ସୀମାନ୍ତରେ ଓଡ଼ିଆ ଭାଷାର ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଡ. ଦିନେଶ ଷଡ଼ଙ୍ଗୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡ଼ିଆ ଭାଷାଭାଷୀ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ପୁନଃପ୍ରଚଳନ ଓ ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି ଝାଡଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ଦିନେଶ ଷଡଙ୍ଗୀଏ ନେଇ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଅସନ୍ତୋଷ ବ୍ୟକ୍ତ କରିବା ସହ ରେଳ ବୋର୍ଡ଼ର ଅଧ୍ୟକ୍ଷ ଓ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ଙ୍କ ନିକଟକୁ ଚିଠି ଲେଖିଛନ୍ତି । ରେଳ ମନ୍ତ୍ରଣାଳୟ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା କରୁଥିବା ନେଇ ଅଭିଯୋଗ ହେଉଛି । ମୟୂରଭଞ୍ଜ ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ରେଳଷ୍ଟେସନରେ ପୂର୍ବରୁ ଓଡ଼ିଆ ଭାଷାରେ ନାମ ଫଳକ ଥିଲା । ଏବେ କିଛି ବର୍ଷ ହେବ ଓଡ଼ିଆ ଫଳକ ଉଭାନ ହୋଇଯାଇଛି । ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ଓଡ଼ିଆ ଭାଷାରେ ଲିଖିତ ଫଳକ ପରିବର୍ତ୍ତନ ହୋଇଛି , ସେ ନେଇ ଅସନ୍ତୋଷ ଦାନ ବାନ୍ଧୁଛି । ଖଡଗପୁର ରେଳ ଡିଭିଜନର ଚକୁଳିଆ ଠାରୁ ଟାଟା ନଗର ପର୍ଯ୍ୟନ୍ତ ଯାହା ପୂର୍ବ ସିଂହଭୂମ ଦେଇ ଯାଇଛି | ଉକ୍ତ ରେଳଷ୍ଟେସନ ଗୁଡିକରେ ଓଡ଼ିଆ ଭାଷାରେ ନାମଫଳକ ଲଗାଇବାକୁ ସେ ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି | ୧୯୫୫ରେ ରାଜ୍ୟ ପୁନର୍ଗଠନ କମିଶନ ତାଙ୍କ ରିପୋର୍ଟରେ ୧୮୩, ପରିଚ୍ଛଦ ୬୬୭ରେ ଉଲ୍ଲେଖ କରିଛନ୍ତି ଯେ ଭାଷାଗତ ଦୃଷ୍ଟିରୁ ସିଂହଭୂମ ହୋ, ଓଡ଼ିଆ, ବେଙ୍ଗଲି, ସାନ୍ତାଳିର ଏକ ସଙ୍ଗମ ସ୍ଥଳ। ବ୍ରିଟିଶ ଶାସନ ସମୟରେ ଜେରାଇକେଲା, ଗୋଏଲକେରା ଠାରୁ ଚକୁଳିଆ ପର୍ଯ୍ୟନ୍ତ ବମ୍ବେ-ହାଓଡା ରେଳଲାଇନର ସମସ୍ତ ଷ୍ଟେସନରେ ରେଳ ଟିକେଟ ଓଡ଼ିଆ ଭାଷାରେ ଲେଖାଯାଉଥିଲା।

