ଭୁବନେଶ୍ୱର,୨୩/୪(ସତ୍ୟପାଠ ବ୍ୟୁରୋ): ଆତ୍ମସମର୍ପଣ କଲା ଓ୍ବାରିସ ଦେ ପଞ୍ଜବ ସଂଗଠନର ମୁଖ୍ୟ ଅମୃତପାଲ ସିଂହ । ଦୀର୍ଘ ୩୬ ଦିନ ଫେରାର ରହିବା ପରେ ଦୁର୍ଦ୍ଦାନ୍ତ ଅପରାଧି ତଥା ଖଲିସ୍ତାନୀ ସମର୍ଥକ ଶେଷରେ ପଞ୍ଜାବ ମୋଗା ପୋଲିସ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ ପରେ ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଛି ।
ଗତ ମାର୍ଚ୍ଚ ୧୮ରୁ ଅମୃତପାଲ ପୋଲିସକୁ ଚକ୍ମା ଦେଇ ଖସିଯାଇଥିଲା। ପଞ୍ଜାବ ପୋଲିସ ଅମୃତପାଲକୁ ପଳାତକ ଘୋଷଣା କରି ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଡେରା ପକାଇଥିଲା । ପଞ୍ଜାବ, ଉତ୍ତର ପ୍ରଦେଶ ସହିତ ନେପାଳରେ ମଧ୍ୟ ପୋଲିସ ଛାନଭିନ୍ନ କରିଥିଲା । ଖଲିସ୍ତାନୀ ସମର୍ଥକ ଅମୃତପାଲ ନାଁରେ ଅନେକ ଅପରାଧିକ ମାମଲା ରହିଛି ।
ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ପୋଲିସକୁ ଚକମା ଦେଇ ଫେରାର୍ ଥିଲା । ସରେଣ୍ଡର କରିବା ପରେ ପଞ୍ଜାବ ପୋଲିସ ତାକୁ ଗିରଫ କରି NSA ଆକ୍ଟ ଲଗାଇ ଆସାମର ଡେବ୍ରୁଗଡ଼ ପଠାଇବାକୁ ଯୋଜନା କରୁଛି । ଖଲିସ୍ତାନୀ ଅତଙ୍କବାଦୀ ଅମୃତପାଲ ସିଂହକୁ ଗିରଫ କରିବା ପାଇଁ ପୋଲିସ ସ୍ଵତନ୍ତ୍ର ଅପରେସନ ଚଳାଇଥିଲା । ଯାଞ୍ଚ ଏଜେନ୍ସି ଓ ପଞ୍ଜାବ ପୋଲିସ ଦେଶରେ ବିଭିନ୍ନ ସ୍ଥାନ ସହିତ ନେପାଳର ସୀମାନ୍ତ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ କରିଥିଲା ।
କିଛି ଦିନ ପୂର୍ବରୁ ଅମୃତପାଲର ନିକଟ ସମ୍ପର୍କୀୟ ପପ୍ପଲପ୍ରୀତ ସିଂହକୁ ପୋଲିସ ଗିରଫ କରିଥିଲା । ଏହା ସହିତ ତାର ଅନ୍ୟ ଏକ ସାଥୀ ଯୋଗା ସିଂହକୁ ଫତେଗଡ଼ ସାହିବ ଜିଲ୍ଲାରୁ ପଞ୍ଜାବ ପୋଲିସ ଗିରଫ କରିଥିଲା । ବାରମ୍ବାର ପୋଲିସକୁ ଚକମା ଦେଉଥିଲା ଏହି ମୋଷ୍ଟ ଓ୍ବାଣ୍ଟେଡ୍ ଅମୃତପାଲ । ପୋଲିସ ତାକୁ ବାନ୍ଧିବାକୁ ଜଏଣ୍ଟ ଅପରେସନ ଚଳାଇଥିଲା । ଆଜି ଭୋରୁ ଖଲିସ୍ତାନୀ ଅତଙ୍କବାଦୀ ଆତ୍ମସମର୍ପଣ କରିବା ପରେ କାଉଣ୍ଟର ଇଣ୍ଟେଲିଜେନ୍ସ ଏବଂ ପଞ୍ଜାବ ପୋଲିସ ତାକୁ ଗିରଫ କରି ଆସାମ ପଠାଇବାକୁ ଯୋଜନା କରୁଛି ।
ଅମୃତପାଲ ସିଂହ ମାର୍ଚ୍ଚ ୧୮ ତାରିଖରେ ମୋଗା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ କମାଲକେରୁ ଫେରାର୍ ହୋଇଯାଇଥିଲା । ପରେ ବାରମ୍ବାର ନିଜ ଠିକଣା ପରିବର୍ତ୍ତନ କରୁଥିଲା । ଏହି ମୋଷ୍ଟ ଓ୍ବାଣ୍ଟେଡକୁ ଧରିବାକୁ ପ୍ରାୟ ୮୦ ହଜାର ଯବାନ ନିୟୋଜିତ ହୋଇଥିଲେ । ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ନେପାଲ ସୀମା, ପଞ୍ଜାବର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲା ପୋଲିସ । ତେବେ ଶେଷରେ ଦୀର୍ଘ ୩୬ ଦିନ ପରେ ଅମୃତପାଲ ସିଂହ ଧରାପଡ଼ିଛି ।





