ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ବିଜେଡି ହାଇକମାଣ୍ଡଙ୍କ ମୁଣ୍ଡବଥାର ବଡ କାରଣ କିଏ ? ଅନେକ ଭାବୁଥିବେ ବିଜେପି ଏବେ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହେଉଛି | ସେପଟେ କଂଗ୍ରେସ ମଧ୍ୟ ତାର ଶକ୍ତି ବଢ଼ାଉଛି, ଯେଉଁଥିପାଇଁ ବିଜେଡିର ଟେନସନ ବଢୁଛି | କିନ୍ତୁ ବାସ୍ତବରେ ବିଜେଡି ଦଳପତି ନବୀନ ପଟ୍ଟନାୟକଙ୍କ ମୁଣ୍ଡବଥାର କାରଣ ବିରୋଧୀ ବିଜେପି କି କଂଗ୍ରେସ ନୁହନ୍ତି | ଏବେ ନବୀନଙ୍କ ଟେନସନ ସାଜିଛନ୍ତି ପଶ୍ଚିମ ଓଡ଼ିଶାରେ ବିଜେଡିର ବାହୁବଳୀ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂ | ଯେବେଠାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରାଯାଇଛି, ସେବେଠାରୁ ବିଜେଡିର ବ୍ଲଡ଼ପ୍ରେସର ବଢ଼ାଇବାରେ ଲାଗିଛନ୍ତି ସୁଶାନ୍ତ |
ଗତ ସପ୍ତାହରେ ବରଗଡ଼ ଜିଲ୍ଲା ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ, ସୁଶାନ୍ତଙ୍କ ସମର୍ଥକ କୁହାଯାଉଥିବା ଶତାଧିକ ଲୋକ ଯେଭଳି କାଣ୍ଡ ଭିଆଇଲେ, ତାହା ଏବେ ବିଜେଡି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି | ଯଦିଓ ଏଥିରେ ସୁଶାନ୍ତଙ୍କ ସମ୍ପୃକ୍ତି ନେଇ ସିଧାସଳଖ ପ୍ରମାଣ ମିଳିନାହିଁ, କିନ୍ତୁ ପରିପାର୍ଶ୍ଵିକ ସ୍ଥିତି ଓ ରାଜନୈତିକ ବୟାନବାଜିକୁ ଦେଖିଲେ ଅଭିଯୁକ୍ତମାନେ ବିଜେଡିର ଓ ସୁଶାନ୍ତଙ୍କ ସମର୍ଥକ ବୋଲି ସ୍ପଷ୍ଟ ହେଉଛି | ଏହି ଘଟଣା ପରେ ବିଜେପି ପକ୍ଷରୁ ତୁହାକୁ ତୁହା ସୁଶାନ୍ତଙ୍କୁ ଟାର୍ଗେଟ କରାଯାଉଛି | ସୁଶାନ୍ତ ଓ ତାଙ୍କ ଅନୁଗତମାନଙ୍କ ଭୟରେ ପୋଲିସ ଆଇନଶୃଙ୍ଖଳା ହାତକୁ ନେଇଥିବା ଲୋକଙ୍କ ଦେହରେ ହାତ ମାରିପାରୁନାହିଁ ବୋଲି ବିଜେପି କହିଛି |
ସେପଟେ ସୁଶାନ୍ତ ମଧ୍ୟ ସିରିଜ ଭିଡିଓ ବାର୍ତା ଜାରି କରି ବିଜେପି ନେତାଙ୍କୁ ଟାର୍ଗେଟ କରୁଛନ୍ତି | ଅନ୍ୟପଟେ ଵିଜେଡି କର୍ମୀମାନେ ରାସ୍ତାରୋକ କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ଓ ମାମଲାରେ ଜଣଙ୍କୁ ଗିରଫ କଲେ ହଜାର ହଜାର ଲୋକ ରାସ୍ତାକୁ ଓଲ୍ହାଇବେ ବୋଲି ଚେତାଇ ଦେଇଛନ୍ତି | ତେବେ ଘଟଣାକୁ ଦୀର୍ଘ ସମୟ ବିତିଥିଲେ ସୁଦ୍ଧା ପୋଲିସ ହାତ ବାନ୍ଧି ବସିଛି | ଆଉ ସୁଶାନ୍ତ ସିଂଙ୍କ ଦବଦବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ପାରୁନଥିବା କୁହାଯାଉଛି | ସୁଶାନ୍ତ ନିଜ ସମର୍ଥକଙ୍କ ଜରିଆରେ ଏବେ ସିଧାସଳଖ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି, ଆଉ ତାଙ୍କ ପତିଆରା ଓ ଇସାରା ବିନା ପ୍ରଶାସନ ବି କିଛି କରି ପାରିବ ନାହିଁ ବୋଲି ସନ୍ଦେଶ ଦେଉଛନ୍ତି | ଆଉ ଏହା ଦର୍ଶାଉଛି ଯେ, ସୁଶାନ୍ତ ଏବେ କଣ୍ଟା ହୋଇ ନବୀନଙ୍କ ଗଳାରେ ଏଭଳି ଭାବେ ଲାଗିଛନ୍ତି, ନା ତାକୁ ନବୀନ ଗିଳି ପାରୁଛନ୍ତି ନା କାଢି ପାରୁଛନ୍ତି |





