୁ ଆସିଛି । ତେବେ ସେଥିରେ ଥିବା ଅନ୍ୟ ୨୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ୨୪ ଜଣଙ୍କୁ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଇସଲାମପୁର ଗାଁରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯାଉଥିଲେ ।ରାୟକୋଟା ଅଞ୍ଚଳରେ ଡଙ୍ଗା ପାଣିରେ ବୁଡିରହିଥିବା ଇଟାଭାଟି ସହ ଧକ୍କା ହୋଇଥିଲା ।

ଧକ୍କା ହେବା ପରେ ଡଙ୍ଗା ବୁଡିଯାଇଥିଲା ଯେଉଁଥିରେ ୩ ଜଣ ବର୍ତ୍ତମାନ ମଧ୍ୟ ନିଖୋଜ ରହିଛନ୍ତି । ଆସାମର ୨୮ ଜିଲ୍ଲାର ୧୮.୯୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇସାରିଛନ୍ତି । ବନ୍ୟା ଓ ଭୂସ୍କଳନରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଏନଡିଆରଏଫ ଓ ଏସଡିଆରଏଫର ସୁରକ୍ଷାବଳ ୨୧ ଜଣଙ୍କୁ ସୁରକ୍ଷିତ ପାଣିରୁ ଉଦ୍ଧାର କରିସାରିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ୩ ଶିଶୁ ନିଖୋଜ ରହିଛନ୍ତି । ସେମାନଙ୍କ ତଲାସି ଅଭିଯାନ ବର୍ତ୍ତମାନ ମଧ୍ୟ ଜାରିରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।