କିଛି ଦୁର୍ବୃତ୍ତଙ୍କ ଚକ୍ରାନ୍ତ ଯୋଗୁଁ ୧୯୭୦ ଦଶକରେ ଏହାକୁ ଲିଭାଇ ଦିଆଗଲା। ପୁନଃଶ୍ଚ ଦାବି ଜଣାଇବା ପରେ ତତ୍କାଳୀନ କେନ୍ଦ୍ର ରେଳବାଇ ଉପମନ୍ତ୍ରୀ ସି ପି ମାଝୀଙ୍କ ସମୟରେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ ହୋଇଥିଲା । କିନ୍ତୁ ପୁଣି ଟିକେଟରୁ ଓଡ଼ିଆ ଭାଷାକୁ ବାଦ୍‍ ଦିଆଗଲା ୧୯୮୦ ଦଶକରେ । ପରେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବହ୍ଲବ ପଟ୍ଟନାୟକ, ବାଚସ୍ପତି ପି କେ ଦାଶ ଏବଂ କେନ୍ଦ୍ର ରେଳମନ୍ତ୍ରୀ ବୁଟା ସିଂହଙ୍କ ହସ୍ତକ୍ଷେପ ପରେ ପୁନଶ୍ଚ ଓଡ଼ିଆ ଭାଷାକୁ ଅଗ୍ରାଧିକାର ଦିଆଗଲା । ରାଜଖରସୁଆଁ, ଟାଟା ନଗର ଓ ଚକ୍ରଧରପୁର, ଭଳି ପ୍ରମୁଖ ଷ୍ଟେସନରେ ଇଂରାଜୀ, ହିନ୍ଦୀ ସହିତ ଓଡ଼ିଆ ଭାଷାରେ ମଧ୍ୟ ଘୋଷଣା କରାଗଲା । ଏବେ ପାଞ୍ଚବର୍ଷ ହେଲା ପୁଣି ଓଡ଼ିଆ ଭାଷାକୁ ବାଦ୍‍ ଦିଆଯାଇଛି । ଏ ସମ୍ପର୍କରେ ଦକ୍ଷିଣପୂର୍ବ ରେଳପଥର ମହାପ୍ରବନ୍ଧକ, ଖଡଗପୁରସ୍ଥିତ ରେଳବାଇ ଡିଆରଏମ ଙ୍କୁ ବାରମ୍ବାର ପତ୍ର ଲେଖିଲେ ସୁଦ୍ଧା କିଛି ଫଳପ୍ରଦ ହେଉନାହିଁ । ଏହି ପ୍ରସଙ୍ଗ ଦକ୍ଷିଣ ପୂର୍ବ ରେଳପଥ ଜୋନାଲ ପରାମର୍ଶଦାତା କମିଟିରେ ମଧ୍ୟ ଝାଡଖଣ୍ଡର ବିଧାନସଭାର ବିରୋଧୀ ଦଳର ପୂର୍ବତନ ବିଧାୟକ କୁନାଲ ଷଡଙ୍ଗୀ ଉଠାଇଛନ୍ତି । ସେ ବହୁବାର ପତ୍ର ଲେଖିଛନ୍ତି। କିନ୍ତୁ ସେଥିରୁ ସୁଫଳ ମିଳିନାହିଁ ।ଧଳବୁମଗଡ଼, ଘଟଶିଳା,ଟାଟାନଗର ଏବଂ ଚକୁଳିଆ ଷ୍ଟେସନଗୁଡ଼ିକରେ ମୁଖ୍ୟତଃ ମୟୂରଭଞ୍ଜ ଜିଲ୍ଲାର ଜନସାଧାରଣ ଯାତାୟାତ କରନ୍ତି । ହେଲେ ଓଡ଼ିଆ ନାମଫଳକ କୌଣସି ଷ୍ଟେସନରେ ନାହିଁ । ନିର୍ଭରଯୋଗ୍ୟ ସୂତ୍ରଅନୁସାରେ ରାଜନୈତିକ ଚାପରେ ଏହି ଷ୍ଟେସନଗୁଡିକରେ ଇଂରାଜୀ, ହିନ୍ଦୀ, ବେଙ୍ଗଲି, ସାନ୍ତାଳି ଭାଷାରେ ନାମଫଳକ ଲେଖାଯିବା ସହିତ ଓଡ଼ିଆ ଭାଷାକୁ ଘୋଷଣାରୁ ମଧ୍ୟ ବାଦ୍‍ ଦିଆଯାଇଛି | ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀରେ ଓଡ଼ିଆ ଏକ ସ୍ବୀକୃତିପ୍ରାପ୍ତ ଭାଷା ଏବଂ ଝାଡ଼ଖଣ୍ଡରେ ମଧ୍ୟ ଦ୍ବିତୀୟ ସରକାରୀ ଭାଷା । ଉପରୋକ୍ତ ଭାଷା ସହ ଓଡ଼ିଆ ଭାଷାରେ ଏଠାରେ ନାମଫଳକ ଲେଖାଗଲେ ଓ ଘୋଷଣା କରାଗଲେ କୌଣସି ପ୍ରକାର ସମସ୍ୟା ରହିବନି ବୋଲି ଡ. ଷଡ଼ଙ୍ଗୀ ଗଣମାଧ୍ୟମକୁ ମତାମତ ଦେଇ କହିଛନ୍ତି ।

Related Posts