ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ରଙ୍କୁ ଯୋରଦାର ବିରୋଧ | ଆଉ ବିରୋଧ କରୁଛନ୍ତି ବିଜେଡିରୁ ନିଲମ୍ବିତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କ ଗୋଷ୍ଠୀ | ଗୋଟିଏ ପଟେ ମନ୍ତ୍ରୀଙ୍କ ଜନ ସମ୍ପର୍କ ପଦଯାତ୍ରା, ଅନ୍ୟପଟେ ଦଳରୁ ନିଲମ୍ବିତ ବ୍ରଜମୋହନଙ୍କ ନେତୃତ୍ୱରେ ଜଳେଶ୍ୱରରେ ନେତୃତ୍ୱ ପରିବର୍ତ୍ତନ ପାଇଁ ପଦଯାତ୍ରା |
ତେବେ ଦୀର୍ଘଦିନ ଧରି ମନ୍ତ୍ରୀ ଅଶ୍ବିନୀ ପାତ୍ର ଓ ବ୍ରଜମୋହନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା | ଏହାରି ମଧ୍ୟରେ ଗତ ୪ ତାରିଖରେ ବ୍ରଜମୋହନଙ୍କ ସମେତ, ଯୁବନେତା କାଳିଚରଣ ଦାସ, ଏବଂ ଚନ୍ଦନ କରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ରୁ ନିଲମ୍ବନ କରା ଯାଇଥିଲା | ହେଲେ ନିଲମ୍ବନ ପରେ ବି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ବ୍ୟାନର ଓ ଦଳୀୟ ଉତ୍ତରୀୟ ପକାଇ ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଛନ୍ତି ବ୍ରଜମୋହନଙ୍କ ଗୋଷ୍ଠୀ | ବିଧାୟକ ଅଶ୍ବିନୀ ପାତ୍ରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଦୃଢ଼ତାର ସହ କହିଛନ୍ତି ନିଜେ ବ୍ରଜମୋହନ |
ତେବେ ସବୁଠାରୁ ବଡ଼ କଥା ହେଲା ଗତ ବୁଧବାର ଅଶ୍ବିନୀ ନିର୍ବାଚନ ମଣ୍ଡଳୀରେ କରିଥିବା ଜନ ସମ୍ପର୍କ ପଦଯାତ୍ରାରେ ପାଖାପାଖି ଦୁଇ ହଜାର ସମର୍ଥକ ସାମିଲ ହୋଇଥିବା ବେଳେ ଦଳରୁ ସସ୍ପେଣ୍ଡ ହୋଇଥିବା ଯୁବନେତା ବ୍ରଜମହୋନଙ୍କ ପଦଯାତ୍ରାରେ ପାଖାପାଖି ୧୦ ହଜାରୁରୁ ଅଧିକ ସମର୍ଥକଙ୍କୁ ଦେଖିବାକୁ ମିଳିଛି । ବ୍ରଜମହୋନଙ୍କ ପଦଯାତ୍ରା ପରେ ଆଗାମୀ 2024 ନିର୍ବାଚନରେ ଅଶ୍ବିନୀଙ୍କ ପାଇଁ ଅଡୁଆ ବଢିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି |





