ହାଇଦ୍ରାବାଦ : ତେଲେଙ୍ଗାନାରୁ ଆସିଛି ଏକ ବଡ଼ ଚାଞ୍ଚଲ୍ୟକର ଖବର । ଆତ୍ମହତ୍ୟା କଲେ ତେଲଗୁଦେଶମ ପାର୍ଟି (ଟିଡିପି) ସଂସ୍ଥାପକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଟି.ରାମା ରାଓଙ୍କ ଝିଅ ଉମା ମାହେଶ୍ୱରୀ । ହାଇଦ୍ରାବାଦ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ନିମନ୍ତେ ପଠାଇଛି। ପୋଲିସ ସୂଚନା ଅନୁସାରେ ଉମା ମାହେଶ୍ୱରୀ ଜୁବଲି ହିଲସ୍ଥିତ ନିଜ ବାସଭବନରେ ଗଳାରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ମିଳିଥିଲେ।
ତେବେ ସହାୟକ ପୋଲିସ କମିଶନର ଏମ.ସୁଦର୍ଶନ ସେ ତାଙ୍କ ଘରେ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସଂସ୍ଥାପକ ଏନ.ଟି.ରାମା ରାଓଙ୍କ ସାନ ଝିଅ ହେଉଛନ୍ତି ଉମା ମାହେଶ୍ୱରୀ। ସୂଚନା ପାଇ ପୋଲିସ ତାଙ୍କ ବାସଭବନରେ ପହଞ୍ଚି ଶବକୁ ତଳକୁ ଓହ୍ଲାଇଥିଲା। ଏ ନେଇ ପୋଲିସ ଧାରା ୧୭୪ ଅନୁସାରେ ଏକ ମାମଲା ରୁଜୁ କରିଛି।
ଏନଟିଆରଙ୍କ ୧୨ଟି ସନ୍ତାନ ସନ୍ତତି ଅଛନ୍ତି। ଏଥିରେ ଉମା ସଭା ସାନଝିଅ ଥିଲେ। ତେବେ କେଉଁ କାରଣରୁ ସେ ଏପରି ପଦକ୍ଷେପ ନେଲେ ତାହା ଜଣାପଡି ନାହିଁ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ଦଗ୍ଗୁବତୀ ପୁରନ୍ଦେଶ୍ୱରୀ ଓ ନାରା ଭୁବନେଶ୍ୱରୀଙ୍କ ଭଉଣୀ ହେଉଛନ୍ତି ଉମା ମାହେଶ୍ୱରୀ। ଏନ.ଭୁବନେଶ୍ୱରୀ ଟିଡିପି ଅଧ୍ୟକ୍ଷ ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାୟଡୁଙ୍କ ପତ୍ନୀ। ଖବର ପାଇ ଚନ୍ଦ୍ରବାବୁ ନାୟଡୁ ଓ ତାଙ୍କ ପୁଅ ଏନ.ଲୋକେଶ ଜୁବଲୀ ହିଲସ୍ଥିତ ଉମା ମାହେଶ୍ୱରୀଙ୍କ ଘରେ ପହଞ୍ଚିଛନ୍ତି ।
