ବିଜେଡିରେ ମିଶିଲେ ଅନୁଗୁଳର ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଆଜି ବିଜେଡିରେ ମିଶିଲେ ବିପ୍ଳବ ଜେନା । ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବେ ସେ କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ । ତାଙ୍କ ପିତା ସ୍ବର୍ଗତ ରମେଶ ଜେନା ଅନୁଗୁଳରୁ ଥରେ ବିଧାୟକ ଥିଲେ । ମିଶ୍ରଣ ପୂର୍ବରୁ ପାରମ୍ପରିକ ନୃତ୍ୟ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଶଙ୍ଖ ଭବନ ।ବିପ୍ଳବ ଓ ୧୫ଶହ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ମିଶ୍ରଣ ସହ କଂଗ୍ରେସ ଶିବିରକୁ ବଡ ଝଟକା ଲାଗିଛି । ସେପଟେ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ନିରବଛିନ୍ନ ଭାବେ ଓଡ଼ିଶାକୁ ଗଢି ତୋଳିବାର ପ୍ରୟାସ, ମହିଳା ସଶକ୍ତିକରଣ, ଖାଦ୍ୟ ନିରାପତ୍ତା, ଛାତ୍ର, ଚାଷୀଙ୍କୁ ବିକାଶ ପରି ସବୁ କ୍ଷେତ୍ରରେ ଭାରତବର୍ଷ ପାଇଁ ଦିଗଦର୍ଶନ ପାଲଟିଛନ୍ତି । ତେଣୁ ୨୪ ବର୍ଷରୁ ନିଜ କାର୍ଯ୍ୟକ୍ରମ ପାଇଁ ସେ ଏକ ନମ୍ବର ହୋଇ ରହିଛନ୍ତି । ବିପ୍ଳବ ଜଣେ ଶ୍ରମିକ ନେତା । ବିଜେଡିରେ ମିଶିଲେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ପ୍ରଣବ କହିଛନ୍ତି । ଏକ ସମନ୍ୱୟ କମିଟି କରି ବିପ୍ଳବଙ୍କ ସହ ମିଶି କାମ କରିବାକୁ ଅନୁଗୁଳ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ କହିଛନ୍ତି ଯେ, ବିପ୍ଳବ ଜଣେ ଲଢୁଆ ନେତା, ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ବିକାଶ ଯାତ୍ରାରେ ଅନୁପ୍ରାଣିତ ହୋଇ ବିପ୍ଳବ ଜେନା ବିଜେଡିରେ ମିଶିଛନ୍ତି । ତାଙ୍କ ସହ ମିଶି ଅନୁଗୁଳ ବିକାଶକୁ ଆଗକୁ ନେବାକୁ ସେ ସୂଚନା ଦେଇଛନ୍ତି । ବିପ୍ଳବ ଜେନା ମଧ୍ୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦୁଇ ଦିନ ତଳେ ବିଜେଡିରେ ମିଶିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯେପରି BSKY କାର୍ଡ ଯୋଗୁଁ କାହାର ଚିକିତ୍ସାରେ କିଛି ଅସୁବିଧା ହେଉ ନାହିଁ ଦଳୀୟ ନେତାଙ୍କ ନିର୍ଦ୍ଦେଶରେ କାମ କରିବାକୁ ବିପ୍ଳବ କହିଛନ୍ତି ।

Related Posts