ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିବାରୁ ବିଜେପିର ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ପାଇଁ ଅଡ଼ୁଆ ଯେତେ ବଢ଼ିବାକୁ ଲାଗୁଛି, ତା ସାଙ୍ଗକୁ ଦଳ ପାଇଁ ମଧ୍ଯ ଅଡ଼ୁଆ ବଢ଼ୁଛି । ଦଳରୁ ନିଲମ୍ବିତ ହେବା ପରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ତାଙ୍କ ଟିପ୍ପଣୀ ପାଇଁ ଏବେ ବିଭିନ୍ନ ରାଜ୍ୟରେ ହିଂସା ଦେଖିବାକୁ ମିଳିଛି ।
ଏବେ ହ୍ୟାକରଙ୍କ ଟାର୍ଗେଟକୁ ଆସିଛନ୍ତି ଭାରତ ସରକାର। ଏବେ ଭାରତ ସରକାର ମୁସଲମାନମାନଙ୍କୁ କ୍ଷମା ମାଗନ୍ତୁ ବୋଲି ହ୍ୟାକରମାନେ ଦାବି କରିଛନ୍ତି।
ପୂର୍ବରୁ ମାଲେସିଆସ୍ଥିତ ହ୍ୟାକଟିଭିଷ୍ଟ ଗୋଷ୍ଠୀ ଡ୍ରାଗନ୍ ଫୋର୍ସ ଭାରତ ସରକାରଙ୍କ ବିରୋଧରେ ଅନେକ ସାଇବର ଆକ୍ରମଣ ଆରମ୍ଭ କରିଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ମହାରାଷ୍ଟ୍ରର ଥାଣେ ପୁଲିସର ୱେବସାଇଟ୍ ହ୍ୟାକ୍ ହୋଇଛି। ଏହା ବ୍ୟତୀତ ନାଗପୁରର ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ସମେତ ଅନେକ ସରକାରୀ ଅନୁଷ୍ଠାନ ଏବଂ ମୋଟ ୭୦ରୁ ଅଧିକ ୱେବସାଇଟ୍ ହ୍ୟାକ୍ ହୋଇଛି। ପ୍ରଫେଟ ମହମ୍ମଦଙ୍କ ପ୍ରସଙ୍ଗକୁ ନେଇ ହ୍ୟାକରମାନେ ୱେବସାଇଟ୍ ହ୍ୟାକ୍ କରୁଥିବା କଥା କହିବା ସହ ଭାରତ ସରକାର ମୁସଲମାନମାନଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି ।
