ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଶନିବାର ପରଲୋକ ଘଟିଛି। ବର୍ତ୍ତମାନ ଦିଲ୍ଲୀର ସେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଥିଲେ। ଏହା ପୂର୍ବରୁ ସେ ଦିଲ୍ଲୀର ୩ ଥର ମୁଖ୍ୟମନ୍ତ୍ରୀ ଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ଏସ୍କୋଟ ଫର୍ଟିସ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ୮୧ ବର୍ଷ ବୟସରେ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହସ୍ପିଟାଲରେ ଦକ୍ଷ ଡାକ୍ତରଙ୍କ ଏକ ଟିମ ଦେଖରେଖରେ ତାଙ୍କର ଚିକିତ୍ସା ଚାଲିଥିଲା ବୋଲି ହସ୍ପିଟାଲ ଡାଇରେକ୍ଟର ଡା. ଅଶୋକ ସେଠ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଶନିବାର ଅପରାହ୍ମ ୩ଟା ୧୫ ମିନିଟରେ ପୁଣି ହୃଦଘାତ ହେବାରୁ ତାଙ୍କର ପରଲୋକ ହୋଇଛି।

ଶୀଲା ଦୀକ୍ଷିତ ୧୯୯୮ ରୁ ୨୦୧୩ ପର୍ଯ୍ୟନ୍ତ  ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ନେତୃତ୍ଵରେ କଂଗ୍ରେସ କ୍ରମାଗତ ତିନି ଥର ଦିଲ୍ଲୀରେ ସରକାର ଗଠନ କରିଥିଲା। ସେ ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ।

ପଞ୍ଜାବ କପୁରଥାଲାରେ ୩୧ ମାର୍ଚ୍ଚ ୧୯୩୮ରେ ଜନ୍ମିତ ଶିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମିରାଣ୍ଡା ହାଉସରୁ ଇତିହାସରେ ଏମଏ ପାସ୍ କରିଥିଲେ। ସେ ଉତ୍ତର ପ୍ରଦେଶ ଉନ୍ନାବର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିନୋଦ ଦିକ୍ଷୀତଙ୍କୁ ବିବାହ କରିଥିଲେ।  ବିନୋଦ କଂଗ୍ରେସର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଉମାଶଙ୍କର ଦିକ୍ଷୀତଙ୍କ ପୁତ୍ର ଥିଲେ। ତେବେ ମିରାଣ୍ଡା ହାଉସରେ ପାଠପଢିବା ବେଳଠାରୁ ରାଜନୀତି ପ୍ରତି ଶିଲାଙ୍କ ଋଚି ବଢିବାରେ ଲାଗିଥିଲା। ପରେ ସେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ୧୯୯୮ ମସିହାରେ ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ।

ଶିଲା ୧୯୯୮ ମସିହାରେ ପୂର୍ବ ଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ଟିକେଟ୍ ରେ ନିର୍ବାଚନ ଲଢି ହାରିବା ପରେ ଦିଲ୍ଲୀ ରାଜନୀତି ମଧ୍ୟରେ ନିଜକୁ ସୀମିତ କରିଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ଦିଲ୍ଲୀରେ ଲଗାତାର ୩ ଥର ବିଜୟୀ ହୋଇଥିବା ବେଳେ ସେ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ରାଜ୍ୟ ଶାସନଡୋରୀ ସମ୍ଭାଳି ଥିଲେ।  ଶିଲାଙ୍କ ମୃତ୍ୟଖବର ପ୍ରଚାରିତ ହେବା ପରେ କଂଗ୍ରେସ ପାର୍ଟି ପକ୍ଷରୁ ଏକ ଟ୍ୟିଟ୍ ବାର୍ତ୍ତାରେ ଶୋକ ପ୍ରକଟ କରାଯାଇଛି। ସେ ଆଜୀବନ କଂଗ୍ରେସ ସଦସ୍ୟ ଥିଲେ ଓ ୩ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ଜାତୀୟ ରାଜଧାନୀର କାୟାକଳ୍ପ କରିଥିଲେ। ତାଙ୍କ ପରିବାର ଓ ପରିଜନଙ୍କ ପ୍ରତି କଂଗ୍ରେସ ଗଭୀର ସମବେଦନା ଜ୍ଞାପନ କରିଛି।