ପାରାଦୀପରେ ସ୍ୱାସ୍ଥ୍ୟ ସଙ୍କଟ: ଶିଳ୍ପ ଓ ଆୟ ଥିଲେ ମଧ୍ୟ ଚିକିତ୍ସା ବ୍ୟବସ୍ଥା ଦୟନୀୟ


ପାରାଦୀପ:ପୂର୍ବ ଭାରତର ବିକାଶକୁ ନେଇ ଦାବି କରୁଥିବା ସରକାର ଓଡ଼ିଶାର ପ୍ରମୁଖ ଶିଳ୍ପ କେନ୍ଦ୍ର ପାରାଦୀପର ମୂଳ ଅବ୍ୟବସ୍ଥାକୁ ଅଣଦେଖା କରୁଥିବା ଅଭିଯୋଗ ଉଠିଛି। ରାଜ୍ୟର ଅର୍ଥନୈତିକ ପ୍ରବେଶ ଦ୍ୱାର ଭାବେ ପରିଚିତ ପାରାଦୀପ ଶିଳ୍ପ ଓ ବନ୍ଦର ମାଧ୍ୟମରେ ବିପୁଳ ଆୟ ହେଉଥିବା ସତ୍ୱେ, ଏଠାରେ ସ୍ୱାସ୍ଥ୍ୟ ସୁବିଧାର ଦୟନୀୟ ଅବସ୍ଥା ଚିନ୍ତାଜନକ।ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ପାରାଦୀପକୁ ରାଜ୍ୟର ଅର୍ଥନୈତିକ ହୃଦୟ ଭାବେ ଗଣାଯାଏ। ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ମିଶାଇ ବିଶେଷ ଆର୍ଥିକ କ୍ଷେତ୍ର (SEZ) ଗଠନ ପାଇଁ ଯୋଜନା ଚାଲିଥିବା ସତ୍ୱେ, ସ୍ଥାନୀୟ ଲୋକଙ୍କ ମୌଳିକ ସ୍ୱାସ୍ଥ୍ୟ ସେବା ଅପର୍ଯ୍ୟାପ୍ତ ରହିଛି।ପାରାଦୀପର ସ୍ଥାୟୀ ଜନସଂଖ୍ୟା ୧ ଲକ୍ଷରୁ ଅଧିକ ଥିବାବେଳେ, ଶ୍ରମିକ ଓ ଆଗନ୍ତୁକଙ୍କୁ ମିଶାଇ ଏହା ୨ ଲକ୍ଷ ଅତିକ୍ରମ କରୁଛି। ପ୍ରତିଦିନ ହଜାର ହଜାର ଟ୍ରକ୍ ଚଳାଚଳ ହେଉଥିବାରୁ ସଡ଼କ ଦୁର୍ଘଟଣା ଏଠାରେ ସାଧାରଣ ଘଟଣା ହୋଇପାରିଛି। ତଥାପି, ଗୁରୁତର ଚିକିତ୍ସା ପାଇଁ ଏଠାରେ ଯଥେଷ୍ଟ ବ୍ୟବସ୍ଥା ନାହିଁ।
ସ୍ଥାନୀୟ ଲୋକମାନେ ବିଜୁ ମେମୋରିଆଲ୍ ମେଡିକାଲ୍‌ ଉପରେ ନିର୍ଭର କରୁଥିବା ସତ୍ୱେ, ସେଠାରେ ଅନେକ ମୂଳଭୂତ ସୁବିଧା ଅନୁପସ୍ଥିତ। ସର୍ଜରି ବିଭାଗ ବନ୍ଦ ଅବସ୍ଥାରେ ରହିଥିବା ସହ କୌଣସି ସର୍ଜନ୍‌ ନଥିବା ଅଭିଯୋଗ ରହିଛି। ଏହାସହିତ ବର୍ଣ୍ଣ ୟୁନିଟ୍‌ ମଧ୍ୟ ନାହିଁ।ଫଳସ୍ୱରୂପ, ଗୁରୁତର ରୋଗୀଙ୍କୁ କଟକର ଏସ୍‌ସିବି ମେଡିକାଲ୍‌ କଲେଜ ଏଣ୍ଡ ହସ୍ପିଟାଲକୁ ରେଫର କରାଯାଉଛି। କିନ୍ତୁ କଟକକୁ ନେବା ସମୟରେ ଅନେକ ରୋଗୀ ମାର୍ଗମଧ୍ୟରେ ପ୍ରାଣ ହରାଉଥିବା ଅଭିଯୋଗ ଆସୁଛି, ଯାହା ଏକ ଗୁରୁତର ସମସ୍ୟାର ସୂଚନା ଦେଉଛି।ମେଡିକାଲରେ ୨୧ ଡାକ୍ତର ପଦ ମଞ୍ଜୁର ଥିଲେ ମଧ୍ୟ, କେବଳ ୯ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଏହା ସହିତ, ପାରାଦୀପର ଇଏସ୍‌ଆଇ ହସ୍ପିଟାଲ୍‌ ଭଡ଼ା ଘରରେ ଚାଲୁଥିବା ଓ ସେଠାରେ କେବଳ ସାଧାରଣ ଚିକିତ୍ସା ସେବା ମିଳୁଥିବା ଜଣାପଡ଼ିଛି।ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଶିଳ୍ପ ପ୍ରତିଷ୍ଠାନମାନଙ୍କର କୋଟି କୋଟି ଟଙ୍କାର CSR ତହବିଲ ଥିବା ସତ୍ୱେ, ପାରାଦୀପର ସ୍ୱାସ୍ଥ୍ୟ ବ୍ୟବସ୍ଥା କାହିଁକି ଏତେ ଦୁର୍ବଳ ରହିଛି?
ସ୍ଥାନୀୟ ଲୋକମାନେ ଶୀଘ୍ର ସ୍ୱାସ୍ଥ୍ୟ ଢାଞ୍ଚାର ସୁଧାର ଓ ଆଧୁନିକ ସୁବିଧା ସୃଷ୍ଟି ପାଇଁ ଦାବି କରୁଛନ୍ତି।

Related Posts