ଘରୋଇ ଡାକ୍ତରଖାନାରେ ଗରୀବଙ୍କୁ ମିଳୁନି ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତନାଘନା

ସତ୍ୟପାଠ ବ୍ୟୁରୋ : ଗରୀବ ଲୋକେ ଚିକିତ୍ସା ସୁବିଧା ଟିକିଏ ପାଇବା ପାଇଁ କେତେ ଯେ ହଇରାଣ ହରକତ ହୁଅନ୍ତି । ସରକାରୀ ଡାକ୍ତରଖାନାରେ ସବୁ ସୁବିଧା ମିଳୁ ନଥିବା ଲୋକେ ବେସରକାରୀ ଡାକ୍ତରଖାନା ୁପରେ ନିର୍ଭର କରନ୍ତି । ହେଲେ ଘରୋଇ ଡାକ୍ତରଖାନାରେ ରୋଗୀଙ୍କୁ କେମିତି ତଣ୍ଟିଚିପି ଟଙ୍କା ରୋଜଗାର କରନ୍ତି ତାହା କାହାକୁ ଅଛପା ନାହିଁ ।

ମନମାନୀ କରୁଛନ୍ତି ଘରୋଇ ଡାକ୍ତରଖାନା । ଗରୀବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାର ନିର୍ଦ୍ଦେଶ ଯେମିତି ଏମାନଙ୍କ ଉପରେ କିଛି ବି ଫରକ ପକାଇ ପାରୁନି । ଆଉ ଏମାନଙ୍କ ଏ କାର୍ଯ୍ୟକୁ ଦେଖି ବି ଆଖି ବନ୍ଦ କରି ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ନା କେହି କୈଫିୟତ ମାଗୁଛି ନା କେହି କାର୍ଯ୍ୟାନୁଷ୍ଠାନ ନେଉଛି । ଯେମିତି ସମସ୍ତେ ଏକଦମ୍ ବେଫିକର । ଘରୋଇ ଡାକ୍ତରଖାନାରେ ଗରୀବ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ୨୦୧୧ ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସେହି ଆଧାରରେ ୨୦୧୪ ଜୁଲାଇରେ ଓଡିଶା ସରକାର ବି ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସରକାର ସ୍ପଷ୍ଟ ଭାବେ କହିଥିଲେ, ଘରୋଇ ଡାକ୍ତରଖାନା ଗୁଡିକ ବର୍ହିିବିଭାଗଗରେ ୨୫ ପ୍ରତିଶତ ଓ ଆନ୍ତଃବିଭାଗରେ ୧୦ ପ୍ରତିଶତ ଗରୀବ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବେ । ମାଗଣା ଚିକିତ୍ସା ଯୋଗାଉଥିବା ରୋଗୀର ନାମ, ରୋଗର ପ୍ରକାର, ପରୀକ୍ଷା ନିରୀକ୍ଷା ଓ ଯୋଗାଉଥିବା ଚିକିତ୍ସାର ସଂପୂର୍ଣ୍ଣ ବିବରଣୀ ରାଜ୍ୟ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବେ । ପ୍ରତି ମଙ୍କସର ୧୦ ତାରିଖ ସୁଦ୍ଧା ଏହି ବିବରଣୀ ଦାଖଲ ନହେଲେ ବା ଗରୀବ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ନଦେଲେ ସେମାନଙ୍କର ଏନଓସି ବାଜ୍ୟାପ୍ତ କରି ଦିଆଯିବ ବୋଲି ଉଲ୍ଲେଖ ଥିଲା ।

ନିର୍ଦ୍ଦେଶ ଦେବାର କିଛି ଦିନ ଯାଏ ତ ସବୁ କିଛି ଠିକଠାକ ଚାଲିଲା । ହେଲେ ଏ ନିର୍ଦ୍ଦେଶ ଆଉ କାର୍ଯ୍ୟକାରୀ ହେଉନି । ନା କାହାକୁ ମାଗଣା ଚିକିତ୍ସା ମିଳୁଛି ନା ଏହାର ବିବରଣୀ ସରକାରଙ୍କୁ ଦିଆଯାଉଛି । ସରକାରଙ୍କ ଠାରୁ ରିହାତି ଦରରେ ଜମି ନେଇ ଘରୋଇ ଡାକ୍ତରଖାନା ଚାଲୁଛି । ସରକାର ଏମାନଙ୍କର ଏନଓସି ବାଜ୍ୟାପ୍ତି କରିଦେଲେ ଏ ଡାକ୍ତରଖାନା ଗୁଡିକ ଚାଲିପାରିବ ନାହିଁ । ତେବେ ଏନେଇ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତନାଘନା ଆରମ୍ଭ କରିଛନ୍ତି । ସ୍ଥିତିର ସମୀକ୍ଷା କରି ଜବାବ ତଲବ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Related Posts