ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରୋଟକଲ ଭାଙ୍ଗିଛନ୍ତି ରାଜ୍ୟପାଳ ରଘୁବର ଦାସ । କିଛି ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। ଗତକାଲି ରାଜ୍ୟପାଳ ରଘୁବର ଦାସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଔପଚାରିକ ସାକ୍ଷାତ କରିବା ପରେ ଏହାକୁ ନେଇ ଜୋର ଧରିଛି ରାଜନୀତି। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଭେଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ।
ରାଜ୍ୟପାଳ କାହିଁକି ପ୍ରୋଟୋକଲ ଭାଙ୍ଗିଲେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ। ସେ କହିଛନ୍ତି, ‘ରାଜ୍ୟପାଳ ରଘୁବର ଦାସ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ତରବରିଆ ଭାବେ କାହିଁକି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ? କ’ଣ ଗୁରୁତ୍ୱପୂର୍ଣ୍ଣ ମେସେଜ୍ ଦେବାକୁ ଚାହୁଁଥିଲେ ରାଜ୍ୟପାଳ? ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ଦେବାକୁ ନା ଦିୱାଲି ଭେଟି ଦେବାକୁ ଯାଇଥିଲେ। ରାଜ୍ୟପାଳ ନବୀନ ନିବାସକୁ ଯିବା ଦ୍ୱାରା ପ୍ରୋଟୋକଲ ଭଙ୍ଗ ହୋଇଛି ବୋଲି ପଞ୍ଚାନନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିଲେ ରାଜ୍ୟପାଳ ତାଙ୍କ ବାସଭବନକୁ ଯାଇ ଭେଟି ପାରିବେ | ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ, ଏବେ ମୁଖ୍ୟମନ୍ତ୍ରୀଙ୍କ ଶରୀର ଅସୁସ୍ଥ ଅଛି କି ? ବୋଲି ସେ ପ୍ରଶ୍ନ କରିଛନ୍ତି | ଏନେଇ ରାଜ୍ୟପାଳ ସ୍ପଷ୍ଟ କରିବା ଦରକାର ବୋଲି ପଞ୍ଚାନନ ଦାବି କରିଛନ୍ତି।
ତେବେ ଗତକାଲି ରାତିରେ ରାଜ୍ୟପାଳ ରଘୁବାର ଦାସ ନବୀନ ନିବାସ ଯାଇଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଦୀପାବଳି ଶୁଭେଛା ଜଣାଇବା ସହ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି ରାଜ୍ୟପାଳ ସୂଚନା ଦେଇଥିଲେ | ହେଲେ ଯେହେତୁ ରାଜ୍ୟପାଳ ରଘୁବର ଦାସ ସାମ୍ବିଧାନିକ ପଦରେ ଅବସ୍ଥାପିତ ଏପରି ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ସେପଟେ ପଞ୍ଚାନନଙ୍କ ଆରୋପ ନେଇ ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।





